
ଜାକର୍ତ୍ତା: ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ମଧ୍ୟରେ ଇଣ୍ଡୋନେସିଆର ଜାକର୍ତ୍ତାରେ ଉଦ୍ଘାଟିତ ହୋଇଛି ୧୮ ତମ ଏସିଆନ୍ ଗେମ୍ସ। ଇଣ୍ଡୋନେସିଆ ରାଷ୍ଟ୍ରପତି ଜୋକ୍ ୱିଡୋଡୋ ଆନୁଷ୍ଠାନିକ ଭାବେ ଏସିଆର ସବୁଠାରୁ ବଡ଼ ଏହି ସ୍ପୋର୍ଟସ୍ ଇଭେଣ୍ଟକୁ ଉଦ୍ଘାଟନ କରିଛନ୍ତି। ଆସନ୍ତାକାଲି ଭାରତୀୟ ସମୟ ସକାଳ ୬.୩୦ରୁ ଜାକର୍ତ୍ତା ଓ ପାଲେମ୍ବାଙ୍ଗ ସହରରେ ଆନୁଷ୍ଠାନିକ ଭାବେ ଇଭେଣ୍ଟ ଆରମ୍ଭ ହେବ।
ଭାରତୀୟ ଦର୍ଶକ ଏସିଆନ୍ ଗେମ୍ସର ସିଧାପ୍ରସାରଣ ସୋନି ଟେନ୍ର ୧, ୨ ଓ ୩ରେ ଦେଖିପାରିବେ।

ସେପ୍ଟେମ୍ବର ୨ ଯାଏ ଚାଲିବାକୁ ଥିବା ଏହି କ୍ରୀଡ଼ା ମହାକୁମ୍ଭରେ ପାଖାପାଖି ୪୫ଟି ଦେଶର ୧୧ ହଜାର ପ୍ରତିଯୋଗୀ ଅଂଶ ଗ୍ରହଣ କରିଛନ୍ତି। ଏହି ପ୍ରତିଯୋଗୀମାନେ ୫୮ ପ୍ରକାର ଖେଳର ୬୭ଟି ଇଭେଣ୍ଟରେ ମେଡାଲ୍ ପାଇଁ ଲଢ଼େଇ କରିବେ।

ଆଜିର ଉଦ୍ଘାଟନୀ ସମାରୋହରେ ଭାରତର ତାରକା ଜାଭେଲିନ୍ ଥ୍ରୋୟର୍ ନୀରଜ ଚୋପ୍ରା ଧ୍ୱଜାବାହକ ସାଜିଥିଲେ। ନୀରଜଙ୍କ ପଛରେ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିଥିବା ୫୭୨ ଜଣ ଭାରତୀୟ ଆଥଲେଟ୍ ଷ୍ଟାଡିୟମରେ ଉପସ୍ଥିତ ଦର୍ଶକ ଓ ଅତିଥିଙ୍କୁ ଅଭିବାଦନ ଜଣାଇଥିଲେ।
ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଉତ୍ତର କୋରିଆ ଓ ଦକ୍ଷିଣ କୋରିଆ ଏକାଠି ମାର୍ଚ୍ଚପାଷ୍ଟ କରିଥିଲେ, ଯାହାକୁ ଦେଖି ଦର୍ଶକମାନେ ବେଶ ଉଲ୍ଲାସିତ ହୋଇଥିଲେ।
ଆଜିର ଉଦ୍ଘାଟନୀ ସମାରୋହ ପାଇଁ ୧୨୦ ମିଟର୍ ଲମ୍ବ, ୩୦ ମିଟର୍ ଓସାର ଓ ୨୬ ମିଟର୍ ଉଚ୍ଚ ଏକ ଆକର୍ଷଣୀୟ ଷ୍ଟେଜ୍ ନିର୍ମାଣ କରାଯାଇଥିଲା। ଷ୍ଟେଜ୍ ପଛରେ ଏକ ଟାୱାର ମଧ୍ୟ ନିର୍ମାଣ କରାଯାଇଥିଲା। ରାଷ୍ଟ୍ରପତି ୱିଡୋଡୋ ଏସିଆନ୍ ଗେମ୍ସ ଆରମ୍ଭ ହେଲା ବୋଲି ଘୋଷଣା କରିବା ମାତ୍ରେ ସମଗ୍ର ପରିବେଶ ଆତସବାଜିରେ ଫାଟି ପଡ଼ିଥିଲା।
ପତାକା ଉତ୍ତୋଳନ ପରେ ଇଣ୍ଡୋନେସିଆର ପ୍ରଖ୍ୟାତ କଣ୍ଠଶିଳ୍ପୀ ଓ ଗୀତିକାର ତୁଲୁସୁ ଜାତୀୟ ସଂଗୀତ ଗାଇଥିଲେ। ଅନ୍ୟତମ କଣ୍ଠଶିଳ୍ପୀ ସଜୋୟେ ଆଲେକଜାଣ୍ଡରଙ୍କ ଗୀତ ଷ୍ଟାଡିୟମରେ ଥିବା ଦର୍ଶକଙ୍କୁ ବେଶ ମତୁଆଲା କରିଥିଲା। ଏହାପରେ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା।
ଆସନ୍ତାକାଲି ଅସଲ ଲଢ଼େଇ ଆରମ୍ଭ ହେବା ପୂର୍ବରୁ ଆଜି ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ ରାଜ୍ୟବର୍ଦ୍ଧନ ସିଂହ ରାଠୋର ଓ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସମେତ ବହୁ ବ୍ୟକ୍ତିବିଶେଷ ଭାରତୀୟ କ୍ରୀଡ଼ାବିତଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

ଭାରତୀୟ ଖେଳାଳିମାନେ ଗତ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭଲ ପ୍ରଦର୍ଶନ କରି ମେଡାଲ୍ ତାଲିକାର ଦ୍ୱିତୀୟ ସ୍ଥାନରେ ରହିଥିଲେ। ତେଣୁ ଏସିଆନ୍ ଗେମ୍ସରେ ମଧ୍ୟ ଏହାର ପୁନରାବୃତ୍ତି ଘଟିବ ବୋଲି ଦେଶବାସୀ ଆଶା ରଖିଛନ୍ତି। ସେହିପରି ଓଡ଼ିଶାର ୧୨ ଜଣ ଖେଳାଳି ଏସିଆନ୍ ଗେମ୍ସରେ ଭାଗ ନେଉଥିବାରୁ ସେମାନଙ୍କ ଉପରେ ମଧ୍ୟ ରାଜ୍ୟବାସୀଙ୍କ ନଜର ରହିଛି।
from Odisha Reporter https://ift.tt/2PlnvT6
No comments:
Post a Comment