
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭାରତର ପାରମ୍ପରିକ ଖାଦ୍ୟ ସମ୍ପର୍କରେ ପଚାରିଲେ ଗୋଟିଏ ନାଁ ଆପେ ଆପେ ମୁହଁକୁ ଚାଲିଆସିବ । ସେଇଠି ହେଉଛି ‘ଲଡୁ’। ଭାରତର ଯେଉଁ ପ୍ରାନ୍ତକୁ ଗଲେ ମଧ୍ୟ ଏହି ପାରମ୍ପରିକ ଖାଦ୍ୟ ସାମଗ୍ରୀ ମିଳିବାର ଠିକଣା ଆପଣଙ୍କୁ ଅତି ସହଜରେ ମିଳିଯିବ।
ଭାରତୀୟ ମିଷ୍ଟାନ୍ନ ଭାବେ ଲଡୁର ଚାହିଦା ସବୁଠାରୁ ଆଗରେ କହିଲେ ଅତ୍ୟୁକ୍ତି ହେବନାହିଁ। ଦେଶରେ ସବୁ ପ୍ରାନ୍ତରେ ଏହା ଭିନ୍ନ ଢଙ୍ଗରେ ଆଉ ଭିନ୍ନ ଶୈଳୀରେ ପ୍ରସ୍ତୁତ କରାଯାଇଥାଏ।
ଠାକୁରଙ୍କ ପଖେ ପ୍ରସାଦ ଭାବେ ଭୋଗ ଲାଗୁଥିବା ଏହି ମିଷ୍ଟାନ୍ନ ଆମ ଧାର୍ମିକ ଭାବାବେଗ ସହ ମଧ୍ୟ ଜଡ଼ିତ। ସେଇଥିପାଇଁ ତ ଭାରତୀୟମାନଙ୍କ ଯେ, କୌଣସି ପର୍ବ ପର୍ବାଣୀରେ ଲଡୁ ଭୋଗ ଲାଗି ହୋଇଥାଏ।
ଓଡ଼ିଆଙ୍କ ବଡ଼ ଠାକୁର ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ପାଖରେ ୬୦ ପଉଟି ଭୋଗ ଲାଗି ହେଉଥିବା ବେଳେ ତନ୍ମଧ୍ୟରୁ ଗୋଟିଏ ହେଉଛି ଲଡୁ। ଆଉ ଠାକୁରଙ୍କ ଏହି ପ୍ରିୟ ଲଡୁ ପ୍ରସାଦର ନାଁ ଏଠି ହେଉଛି ‘ମଗଜ ଲଡୁ’।
କେବେ ଭାବିଛନ୍ତି ଜଗନ୍ନାଥଙ୍କ ପାଖରେ ଲାଗୁଥିବା ଲଡୁ ସାଧାରଣ ଶୈଳୀରେ ପ୍ରସ୍ତୁତ ହୋଇଥାଏ। ହେଲେ ଏହାର ନାଁ ଏମିତି କାହିଁକି ? ଆସନ୍ତୁ ଜାଣିବା ମଗଜ ଲଡୁର ନାମକରଣ ସମ୍ପର୍କରେ।
ଓଡ଼ିଆ ଅଭିଧାନରେ ମଗଜର ପ୍ରକୃତ ଅର୍ଥ ହେଉଛି ବୁଦ୍ଧିଶକ୍ତି ଏବଂ ଲଡ଼ୁର ଅର୍ଥ ମିଷ୍ଟାନ୍ନ। ପ୍ରକାରାନ୍ତରେ କହିବାକୁ ଗଲେ ଜଗନ୍ନାଥ ସଂସ୍କୃତିରେ ମଗଜ ଲଡ଼ୁକୁ ବୁଦ୍ଧି ବର୍ଦ୍ଧକ ଲଡ଼ୁ ଭାବେ ଗ୍ରହଣ କରାଯାଇଛି। ଅଟା,ଚିନି ଆଉ ଦେଶୀ ଘିଅରେ ପ୍ରସ୍ତୁତ ମଗଜ ଲଡୁର ଏପରି ନାମକରଣ ପଛରେ ବିଜ୍ଞାନ ମଧ୍ୟ ରହିଛି।
