ଲତାଙ୍କ ଏହି ଗୀତ ଶୁଣି କାନ୍ଦି ପକାଇଥିଲେ ନେହରୁ, ଜାଣନ୍ତୁ ଗୀତ ପଛର କାହାଣୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, August 12, 2018

ଲତାଙ୍କ ଏହି ଗୀତ ଶୁଣି କାନ୍ଦି ପକାଇଥିଲେ ନେହରୁ, ଜାଣନ୍ତୁ ଗୀତ ପଛର କାହାଣୀ

ମୁମ୍ବାଇ: ଇଏ ଏମିତି ଏକ ଗୀତ, ଯାହା ଶୁଣିଲେ ଏବେ ବି କୋଟି କୋଟି ଭାରତୀୟଙ୍କ ଲୋମ ଟାଙ୍କୁରି ଉଠେ। ମନରେ ଆପଣାଛାଏଁ ଦେଶପ୍ରେମ ଜାଗି ଉଠେ। ହଁ, ଆମେ କହୁଛୁ,‘ଭାରତ ରତ୍ନ’ ଲତା ମଙ୍ଗେସ୍‌କର୍‌ ଗାଇଥିବା ସେହି ଅପାସୋରା ଗୀତ, ‘ଏ ମେରେ ୱତନ୍‌ କି ଲୋଗୋଁ’ ସଂପର୍କରେ।

latamangeshkarଜାତୀୟ ସଙ୍ଗୀତ ପରେ ଦେଶରେ ସବୁଠାରୁ ଅଧିକ ଲୋକପ୍ରିୟ ହେଉଛି ଏହି ଦେଶାତ୍ମବୋଧକ ଗୀତଟି। ଏହି ଗୀତ ଶୁଣିବା ମାତ୍ରେ ପ୍ରତିଟି ଭାରତୀୟଙ୍କ ହୃଦୟରେ ଜାତୀୟତାର ମହାମନ୍ତ୍ର ଗୁଞ୍ଜରିତ ହୋଇ ଉଠେ।

ଏହି ଲୋକପ୍ରିୟ ଗୀତକୁ ଲେଖିଛନ୍ତି ଗୀତିକାର କବି ପ୍ରଦୀପ୍‌। ସେ ଏହି ଗୀତ ଲେଖିବା ପଛରେ ଏକ ସ୍ମରଣୀୟ କାହାଣୀ ମଧ୍ୟ ରହିଛି।

୧୯୬୨ ଯୁଦ୍ଧରେ ଚୀନ୍‌ ଠାରୁ ଭାରତର ପରାଜୟ ଯୋଗୁ ଦୁଃଖରେ ଭାଙ୍ଗି ପଡ଼ିଥିଲେ ସାରା ଦେଶବାସୀ। ସେତେବେଳେ କବି ପ୍ରଦୀପ୍‌ଙ୍କ ଅନ୍ତରାତ୍ମା ସତେ ଯେମିତି କହିଥିଲା ଯେ ସେ ଏମିତି ଏକ ଗୀତ ଲେଖିବେ, ଯାହା ଦେଶବାସୀଙ୍କର ଆତ୍ମ ବିଶ୍ୱାସକୁ ପୁଣି ଫେରାଇ ଆଣିବ। ଏହା ସହିତ ସହିଦ୍ ଯବାନମାନଙ୍କୁ ମଧ୍ୟ ସେ ଏହି ଗୀତ ଜରିଆରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିପାରିବେ।

ଏହି ଗୀତ ଲେଖିବାର ସଂକଳ୍ପ ନେଇ କବି ପ୍ରଦୀପ୍‌ ମୁମ୍ବାଇର ମାହିମ୍‌ ବିଚ୍‌ରେ ବୁଲୁଥିଲେ। ହଠାତ୍‌ ତାଙ୍କ ମନରେ କିଛି ଶବ୍ଦ ଆସିଥିଲା। ତତ୍‌କ୍ଷଣାତ୍ ସେ ନିଜ ସାଥୀଙ୍କୁ କାଗଜ ଓ କଲମ ମାଗିଥିଲେ, ଆଉ ସିଗାରେଟ୍‌ ଟାଣି ଟାଣି ନିଜ ମନର ଭାଷାକୁ ସେହି କାଗଜରେ ଉତାରି ଦେଇଥିଲେ। ସେହି କିଛି ଶବ୍ଦରୁ ହିଁ ସୃଷ୍ଟି ହୋଇଥିଲା ‘ଏ ମେରେ ୱତନ୍‌ କି ଲୋଗୋଁ’।

latamangeshkarଗୀତ ଲେଖା ସରିବା ପରେ ଏହାକୁ ଗାଇବା ପାଇଁ ପ୍ରଦୀପ୍‌ ଲତା ମଙ୍ଗେସ୍‌କର୍‌ଙ୍କୁ ପ୍ରସ୍ତାବ ଦେଇଥିଲେ। କିନ୍ତୁ ରିହର୍‌ସଲ୍‌ ପାଇଁ ସମୟ ନଥିବାରୁ ଲତା ଏହି ଗୀତ ଗାଇବାକୁ ପ୍ରଥମେ ମନା କରିଦେଇଥିଲେ। କିନ୍ତୁ ପ୍ରଦୀପ୍‌ ବାଧ୍ୟ କରିବାରୁ ଶେଷରେ ଗୀତଟି ଗାଇବା ପାଇଁ ରାଜି ହୋଇଯାଇଥିଲେ ଲତାଜୀ।

