ବାଜପେୟୀଙ୍କ ପାଇଁ ଏକାଠି ହେଲେ ରାଜ୍ୟର ସବୁ ନେତା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, August 24, 2018

ବାଜପେୟୀଙ୍କ ପାଇଁ ଏକାଠି ହେଲେ ରାଜ୍ୟର ସବୁ ନେତା

ଭୁବନେଶ୍ୱର (ପ୍ରକାଶ ସେଠୀ): ଦିବଂଗତ ନେତା, ପୂର୍ବତନ ପ୍ରଧାନମନ୍ତ୍ରୀ,ରାଷ୍ଟ୍ରନାୟକ ଓ ଭାରତ ରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ସ୍ମୃତି ଉଦ୍ଦେଶ୍ୟରେ ଭୁବନେଶ୍ୱରର ପ୍ରଦର୍ଶନୀ ପଡ଼ିଆରେ ବିଜେପି ପକ୍ଷରୁ ଆୟୋଜିତ ସର୍ବଧର୍ମ ଓ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି। ଓଡ଼ିଶା ରାଜନୀତିରେ ପ୍ରଥମଥର ପାଇଁ କୌଣସି ଏକ ରାଜନୀତିକ ଦଳ ପକ୍ଷରୁ ଆୟୋଜିତ ସାର୍ବଜନୀନ କାର୍ଯ୍ୟକ୍ରମରେ ସବୁ ଦଳର ନେତାଙ୍କୁ ଏକାଠି ଦେଖିବାକୁ ମିଳିଛି।

ବାଜପେୟୀଙ୍କ ସ୍ମୃତି ଉଦ୍ଦେଶ୍ୟରେ ଆୟୋଜିତ ଶ୍ରଦ୍ଧାଞ୍ଜଳି ସଭାରେ ଯୋଗ ଦେଇ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଥିଲେ, “ବାଜପେୟୀଙ୍କ ଅଭାବ ଆମ ସମସ୍ତଙ୍କୁ ବ୍ୟଥିତ କରିଛି। ମୋର ବ୍ୟକ୍ତିଗତ କ୍ଷତି ମଧ୍ୟ ହୋଇଛି।”

ସେ ଆହୁରି କହିଥିଲେ, “ବାଜପେୟୀଙ୍କର ବିଶାଳ ହୃଦୟରେ ଓଡ଼ିଶା ପାଇଁ ଏକ ସ୍ୱତନ୍ତ୍ର ସ୍ଥାନ ଥିଲା। ସେ ଥିଲେ ଗଣତନ୍ତ୍ରର ଜାଗ୍ରତ ପ୍ରହରୀ। ଆଦର୍ଶବାଦ ଓ ସହନଶୀଳତାର ସେ ଥିଲେ ମୂର୍ତ୍ତିମନ୍ତ ପ୍ରତୀକ। ତାଙ୍କ ବିୟୋଗରେ ବାସ୍ତବରେ ଗୋଟିଏ ଯୁଗର ଅବସାନ ଘଟିଛି। ବାଜପେୟୀଙ୍କ ବିୟୋଗରେ ଦେଶର ଅପୂରଣୀୟ କ୍ଷତି ହୋଇଛି।”

ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଥିଲେ ଯେ, ଭାରତୀୟ ରାଜନୀତିର ଅଦ୍ୱିତୀୟ ଧ୍ରୁବତାରା ହେଉଛନ୍ତି ଅଟଳ ବିହାରୀ ବାଜପେୟୀ। ରାଜନୀତିକ ଶିଷ୍ଟାଚାର, ଗଣତାନ୍ତ୍ରିକ ମୂଲ୍ୟବୋଧ ଓ ରାଷ୍ଟ୍ରବାଦ ତାଙ୍କଠୁ ଶିଖିବାର ଅଛି। ସେ ପ୍ରକୃତରେ ଅଜାତଶତ୍ରୁ ଥିଲେ। ସେ ସମ୍ବିଧାନକୁ ସବୁଠୁ ଊଦ୍ଧ୍ୱର୍ରେ ରଖି ନିଜକୁ ବାସ୍ତବରେ ନିଜକୁ ସମ୍ବିଧାନର ପୂଜାରୀ ମନେକରି କାର୍ଯ୍ୟ କରୁଥିଲେ।

