
ହାଇଦ୍ରାବାଦ: ଆକ୍ରୋଶମୂଳକ ଭାବେ ଜଣେ ଅବସରପ୍ରାପ୍ତ ସରକାରୀ କର୍ମଚାରୀଙ୍କୁ ଗିରଫ କରିବାକୁ ନିର୍ଦ୍ଦେଶ ଦେବା ହାଇଦ୍ରାବାଦର ଜଣେ ଆଇଏଏସ୍ ଅଫିସରଙ୍କୁ ମହଙ୍ଗା ପଡ଼ିଛି। ଏହି ଘଟଣାକୁ ହାଇଦ୍ରାବାଦ୍ ହାଇକୋର୍ଟର ବିଚାରପତି ଜଷ୍ଟିସ୍ ପି ନବୀନ ରାଓ ଗୁରୁତ୍ୱର ସହ ନେଇ ଆଇଏଏସ୍ ଅଫିସର କେ ଶିବ କୁମାର ନାଇଡୁଙ୍କୁ ଜେଲଦଣ୍ଡରେ ଦଣ୍ଡିତ କରିଛନ୍ତି।
ଏହି ଆଇଏଏସ୍ ଅଧିକାରୀ ଜଣଙ୍କ ଗୋଟିଏ ମାସ ଜେଲ୍ରେ ରହିବେ ବୋଲି କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ ଜଷ୍ଟିସ୍ ପି ନବୀନ ରାଓ ଆଇଏଏସ୍ ଅଧିକାରୀଙ୍କ ଉପରେ ୨ ହଜାର ଟଙ୍କା ଫାଇନ୍ ଆଦେଶ କରିଥିବା ବେଳେ ତେଲେଙ୍ଗାନା ସରକାରଙ୍କୁ ପୀଡ଼ିତ ଅବସରପ୍ରାପ୍ତ କର୍ମଚାରୀଙ୍କୁ ୫ ହଜାର ଟଙ୍କାର କ୍ଷତିପୂରଣ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି।
ଅଭିଯୋଗ ଅନୁଯାୟୀ, ଅବସରପ୍ରାପ୍ତ କର୍ମଚାରୀ ଏ ବୁକାୟା ମହାଭୁବନ ନଗରଠାରେ ଥିବା ତାଙ୍କ ନିଜ ଜାଗାରେ ଏକ ବାହାଘର ପାଇଁ ଗୋଟିଏ ହଲ୍ ନିର୍ମାଣ କରୁଥିଲେ। ଏହାକୁ ନେଇ କିଛି ଲୋକ ଆପତ୍ତି ଉଠାଇବା ସହ ଯୁଗ୍ମ ଜିଲ୍ଲାପାଳ କେ ଶିବ କୁମାର ନାଇଡୁଙ୍କ ନିକଟରେ ଅଭିଯୋଗ କରିଥିଲେ। କେ ଶିବ କୁମାର କୌଣସି ତଦନ୍ତ ନ କରି ହଠାତ୍ ଏହି ନିର୍ମାଣ କାର୍ଯ୍ୟ ଉପରେ ୨୦୧୭ ମସିହା ଜୁଲାଇ ୧ରେ ରୋକ ଲଗାଇଥିଲେ। ଏହା ବିରୋଧରେ ବୁକାୟା ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ।
ହାଇକୋର୍ଟ ଯୁଗ୍ମ ଜିଲ୍ଲାପାଳଙ୍କ ନିର୍ଦ୍ଦେଶକୁ ରଦ୍ଦ କରି ଦେଇଥିଲେ। ଏଥିରେ ଅପମାନିତବୋଧ କରି ଯୁଗ୍ମ ଜିଲ୍ଲାପାଳ ନିଜର ମାଜିଷ୍ଟ୍ରେଟ୍ ନିଜ କ୍ଷମତାର ଅପବ୍ୟବହାର କରି ବୁକାୟାଙ୍କୁ ଗିରଫ କରି ଜେଲ୍ ପଠାଇବାକୁ ସ୍ଥାନୀୟ ପୁଲିସ୍କୁ ନିର୍ଦ୍ଦେଶ ଦେଇଥିଲେ। ବୁକାୟାଙ୍କୁ ୩ ମାସ ଜେଲ୍ଦଣ୍ଡ ମିଳିଥିଲା। କିନ୍ତୁ ଅଳ୍ପ କିଛି ଦିନ ଜେଲ୍ରେ ରହିବା ପରେ ସେ ଜାମିନ୍ରେ ଖଲାସ ହୋଇଥିଲେ।
ଜେଲ୍ରୁ ମୁକୁଳିବା ପରେ ବୁକାୟା ଯୁଗ୍ମ ଜିଲ୍ଲାପାଳଙ୍କ ବିରୋଧରେ ଅଦାଲତ ଅବମାନନା ନେଇ ଏକ ମାମଲା କରିଥିଲେ। ଏହି ଆବେଦନର ଶୁଣାଣି କରି ଜଷ୍ଟିସ୍ ପି ନବୀନ ରାଓ ଆଇଏଏସ୍ ଅଫିସର ନାଇଡୁଙ୍କୁ ଜେଲ୍ଦଣ୍ଡରେ ଦଣ୍ଡିତ କରିଛନ୍ତି।
from Odisha Reporter https://ift.tt/2MtS1MR
No comments:
Post a Comment