ବୁଦ୍ଧି ପାଇଁ ମସ୍ତିଷ୍କରେ ପ୍ରୋଟିନ୍ର ପ୍ରବାହ ସନ୍ତୁଳିତ ଢଙ୍ଗରେ ରହିବା ଏକାନ୍ତ ଆବଶ୍ୟକ ବୋଲି କୁହାଯାଏ। ଆଉ ଏହି ସନ୍ତୁଳନ ରକ୍ଷା ପାଇଁ ଅଟା ବା ଅଟାରେ ପ୍ରସ୍ତୁତ ଖାଦ୍ୟ ଶରୀର ପାଇଁ ଏକାନ୍ତ ଆବଶ୍ୟକ।
୧୦୦ ଗ୍ରାମ୍ ଅଟାରେ ୧୩.୨ ଗ୍ରାମ୍ ପ୍ରୋଟିନ୍ ରହିଥାଏ ବୋଲି କୁହନ୍ତି ଖାଦ୍ୟ ବିଶେଷଜ୍ଞ। ଯାହାକି ଏକ ସୁସ୍ଥ ମସ୍ତିଷ୍କ ପାଇଁ ଯଥେଷ୍ଟ ।
ହୁଏତ ଏଇ କଥାଟି ଆମ ପୂର୍ବଜମାନେ ମଧ୍ୟ ଜାଣିଥିଲେ। ଅଟାର ଏମିତି ବୈଶିଷ୍ଟ୍ୟ ସମ୍ପର୍କରେ ଜାଣିଥିବାରୁ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ପାଖରେ ଏହି ନୈବେଦ୍ୟଟିର ପ୍ରଚଳନ ଆରମ୍ଭ କରାଯାଇ ଥାଇପାରେ। ଯାହାକୁ ଖାଇଲେ ମହାପ୍ରଭୁଙ୍କ ମଗଜ ଠିକ୍ ଠାକ୍ ଚାଲେ ଆଉ ତାଙ୍କ ପ୍ରସାଦ ଖାଇ ଆମର ବି।
ତା ହେଲେ କ’ଣ କହୁଛନ୍ତି, ପୁରୀ ଗଲେ ଏଥର ମଗଜ ଲଡୁ ଖାଇବେ ତ ?
କେମିତି ମହାପ୍ରଭୁଙ୍କ ପାଇଁ ପ୍ରସ୍ତୁତ ହୁଏ ମଗଜ ଲଡ଼ୁ?
ଆବଶ୍ୟକ ସାମଗ୍ରୀ- ଅଟା, ଚିନିଗୁଣ୍ଡ, ଦେଶୀ ଘିଅ, ଲବଙ୍ଗ, ଜାଇଫଳ, ଗୁଜୁରାତି
ପ୍ରଣାଳୀ- ପ୍ରଥମେ ଅଟାକୁ ଅଳ୍ପ ଭାଜି ସେଥିରେ ଘିଅ ପକାଇ ମିଶାଯାଏ। ପରେ ଏହାକୁ ଚୁଲିରୁ କାଢ଼ି ଥଣ୍ଡା କରାଯାଏ। ଥଣ୍ଡା ହୋଇଗଲା ପରେ ଚିନି, ଅଳେଇଚ, ଲବଙ୍ଗ, ଜାଇଫଳ ଗୁଣ୍ଡକୁ ଏହି ମିଶ୍ରଣରେ ମିଶାଇ ଦଳାଯାଏ। ଏହି ମିଶ୍ରଣ ସମ୍ୟକ ବହଳିଆ ହୋଇଯିବା ପରେ ହାତରେ ଘିଅ ଲଗାଇ ଛୋଟ ଛୋଟ ଗୁଳା କରାଯାଏ। ଆଉ ପାଲଟିଯାଏ ମହାପ୍ରଭୁଙ୍କ ନୈବେଦ୍ୟ।
from OdishaReporter https://ift.tt/2OSWPJh
No comments:
Post a Comment