ସେହିପରି ବିରୋଧୀ ଦଳ ନେତା ନରସିଂହ ମିଶ୍ର କହିଥିଲେ ଯେ ଏଭଳି ବ୍ୟକ୍ତି ଭାରତବର୍ଷରେ କମ୍ ଦେଖିବାକୁ ମିଳନ୍ତି। ସେ ହେଉଛନ୍ତି ଜଣେ ଅଜାତଶତ୍ରୁ। ତାଙ୍କ ରାଜନୀତିକ ଚିନ୍ତାଧାରା ସହ ଅନେକ ଲୋକଙ୍କ ତୀବ୍ର ମତଭେଦ ଥିଲା। କିନ୍ତୁ ବିରୋଧୀ ଦଳକୁ ସେ ସବୁବେଳେସମ୍ମାନ ଦେଉଥିଲେ। ବାଜପେୟୀଙ୍କ ଦିଗଦର୍ଶନ ଦ୍ଵାରା ପ୍ରଭାବିତ ହୋଇ ରାଜ୍ୟ ଓ ଦେଶକୁ ସେହି ଦିଗରେ ନେଇଯିବା ହିଁ ତାଙ୍କ ପ୍ରତି ପ୍ରକୃତ ଶ୍ରଦ୍ଧାଞ୍ଜଳି ହେବ । ବାଜପେୟୀଙ୍କ ସହ ନିଜର ଅନୁଭୂତି ସମ୍ପର୍କରେ ସୂଚନା ଦେଇ ତାଙ୍କର ମହନୀୟତାର ଉଚ୍ଚ ପ୍ରଶଂସା କରିଥିଲେ।

ସେହିପରି ବାଜପେୟୀଙ୍କ ସରକାରରେ କେନ୍ଦ୍ରମନ୍ତ୍ରୀ ଥିବା ବ୍ରଜକିଶୋର ତ୍ରିପାଠୀ କହିଥିଲେ ଯେ, ବିଭିନ୍ନ ରାଜନୀତିକ ଦଳକୁ ଏକାଠି ନେଇ କାର୍ଯ୍ୟ କରିବାର କଳାକୌଶଳ ବାଜପେୟୀଙ୍କ ଭଳି ମହାନ ନେତାଙ୍କ ପାଖରେ ଦେଖିବାକୁ ମିଳିଥିଲା। ବାଜପେୟୀ ବାସ୍ତବରେ ଜଣେ ରାଷ୍ଟ୍ରବାଦୀ ନେତା ଥିଲେ ଯିଏ କି ଅନ୍ୟ ଆଞ୍ଚଳିକ ଦଳଗୁଡ଼ିକୁ ଯଥେଷ୍ଟ ସମ୍ମାନ ଦେଉଥିଲେ।

ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ବିଜେଡିର ଡାକ୍ତର ଦାମୋଦର ରାଉତ, ସାଂସଦ ପ୍ରସନ୍ନ ଆଚାର୍ଯ୍ୟ, ସୌମ୍ୟରଞ୍ଜନ ପଟ୍ଟନାୟକ, ଅଚ୍ୟୁତ ସାମନ୍ତ, ପଦ୍ମନାଭ ବେହେରା, ଅମର ପ୍ରସାଦ ଶତପଥୀ, ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ, ସୂର୍ଯ୍ୟନାରାୟଣ ପାତ୍ର ଓ ଅଶୋକ ଚନ୍ଦ୍ର ପଣ୍ଡା, ପ୍ରିୟଦର୍ଶୀ ମିଶ୍ର, ବିଜୟ ମହାନ୍ତି, କଂଗ୍ରେସ ନେତା ସୁରେଶ କୁମାର ରାଉତରାୟ, ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ର, ଶିବାନନ୍ଦ ରାୟ, ରବି ବେହେରା, ଯଜ୍ଞେଶ୍ୱର ବାବୁଙ୍କ ସମେତ ସିପିଆଇ,ସିପିଏମ୍, ବିଏସପି ଓ ଲୋକ ଜନଶକ୍ତି ପାର୍ଟିର ରାଜ୍ୟସ୍ତରୀୟ ନେତୃବୃନ୍ଦ ଯୋଗ ଦେଇଥିଲେ।

ବାଜପେୟୀଙ୍କ ପାଇଁ ଆୟୋଜିତ କାର୍ଯ୍ୟକ୍ରମରେ ସମାଜର ବିଭିନ୍ନ ବର୍ଗର ବିଶିଷ୍ଟ ବ୍ୟକ୍ତିମାନେ ଯୋଗ ଦେଇ ନିଜର ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ । ବେଦପାଠ ସହ ବାଜପେୟୀଙ୍କ ଓଡ଼ିଶା ପ୍ରତି ରହିଥିବା ଭଲପାଇବାକୁ ନେଇ ଏକ ସଂକ୍ଷିପ୍ତ ଭିଡିଓ ମଧ୍ୟ ପ୍ରଦର୍ଶିତ ହୋଇଥିଲା।

ଦୁଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଜୁଏଲ ଓରାମଙ୍କ ସମେତ ବିଜେପିର ସମସ୍ତ ବରିଷ୍ଠ ନେତାମାନେ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ।



from Odisha Reporter https://ift.tt/2wa0jiv

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages