
ଇଂଲଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟରେ ଭାରତର ପରାଜୟ ପରେ ଅଧିନାୟକ ବିରାଟ କୋହଲି ଭାରତୀୟ ବ୍ୟାଟ୍ସମ୍ୟାନ୍ଙ୍କ ଦୁର୍ବଳତା ସମ୍ପର୍କରେ କ୍ଷୋଭ ପ୍ରକାଶ କରିଛନ୍ତି। ସେ କହିଛନ୍ତି, ଇଶାନ୍ତ ଶର୍ମା ଓ ଉମେଶ ଯାଦବଙ୍କ ଭଳି ଲୋ’ ଅର୍ଡରରେ ଖେଳିବାକୁ ଆସିଥିବା ବୋଲର୍ମାନେ ଯେଉଁଭଳି ଲଢ଼ୁଆ ବ୍ୟାଟିଂ ପ୍ରଦର୍ଶନ କଲେ ତାହା ଅଗ୍ରଭାଗର ବ୍ୟାଟ୍ସମ୍ୟାନଙ୍କ କ୍ଷେତ୍ରରେ ଦେଖିବାକୁ ମିଳିନଥିଲା।
ଏହାର ପରିଣାମ ସ୍ୱରୂପ ଦଳ ମ୍ୟାଚ ଜିତିବାରୁ ବଞ୍ଚିତ ହେଲା ବୋଲି କୋହଲି କ୍ଷୋଭର ସହିତ କହିଛନ୍ତି। “ଆମ ବ୍ୟାଟ୍ସମ୍ୟାନ୍ଙ୍କ ଶଟ୍ ସିଲେକ୍ସନରେ ତ୍ରୁଟି ଥିଲା। ଫଳରେ ଇଂଲଣ୍ଡର ବୋଲର୍ମାନେ ଆମର ବିଜୟ ଆଶା ଧୂଳିସାତ୍ କରିବାରେ ସଫଳ ହେଲେ।”
ଉଲ୍ଲେଖଯୋଗ୍ୟ, କେବଳ ବିରାଟ କୋହଲି(୧୪୯+୫୧) ଏବଂ ହାର୍ଦ୍ଦିକ ପାଣ୍ଡ୍ୟା(୨୨+୩୧)ଙ୍କୁ ବାଦ୍ ଦେଲେ, ଆଉ କୌଣସି ବ୍ୟାଟ୍ସମ୍ୟାନଙ୍କ ଦୁଇ ଇନିଂସର ମୋଟ ରନ୍ ୫୦ ଛୁଇଁନାହିଁ। ଟପ୍ ଅର୍ଡର ବ୍ୟାଟ୍ସମ୍ୟାନଙ୍କ ମଧ୍ୟରୁ ଶିଖର ଧୱନ, ଲୋକେଶ ରାହୁଲ ଓ ଅଜିଙ୍କ୍ୟ ରାହାନେ ଉଭୟ ଇନିଂସରେ ଫେଲ୍ ମାରିଛନ୍ତି।
ବିରାଟ କହିଛନ୍ତି, “ପ୍ରଥମ ଇନିଂସରେ ଆମେ ଇଂଲଣ୍ଡ ସ୍କୋରର ନିକଟବର୍ତ୍ତୀ ହୋଇ ପାରିଥିଲୁ। ଦ୍ଵିତୀୟ ଇନିଂସରେ ଯଦି ଗୋଟିଏ ଦୁଇଟି ଭଲ ପାର୍ଟନରଶିପ୍ ଗଢ଼ିପାରି ଥାନ୍ତୁ, ତା’ହେଲେ ପ୍ରଥମ ଟେଷ୍ଟ୍ ଆମ ହାତମୁଠାରେ ଅବଶ୍ୟ ରହିଥାନ୍ତା।”
ଇଂଲଣ୍ଡ ବୋଲର୍ମାନେ ମ୍ୟାଚ୍ରେ ଯେଉଁଭଳି ଲଢ଼ୁଆ ଢଙ୍ଗରେ କମ୍ବ୍ୟାକ୍ କରି ହାରିବା ଅବସ୍ଥାରୁ ଦଳକୁ ବିଜୟାଭିମୁଖୀ କରିପାରିଲେ, ତା’ର ଭୂୟସୀ ପ୍ରଶଂସା କରିଛନ୍ତି ବିରାଟ।
ସେ କହିଛନ୍ତି,“ପରାଜୟ ସତ୍ତ୍ୱେ ଆମେ କେତେକ କ୍ଷେତ୍ରରେ ଭଲ ପ୍ରଦର୍ଶନ କରିଛୁ। ସେହି କେତୋଟି ପୋଜିଟିଭ୍ କଥାକୁ ପାଥେୟ କରି ଆମେ ପରବର୍ତ୍ତୀ ଟେଷ୍ଟକୁ ଯିବୁ।”
from OdishaReporter https://ift.tt/2Mj73kq
No comments:
Post a Comment