
ନୂଆଦିଲ୍ଲୀ: ପାକିସ୍ତାନର ନୂଆ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ଙ୍କ ଶପଥ ଗ୍ରହଣ ଉତ୍ସବରେ କ୍ରିକେଟ୍ରୁ ରାଜନେତା ହୋଇଥିବା ନଭଜୋତ୍ ସିଂହ ସିଦ୍ଧୁ ପାକ୍ ସେନା ପ୍ରମୁଖଙ୍କ ସହ କୋଳାକୋଳିକୁ ନେଇ ବିବାଦ ଲାଗି ରହିଛି। ଏହାକୁ ନେଇ ବିଜେପି ଉଭୟ ସିଦ୍ଧୁ ଏବଂ ରାହୁଲ ଗାନ୍ଧିଙ୍କୁ ଟାର୍ଗେଟ୍ କରିଥିବା ବେଳେ ସେ ମୁହଁ ଖୋଲିଛନ୍ତି।
ସେ କହିଛନ୍ତି, “ଆଗ ସିଟ୍ରେ ବସିଥିବା ଅତିଥିଙ୍କ ସହ ପାକିସ୍ତାନ ସେନାର ତିନି ପ୍ରମୁଖ ଭେଟ କରୁଥିଲେ। ଏହି ସମୟରେ ପାକିସ୍ତାନ ସେନା ମୁଖ୍ୟ ଜେନେରାଲ ବାଜୱା ଆସି ମୋ ସହ କୋଳାକୋଳି କରିବା ସହ କଥାବାର୍ତ୍ତା ହୋଇଥିଲେ।”
ସେ କହିଛନ୍ତି, “ସେ (ସେନା ମୁଖ୍ୟ) କହିଥିଲେ, ମୁଁ ଜେନେରାଲ୍, ହେଲେ କ୍ରିକେଟର୍ ହେବାକୁ ଚାହୁଁଥିଲି। ଏହାପରେ ଆମ ଭିତରେ କଥାବାର୍ତ୍ତା ଗମ୍ଭୀରତା ଆଡ଼କୁ ଯାଇଥିଲା। ସେ କହିଥିଲେ, ନଭଜୋତ୍ ଆମେ ଶାନ୍ତି ଚାହୁଁଛୁ। ଗୁରୁନାନକଙ୍କ ୫୦୦ତମ ଜୟନ୍ତୀରେ କର୍ତ୍ତାରପୁରରେ ଥିବା ‘ଗୁରୁଦ୍ୱାର ଦରବାର ସାହେବ’କୁ ରାସ୍ତା ଖୋଲି ଦିଆଯିବ।”
ସୂଚନାଯୋଗ୍ୟ, ଦୀର୍ଘଦିନ ହେବ ଶିଖ ସଂଗଠନ ‘ଗୁରୁଦ୍ୱାର ଦରବାର ସାହେବ’କୁ ନେଇ ପାକିସ୍ତାନ ସହ ଭାରତ ସରକାର ଆଲୋଚନା କରିବାକୁ ଦାବି କରି ଆସୁଛନ୍ତି।
ପାକିସ୍ତାନ ଜେନେରାଲ୍ଙ୍କ ସହ କରମର୍ଦ୍ଦନ କରିବାକୁ ନେଇ ବିଜେପି କଂଗ୍ରେସ୍ ଓ ସିଦ୍ଧୁଙ୍କୁ ଟାର୍ଗେଟ୍ କରିଥିଲା। ବିଜେପି ପ୍ରବକ୍ତା ସମ୍ବିତ ପାତ୍ର କହିଥିଲେ, “ଏହା କୌଣସି ସାଧାରଣ ଘଟଣା ନୁହେଁ। ସିଦ୍ଧୁ, ପଞ୍ଜାବ ସରକାରରେ ମନ୍ତ୍ରୀ ଅଛନ୍ତି। ପାକିସ୍ତାନ ଅଧିକୃତ କାଶ୍ମୀରର ରାଷ୍ଟ୍ରପତିଙ୍କ ପାଖରେ ତାଙ୍କୁ ଯେତେବେଳେ ବସାଗଲା, ସେ କାହିଁକି ଆପତ୍ତି ଉଠାଇଲେ ନାହିଁ‘ ?”
ସେ ପ୍ରଶ୍ନ କରିଥିଲେ, “ରାହୁଲଜୀ କ’ଣ ଆପଣ ସିଦ୍ଧୁଙ୍କୁ ପାକିସ୍ତାନ ଯିବାକୁ ଅନୁମତି ଦେଇଥିଲେ ? ଏବେ କ’ଣ ତାଙ୍କୁ ଦଳରୁ ବହିଷ୍କାର କରିବେ ? ଯେତେବେଳେ ପାକିସ୍ତାନ ଜେନେରାଲ କୋଳାକୋଳି କଲେ, କ’ଣ ତାଙ୍କୁ ସୀମାରେ ଶହୀଦ ହୋଇଥିବା ଭାରତୀୟ ଯବାନଙ୍କ କଥା ମନେ ପଡ଼ିଲା ନାହିଁ ?”
from Odisha Reporter https://ift.tt/2BquAic
No comments:
Post a Comment