୧୯୬୩ରେ ଦିଲ୍ଲୀରେ ହେବାକୁ ଥିବା ଏକ ସମାରୋହରେ ଏହି ଗୀତକୁ ଗାଇବା ପାଇଁ ଲତାଜୀ ରିହର୍‌ସଲ୍‌ ଆରମ୍ଭ କରିଦେଇଥିଲେ। ତେବେ ସେ ଚାହୁଁଥିଲେ ଯେ ତାଙ୍କ ସହିତ ଏହି ଗୀତଟିକୁ ଭଉଣୀ ଆଶା ମଧ୍ୟ ଗାଆନ୍ତୁ। ତେଣୁ ଦୁହେଁ ଏହାର ରିହର୍‌ସଲ୍‌ ଏକାଠି ସାରିଥିଲେ। କିନ୍ତୁ ସମାରୋହ ଦିନ କୌଣସି କାମ ଥିବାରୁ ଆଶା ହଠାତ୍‌ ଦିଲ୍ଲୀ ଯିବାକୁ ମନା କରିଦେଇଥିଲେ। ଫଳରେ ଲତାଙ୍କୁ ଏକା ଯିବାକୁ ପଡ଼ିଥିଲା।

ଦିଲ୍ଲୀର ଏହି ସମାରୋହ ସ୍ଥଳରେ ତତ୍କାଳୀନ ରାଷ୍ଟ୍ରପତି ସର୍ବପଲ୍ଲୀ ରାଧାକୃଷ୍ଣନ୍‌, ପ୍ରଧାନମନ୍ତ୍ରୀ ଜବାହର୍‌ ଲାଲ୍‌ ନେହରୁ ଓ ତାଙ୍କ ଝିଅ ଇନ୍ଦିରା ଗାନ୍ଧି ପ୍ରମୁଖ ଉପସ୍ଥିତ ଥିଲେ। ଏମାନଙ୍କ ବ୍ୟତୀତ ଦିଲୀପ୍‌ କୁମାର୍‌, ରାଜ୍‌ କପୁର୍‌, ମେହେବୁବ୍‌ ଖାନ୍‌, ଶଙ୍କର ଜୟ କିଶନ୍‌ ଓ ମଦନ୍‌ ମୋହନ୍‌ଙ୍କ ସହିତ ଭାରତୀୟ ଫିଲ୍ମ ଇଣ୍ଡଷ୍ଟ୍ରିର ବହୁ ନାମୀ ଦାମୀ ହସ୍ତୀ ମଧ୍ୟ ସେଠାରେ ଥିଲେ। ଏହି ସମାରୋହରୁ ସହିଦ୍‌ ଜବାନ୍‌ଙ୍କ ପାଇଁ ପାଣ୍ଠି ସଂଗ୍ରହ କରାଯାଇଥିଲା ଏବଂ ସେତେବେଳେ ପାଖାପାଖି ୨ଲକ୍ଷ ଟଙ୍କା ସଂଗ୍ରହ ହୋଇଥିଲା। ତେବେ ଦୁର୍ଭାଗ୍ୟର କଥା, ଏହି ଗୀତକୁ ଲେଖିଥିବା କବି ପ୍ରଦୀପ୍‌ଙ୍କୁ କିନ୍ତୁ ସେହି ସମାରୋହକୁ ଆମନ୍ତ୍ରଣ କରାଯାଇ ନଥିଲା।

latamangeshkarସମାରୋହରେ ଲତାଜୀ ଏହି ଗୀତ ଗାଇବା ପୂର୍ବରୁ ଖୁବ୍‌ ନର୍ଭସ୍‌ ହୋଇ ପଡ଼ିଥିଲେ। କିନ୍ତୁ ଗୀତ ଗାଇ ସାରିବା ପରେ ତାଳି ମାଡ଼ରେ ପୂରା ଷ୍ଟାଡିୟମ୍‌ କମ୍ପି ଉଠିଥିଲା।

ଗୀତ ଗାଇ ସାରିବା ପରେ ଲତାଜୀ ଷ୍ଟେଜ୍‌ପଛକୁ ଯାଇ ଏକ କପ୍‌ କଫି ପିଉଥିଲେ। ଉପସ୍ଥିତ ଦର୍ଶକ ଯେ ଏହି ଗୀତରେ ଖୁବ୍‌ ପ୍ରଭାବିତ ହୋଇଛନ୍ତି, ଏହା ତାଙ୍କୁ ଜଣା ନଥିଲା। କିଛି ସମୟ ପରେ ମେହେବୁବ୍‌ ଖାନ୍‌ ସେଠାକୁ ଆସି ପଣ୍ଡିତ୍‌ଜୀ ଡାକୁଛନ୍ତି ବୋଲି ଲତାଙ୍କୁ କହିଥିଲେ। ଯେତେବେଳେ ଲତା ତାଙ୍କ ପାଖକୁ ଯାଇଥିଲେ, ପଣ୍ଡିତ୍‌ ନେହରୁଙ୍କ ସମେତ ଅନ୍ୟ ଦର୍ଶକମାନେ ଛିଡ଼ା ହୋଇ ତାଙ୍କୁ ଅଭିନନ୍ଦନ ଜଣାଇଥିଲେ। ପରେ ନେହରୁ କହିଥିଲେ,‘‘ଆପଣଙ୍କ ଗୀତ ଶୁଣିବା ପରେ ମୋ’ ଆଖିରେ ଲୁହ ଆସି ଯାଇଥିଲା।’’

କୌଣସି ହିନ୍ଦୀ ଫିଲ୍ମର ଅଂଶବିଶେଷ ନହୋଇବି ଏହି ଗୀତ ସବୁ ଦେଶବାସୀଙ୍କର ପ୍ରିୟ ହୋଇ ରହିଛି।



from OdishaReporter https://ift.tt/2w7gLzA

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages