
ବାଲେଶ୍ୱର/ବ୍ରହ୍ମପୁର (ଓଡ଼ିଶା ରିପୋର୍ଟର): ଓଡ଼ିଶା ମୁହାଁ ଆସାମ ଶରଣାର୍ଥୀ! ସେଥିପାଇଁ ରାଜ୍ୟର ୧୮ଟି ସାମୁଦ୍ରିକ ଥାନାକୁ ହାଇଆଲର୍ଟ ଜାରି କରିଛନ୍ତି ରାଜ୍ୟ ସରକାର। ହେଲେ ପ୍ରକୃତରେ ଥାନାରେ ଆବଶ୍ୟକ କର୍ମଚାରୀ ଓ ସରଞ୍ଜାମ ନାହିଁ। ହାଇସ୍ପିଡ୍ ବୋଟ୍ ଥିଲେ, ତେଲ ପକାଇବାକୁ ପଇସା ନାହିଁ। ସେଥିରେ ପୁଣି ଅନୁପ୍ରବେଶକୁ ରୋକିବା ପାଇଁ ସରକାର ନିର୍ଦ୍ଦେଶ ଦେଉଛି। ଆସନ୍ତୁ ନଜର ପକାଇବା ପୂରା ଘଟଣା ଉପରେ।
ବାଲେଶ୍ୱର ଜିଲ୍ଲା ବଳରାମଗଡ଼ି ସାମୁଦ୍ରିକ ଥାନା ପରିସର ଖାଁ ଖାଁ ଲାଗୁଛି। ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ବଦଳରେ ଖଣ୍ଡେ ଖଣ୍ଡେ ଲାଠିରେ ଚାଲିଛି ତଟସୁରକ୍ଷା। ସୂଚନା ଅନୁଯାୟୀ, ୭୭ ଜଣଙ୍କ ସ୍ଥାନରେ ଥାନାରେ ଅଛନ୍ତି ମାତ୍ର ୯ ଜଣ କର୍ମଚାରୀ। ଆଇଆଇସି ନାହାନ୍ତି, ସବ୍ ଇନ୍ସପେକ୍ଟର ବି ନାହାନ୍ତି। ଇଏ କେବଳ ବଳରାମଗଡ଼ି ଥାନାର କାହାଣୀ ନୁହେଁ, ଜିଲ୍ଲାରେ ଥିବା ଅନ୍ୟ ଦୁଇଟି ସାମୁଦ୍ରିକ ଥାନା ବାହାବଳପୁର ଓ ତାଳସାରୀରେ ମଧ୍ୟ ତଦ୍ରୁପ ସ୍ଥିତି। ସମୁଦ୍ର ପାଟ୍ରୋଲିଂ ପାଇଁ ଜିଲ୍ଲାକୁ ୩ଟି ହାଇସ୍ପିଡ୍ ବୋଟ୍ ମିଳିଥିଲା। ହେଲେ ସେଥିରୁ ଗୋଟିଏ ଅଚଳ ହୋଇପଡ଼ିଛି। ତେବେ କାମ କରୁଥିବା ବୋଟ୍ର ତେଲ ପକାଇବାକୁ ଟଙ୍କା ନାହିଁ କି ପାଟ୍ରୋଲିଂରେ ଯିବାକୁ ଲୋକ ନାହାନ୍ତି। କିନ୍ତୁ ବାଲେଶ୍ୱର ଏସ୍ପି ବି. ଯୁଗଳ କିଶୋର କହିଛନ୍ତି,“ତଟ ସୁରକ୍ଷାକୁ ଜୋରଦାର କରିବା ଲାଗି ପଦକ୍ଷେପ ନିଆଯାଉଛି। କୌଣସି ଅଜ୍ଞାତ ଲୋକ ଧରାପଡ଼ିଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।”

from OdishaReporter https://ift.tt/2vzqHBB
No comments:
Post a Comment