
ଲକ୍ଷ୍ନୌ: ଦେଶରେ ଟ୍ରାଫିକ୍ ବ୍ୟବସ୍ଥାକୁ ସୁଧାରିବା ପାଇଁ ପୁଲିସ ନୂଆ ନୂଆ ନିୟମ ଲାଗୁ କରୁଛି। ଏହା ସହ କେମିତି ଦୁର୍ଘଟଣାକୁ ଏଡ଼ାଯାଇପାରିବ ସେନେଇ ସାଧାରଣରେ ସଚେତନତା ବାର୍ତ୍ତା ମଧ୍ୟ ଦିଆଯାଇଛି। ନିକଟରେ ଆପଣମାନେ ବେଙ୍ଗାଲୁରୁ ଟ୍ରାଫିକ୍ ପୁଲିସ ପକ୍ଷରୁ ଯମରାଜ ବେଶରେ ଟ୍ରାଫିକ୍ ନିୟମ ସଂପର୍କରେ ସଚେତନତ କରାଯାଉଥିବାର ଦୃଶ୍ୟ ଦେଖିଥିବେ। ଟ୍ରାଫିକ୍ ନିୟମ ଯିଏ ଉଲଙ୍ଘନ କରୁଥିଲେ, ଯମରାଜ ବେଶ ଧାରଣ କରିବା ବ୍ୟକ୍ତି ତାଙ୍କୁ ଗଦାରେ ପାହାର ଦେଉଥିଲେ। ଏହାର ଭିଡିଓ ସୋଶାଲ୍ ମିଡିଆରେ ଭାଇରାଲ୍ ମଧ୍ୟ ହୋଇଥିଲା।
ବେଙ୍ଗାଲୁରୁ ପରେ ଏବେ ଲକ୍ଷ୍ନୌ ପୁଲିସ ଟ୍ରାଫିକ୍ ବ୍ୟବସ୍ଥାକୁ ସୁଧାରିବା ପାଇଁ ଗୋଲାପ ଫୁଲ ଦେବା ଅଭିଯାନ ଆରମ୍ଭ କରିଛି। ହେଲ୍ମେଟ୍ ପିନ୍ଧୁଥିବା ଗାଡ଼ି ଚାଳକମାନଙ୍କୁ ଏଠାକାର ଟ୍ରାଫିକ୍ ପୁଲିସ ଗୋଲାପ ଫୁଲ ଦେଉଛନ୍ତି। ତେବେ ଟ୍ରାଫିକ୍ ପୁଲିସର ଏହି ଗୋଲାପ ଫୁଲ ଦିଆ ଅଭିଯାନ ସେଠାକାର ଏକ ପରିବାରରେ ମହାଭାରତ ସୃଷ୍ଟି କରିଥିଲା।
ମହମ୍ମଦ ଦାନିଶ ନାମକ ଜଣେ ବ୍ୟକ୍ତି ହେଲ୍ମେଟ୍ ପିନ୍ଧି ଗାଡି ଚଲାଉଥିବାରୁ ଲକ୍ଷ୍ନୌ ଟ୍ରାଫିକ୍ ପୁଲିସ ତାଙ୍କୁ ଗୋଟେ ଗୋଲାପ ଫୁଲ ଉପହାର ଦେଇଥିଲେ। ଆଉ ସେହି ଗୋଲାପ ଫୁଲ ନେଇ ସେ ଯେତେବେଳେ ଘରେ ପହଞ୍ଚିଲେ,ସ୍ତ୍ରୀ ତାଙ୍କ ଉପରେ ସନ୍ଦେହ କଲେ। ସ୍ତ୍ରୀ ଭାବିଲେ ବୋଧହୁଏ ତାଙ୍କ ସ୍ୱାମୀଙ୍କର ବାହାରେ କେଉଁଠି କିଛି ଆଫେୟାର ଚାଲିଛି।
ଏହା ପରେ ଆରମ୍ଭ ହେଲା ଝଗଡା। ଦାନିଶଙ୍କ ଶତଚେଷ୍ଟା ପରେ ମଧ୍ୟ ସ୍ତ୍ରୀ ବୁଝିବାକୁ ନାରାଜ ଥିଲେ। ଦିନତମାମ ସେମିତି ଝଗଡ଼ା ଲାଗିଲା। ଆଉ ଏହି ସନ୍ଦେହ ଦୂର ନହେବାରୁ ଦାନିଶ ସ୍ତ୍ରୀଙ୍କୁ ନେଇ ସିଧାସଳଖ ଟ୍ରାଫିକ୍ ପୁଲିସ ପାଖରେ ପହଞ୍ଚିଲେ। ଦାନିଶଙ୍କୁ ଫୁଲ ଦେଇଥିବା ଇନ୍ସ୍ପେକ୍ଟର ପ୍ରେମ୍ ସାହି ତାଙ୍କ ସ୍ତ୍ରୀଙ୍କୁ ପ୍ରକୃତ କଥା ବୁଝାଇବା ସହ ଗୋଲାପ ଫୁଲ ଦେବା ସମୟର ଫଟୋ ଦେଖାଇଥିଲେ। ତା’ପରେ ଯାଇ ସ୍ତ୍ରୀଙ୍କ ମୁଡ୍ ଥଣ୍ଡା ପଡ଼ିଥିଲା।
from OdishaReporter https://ift.tt/2M2Y7ma
No comments:
Post a Comment