
ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଜେଲ୍ ଗଲେ ଆଇଏଏସ୍ ଅଫିସର ବିନୋଦ କୁମାର। ବହୁଚର୍ଚ୍ଚିତ ORHDC ଦୁର୍ନୀତି ମାମଲାରେ ସେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ତାଙ୍କୁ ୩ ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ। ତାଙ୍କ ସହ ନିଗମର ଆକାଉଣ୍ଟାଣ୍ଟ ପୂର୍ଣ୍ଣଚନ୍ଦ୍ର ଦାସଙ୍କୁ ମିଳିଛି ଅନୁରୂପ ଦଣ୍ଡାଦେଶ।
୨୦୦୦ ମସିହାରେ ୫୩ ଲକ୍ଷ ଟଙ୍କାର ଦୁର୍ନୀତିର ଗନ୍ଧ ବାରିଥିଲା ଭିଜିଲାନ୍ସ। ଆଉ ହେର୍ଫେର୍ ପଛର କାର୍ପଟଦାର ସାଜିଥିଲେ ଆଇଏଏସ୍ ବିନୋଦ କୁମାର ଓ ଅନ୍ୟ ୫ ସହଯୋଗୀ। ଗ୍ରାମ୍ୟ ବିକାଶ ମଞ୍ଚ ଭଳି ଏକ ସଂସ୍ଥା ସହ ମିଶି ORHDCର ତତ୍କାଳୀନ MD ବିନୋଦ କୁମାର ଏହି ଟଙ୍କା ହଡପ କରିଥିବାର ପ୍ରମାଣ ହାତେଇଥିଲା ଭିଜିଲାନ୍ସ। ଆଉ ୧୭ ବର୍ଷ ପରେ ବିନୋଦଙ୍କ ବିପକ୍ଷରେ ଯାଇଛି କୋର୍ଟଙ୍କ ରାୟ। କୋର୍ଟ ୩ ବର୍ଷର ସଶ୍ରମ କାରାଦଣ୍ଡ ସହ ୩ଟି ଦଫାରେ ୭୫ ହଜାର ଜରିମାନା ଆଦେଶ କରିଛନ୍ତି।
ଆଇଏଏସ୍ ବିନୋଦ ଓ ଆକାଉଣ୍ଟାଣ୍ଟ ପୂର୍ଣ୍ଣଚନ୍ଦ୍ରଙ୍କୁ ୩ ବର୍ଷ ଲେଖାଏ ଜେଲ୍ ଦଣ୍ଡାଦେଶ ହୋଇଥିଲେ ମଧ୍ୟ ଉଭୟ ଜାମିନ୍ରେ ଆସିପାରିଥାନ୍ତେ। କିନ୍ତୁ ମାମଲାରେ ଭିଜିଲାନ୍ସ କୋର୍ଟଙ୍କ ରାୟ ଶୁଣାଣି ବେଳେ ହାଜର ହୋଇନଥିଲେ ବିନୋଦ ଓ ଅନ୍ୟ ୫ ଅଭିଯୁକ୍ତ। ଯାହା ସେମାନଙ୍କ ପାଇଁ ମହଙ୍ଗା ପଡ଼ିଛି।
ରାୟ ବେଳେ ହାଜର ହୋଇନଥିବା ସମସ୍ତ ଅଭିଯୁକ୍ତଙ୍କ ବିରୋଧରେ ସେତେବେଳେ ଜାମିନ୍ ବିହୀନ ଗିରଫ ପରଓ୍ୱାନା ଜାରି କରିଥିଲେ ଭିଜିଲାନ୍ସ କୋର୍ଟ। ହେଲେ ଏହା ଉପରେ ହାଇକୋର୍ଟରୁ ରହିତାଦେଶ ଆଣି ବର୍ତ୍ତି ଯାଇଥିଲେ ବିନୋଦ। ଆଉ ଆଜି ରହିତାଦେଶ ସରିବା ପରେ ଭିଜିଲାନ୍ସ କୋର୍ଟରେ ଆତ୍ମସମର୍ପଣ କରିଥିଲେ ବିନୋଦ।
ତେବେ ଆଜି ଜାମିନ୍ ଆବେଦନର ଶୁଣାଣିକୁ ହାଇକୋର୍ଟ ସୋମବାର ପର୍ଯ୍ୟନ୍ତ ଘୁଞ୍ଚାଇ ଦେଇଥିବାରୁ ସେଯାଏ ବିନୋଦ୍ ଜେଲ୍ ରହିବେ। ORHDC ଦୁର୍ନୀତି ମାମଲାରେ ଦଣ୍ଡିତ ହୋଇଥିବା ୬ ଜଣଙ୍କ ମଧ୍ୟରୁ ୩ ଅଧିକାରୀଙ୍କୁ ହାଇକୋର୍ଟ ଜାମିନ ଦେଇଛନ୍ତି।
from OdishaReporter https://ift.tt/2vXFBBT
No comments:
Post a Comment