ଜଗତସିଂହପୁର ବିଜେଡିରେ କମ୍ପନ, ସମୂହ ଇସ୍ତଫା ଧମକ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, August 12, 2018

ଜଗତସିଂହପୁର ବିଜେଡିରେ କମ୍ପନ, ସମୂହ ଇସ୍ତଫା ଧମକ

ଭୁବନେଶ୍ୱର ( ପ୍ରକାଶ ସେଠୀ ): ‘ଡିଭାଇଡ୍ ଆଣ୍ଡ ରୁଲ୍’ ନୀତିକୁ ଆୟୁଧ କରି ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦଳରେ ନିଜର ପ୍ରଭାବ କାଏମ ରଖିଥିବାବେଳେ ସାଧାରଣ ନିର୍ବାଚନ ପୂର୍ବରୁ ଏହା ତାଙ୍କ ପାଇଁ ବୁମେରାଂ ପାଲଟିଛି।

ବିଜେଡିର ଗଡ଼ କୁହାଯାଉଥିବା ଉପକୂଳ ଓଡ଼ିଶାରେ ଏବେ ବିଦ୍ରୋହର ସ୍ୱର ଶାଣିତ ହେବାରେ ଲାଗିଛି। ଆଜି ଜଗତସିଂହପୁର ଜିଲ୍ଲାରେ ଏହାର ଅୟମାରମ୍ଭ ହୋଇଛି। ଜିଲ୍ଲା ବିଜେଡି ସଭାପତି ବିଷ୍ଣୁ ଦାସ ନିଜର ସମର୍ଥକଙ୍କ ସହ ବିଜେଡି ନେତୃତ୍ୱ ବିରୋଧରେ ‘ଆର-ପାର’ ଲଢ଼େଇ ଆରମ୍ଭ କରିଛନ୍ତି।

ସୂଚନା ଅନୁସାରେ, ସାଂଗଠନିକ କାର୍ଯ୍ୟକ୍ରମରେ ବାରମ୍ବାର ଅଣଦେଖା ଓ ଜଗତସିଂହପୁର ଜିଲ୍ଲା ରାଜନୀତିରେ ବିଷ୍ଣୁଙ୍କ ପ୍ରଭାବ ହ୍ରାସ ପାଇଁ ଦଳୀୟ ସାଂଗଠନିକ ପଦପଦବୀରେ କଂଗ୍ରେସରୁ ଆମଦାନୀ ହୋଇଥିବା ନେତାମାନଙ୍କୁ ଅବସ୍ଥାପିତ କରାଯାଇଥିବାରୁ ଏହାର ପ୍ରତିବାଦରେ ଆଜି ବିଷ୍ଣୁ ଓ ତାଙ୍କ ସମର୍ଥକମାନଙ୍କ ଏକ ଗୋପନ ବୈଠକ ଅନୁଷ୍ଠିତ ହୋଇଯାଇଛି।

ବିଜେଡି ସୁପ୍ରିମୋ ଓ ତୃତୀୟ ମହଲାର କ୍ଷମତାକେନ୍ଦ୍ରଙ୍କ ଦ୍ୱାରା ଉପେକ୍ଷିତ ହୋଇ ବିଷ୍ଣୁଙ୍କ ସମର୍ଥକମାନେ ଏବେ ଦଳରୁ ସମୂହ ଇସ୍ତଫା ଦେବାକୁ ଚେତାବନୀ ଦେଇଛନ୍ତି। ଗତ କିଛିଦିନ ଧରି ଜିଲ୍ଲା ରାଜନୀତିରେ ଲାଗି ରହିଥିବା ଛକାପଞ୍ଝା ଓ କନ୍ଦଳ ଏବେ ଉଗ୍ରରୂପ ନେଇଥିବା ଏଥିରୁ ସ୍ପଷ୍ଟ ହୋଇଛି।

ସୂଚନା ଅନୁସାରେ, ଆଜିର ବୈଠକରେ ଜଗତସିଂହପୁର, ନାଉଁଗା, ତିର୍ତ୍ତୋଲ, ବିରିଡି, ରଘୁନାଥପୁର, କୁଜଙ୍ଗ ଓ ପାରାଦୀପ ବ୍ଲକର ଦଳୀୟ ପଦପଦବୀରେ ଥିବା ୨୦୦ରୁ ଊଦ୍ଧ୍ୱର୍ ନେତା ଓ ନିର୍ବାଚିତ ଲୋକ ପ୍ରତିନିଧିମାନେ ଯୋଗ ଦେଇଥିଲେ।

୩୦ରୁ ଊଦ୍ଧ୍ୱର୍ ସରପଞ୍ଚ, ୧୫ଜଣ ସମିତି ସଭ୍ୟ, ୫ଜଣ ଜିଲ୍ଲା ପରିଷଦ ସଭ୍ୟ ଓ ବହୁ କାଉନ୍ସିଲର ମଧ୍ୟ ବୈଠକରେ ସାମିଲ ହୋଇଥିଲେ ।ସେମାନେ ଜିଲ୍ଲା ସଭାପତି ବିଷ୍ଣୁ ଦାସଙ୍କ ପାଖରେ ଜିଲ୍ଲା ସଂଗଠନରେ ଚାଲିଥିବା ବିଶୃଙ୍ଖଳାକୁ ନେଇ ବିଷୋଦଗାର କରିଥିଲେ। ଏହା ସହିତ ସେମାନେ ଏଣିକି ଦଳର କୌଣସି ସାଂଗଠନିକ କାର୍ଯ୍ୟକ୍ରମରେ ଭାଗ ନେବେ ନାହିଁ ବୋଲି ଘୋଷଣା କରିଛନ୍ତି। ସଂଗଠନକୁ ସଜାଡ଼ିବା ଦିଗରେ ଯଦି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତତ୍କାଳ ହସ୍ତକ୍ଷେପ ନକରନ୍ତି ତା’ହେଲେ ସେମାନେ ବାଧ୍ୟ ହୋଇ ସମୂହ ଇସ୍ତଫା ଦେବେ ବୋଲି ଚେତାବନୀ ଦେଇଛନ୍ତି।

ଜିଲ୍ଲା ମହିଳା ବିଜେଡିର ବିଭିନ୍ନ ସାଂଗଠନିକ ପଦପଦବୀରେ କଂଗ୍ରେସରେ ପୂର୍ବରୁ ସକ୍ରିୟ ଥିବା ନେତାମାନଙ୍କୁ ଅବସ୍ଥାପିତ କରାଯାଇଛି ବୋଲି ବିଷ୍ଣୁ ଦାସଙ୍କ ସମର୍ଥକମାନେ ଅଭିଯୋଗ କରିଛନ୍ତି। ଜଗତସିଂହପୁର ବ୍ଲକ୍ ଓ ପୌରାଞ୍ଚଳ ଏବଂ ନାଉଗାଁ ବ୍ଲକର ସଭାନେତ୍ରୀ ଭାବେ କଂଗ୍ରେସ ସମର୍ଥକମାନଙ୍କୁ ନିଯୁକ୍ତି ଦିଆଯାଇଛି।

ଏହି ନେତ୍ରୀମାନେ ବିଜେଡିର ପ୍ରାଥମିକ ସଦସ୍ୟ ନୁହନ୍ତି ଓ ସେମାନେ କଂଗ୍ରେସରେ ସକ୍ରିୟ ଭୂମିକା ତୁଲାଉଥିବାରୁ ସେମାନଙ୍କୁ ତକ୍ରାଳ ବରଖାସ୍ତ ପାଇଁ ଗତ ସପ୍ତାହରେ ବିଷ୍ଣୁ ଦଳର ସଭାପତି ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖି ଅନୁରୋଧ କରିଥିଲେ। ଏପରିକି ଜିଲ୍ଲାରେ ଚାଲିଥିବା ବିଶୃଙ୍ଖଳା ସମ୍ପର୍କରେ ଜଣାଇବା ପାଇଁ ସେ ନବୀନଙ୍କୁ ଭେଟିବାକୁ ଚାହିଁଥିଲେ ମଧ୍ୟ ତୃତୀୟ ମହଲା ପକ୍ଷରୁ ତାଙ୍କୁ ଅନୁମତି ମିଳିନଥିଲା।

କୁହାଯାଉଛି, ପ୍ରଥମଥରର ବିଜେଡି ବିଧାୟିକା ରାଜଶ୍ରୀ ମଲ୍ଲିକ ଓ ବରିଷ୍ଠ ନେତା ଡାକ୍ତର ଦାମୋଦର ରାଉତଙ୍କ ସଲାସୁତରାରେ ପ୍ରଥମେ ବିଷ୍ଣୁଙ୍କ ପ୍ରଭାବ ହ୍ରାସ କରାଯିବା ପରେ ଏବେ ବିଷ୍ଣୁ-ବିରୋଧୀଙ୍କୁ ଦଳୀୟ ପଦପଦବୀରେ ଥଇଥାନ କରାଯାଇଛି। ଶ୍ରୀମତୀ ମଲ୍ଲିକ ଜିଲ୍ଲା ବିଜେଡି ମହିଳା ସାମ୍ମୁଖ୍ୟର ସଭାନେତ୍ରୀ ଥିବାବେଳେ ସେ ଏବେ ସ୍ୱାସ୍ଥ୍ୟ ମନ୍ତ୍ରୀ ପ୍ରତାପ ଜେନାଙ୍କ ପୃଷ୍ଠପୋଷକତାରେ ବିଷ୍ଣୁଙ୍କୁ କଡ଼ା ଟକ୍କର ଦେଉଥିବା ଚର୍ଚ୍ଚା ।



from OdishaReporter https://ift.tt/2KRtX0Q

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages