
କେନ୍ଦ୍ରାପଡ଼ା/ମହାକାଳପଡ଼ା: ହଜିଗଲା ଗାଁ ଲୋକଙ୍କ ମାନବିକତା। ଆଉ ପର କରିଦେଲା ପରିବାର। କେନ୍ଦ୍ରାପଡ଼ା ରାମଚନ୍ଦ୍ରପୁରରେ ଜଣେ କୁଷ୍ଠ ଆକ୍ରାନ୍ତଙ୍କୁ ପ୍ରଥମେ ଗାଁ ଲୋକ ନିଆଁ ପାଣି ବାସନ୍ଦ କରିବା ପରେ ଶେଷରେ ତାଙ୍କୁ ଘରୁ ବିଦା ହେବାକୁ ପଡ଼ିଛି।
ଏବେ ସେ ବିଲ ଗହୀର ମଝିରେ ଅତି ଅସହାୟ ଭାବେ ଜୀବନ ବିତାଉଛନ୍ତି। ଅସଜଡା ନଡାଘରେ ଦୟନୀୟଭାବେ ଜୀବନ ବିତାଉ ଥିବା ବ୍ୟକ୍ତି ଜଣକ ହେଉଛନ୍ତି ମହାକାଳପଡ଼ା ବ୍ଲକ୍ ରାମଚନ୍ଦ୍ରପୁର ଗାଁର ସହଦେବ ସେଠୀ ।
ଦିନ ରାତି ୨୪ ଘଣ୍ଟା ଅତି ଦୁଃସ୍ଥ ଭାବେ ତାଙ୍କ ଜୀବନ କଟୁଛି। କୁଷ୍ଠ ରୋଗରେ ପୀଡ଼ିତ ହୋଇଥିବା ଗାଁ ଲୋକେ ଜାଣିବା ପରେ ତାଙ୍କୁ ସାମାଜିକ ବାସନ୍ଦ ହେବାକୁ ପଡିଛି। ଏମିତିକି ନିଆଁ, ପାଣି ସବୁ ବନ୍ଦ୍ । ଫଳରେ ବାଧ୍ୟ ହୋଇ ସହଦେବଙ୍କ ପରିବାର ଲୋକେ ପାଣିଘେରା ଗହୀର ଦଣ୍ଡାରେ ସହଦେବଙ୍କ ପାଇଁ ତିଆରି କରିଛନ୍ତି ଏହି ଅସ୍ଥାୟୀ କୁଡିଆ।
ପ୍ରାୟ ୩ ବର୍ଷ ତଳେ କୁଷ୍ଠ ରୋଗରେ ଆକ୍ରାନ୍ତ ହୋଇଥିଲେ ସହଦେବ। ପରେ ଚିକିତ୍ସା ପାଇଁ ଯାଇଥିଲେ କଟକ ଏସ୍ସିବି। ହେଲେ ପାଖରେ ଟଙ୍କା ନ ଥିବାରୁ ଅଧାରୁ ତାଙ୍କୁ ହସ୍ପିଟାଲରୁ ଫେରାଇ ଦିଆଯାଇଥିବା କହିଛନ୍ତି ସହଦେବ। ଡାକ୍ତରଖାନାରୁ ଫେରି ପରିବାର ଲୋକଙ୍କ ସହାୟତା ଓ ସହାନୁଭୂତି ପାଇବାକୁ ଆଶା କରିଥିଲେ ସେ ।
ହେଲେ ତାହା ସମ୍ଭବ ହେଲାନି । ଓଲଟା କୁଷ୍ଠକୁ ନେଇ ଥିବା ଅନ୍ଧବିଶ୍ୱାସ ଯୋଗୁଁ ମିଳିଥିଲା ଗାଁ ଲୋକଙ୍କ ଲାଞ୍ଛନା । ସହଦେବଙ୍କ ପରିବାରକୁ ସାମାଜିକ ବାସନ୍ଦ ହେବାକୁ ପଡ଼ିଲା।
ତେଣୁ ଇଛା ନଥିଲେ ବି ବାଧ୍ୟ ହୋଇ ପରିବାରରୁ ଅଲଗା ହୋଇଥିଲେ ସହଦେବ। ଅଭାବ ଅନଟନରୁ ଚିକିତ୍ସା କରି ନ ପାରି ଏବେ ନିଜ ଭାଗ୍ୟକୁ ଆଦରି ଏକ ଭଙ୍ଗା କୁଡ଼ିଆରେ ପଡି ରହିଛନ୍ତି ସହଦେବ।
କିଏ ଭିକ କି ଭାତ ମୁଠେ ଦେଲେ ଖାଉଛନ୍ତି। ନ ହେଲେ ଓପାସ । ଏଭଳି ସ୍ଥିତିରେ କେବଳ ଠାକୁରଙ୍କୁ ଗୁହାରି କରିବା ବ୍ୟତୀତ ଯେମିତି ତାଙ୍କ ପାଖରେ ଅନ୍ୟ କିଛି ଉପାୟ ନାହିଁ ।
from OdishaReporter https://ift.tt/2KOIQkm
No comments:
Post a Comment