
ନୂଆଦିଲ୍ଲୀ: ଗୁରୁବାର ରାଜ୍ୟସଭାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଇଥିବା ଏକ ଟିପ୍ପଣୀକୁ ରାଜ୍ୟସଭାର ରେକର୍ଡରୁ ହଟାଇ ଦିଆଯାଇଛି। ମୋଦିଙ୍କର ଏହି ଟିପ୍ପଣୀକୁ କଂଗ୍ରେସ ସଂସଦ ବିରୋଧୀ କହି ଆପତ୍ତି ଉଠାଇବା ପରେ ରାଜ୍ୟସଭା ଅଧ୍ୟକ୍ଷ ଭେଙ୍କିୟା ନାଇଡୁ ଏହାକୁ ରେକର୍ଡରୁ ହଟାଇ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି।
ଗୁରୁବାର ଏନ୍ଡିଏ ପ୍ରାର୍ଥୀ ହରିବଂଶ ନାରାୟଣ ସିଂହ ରାଜ୍ୟସଭା ଡେପୁଟି ଚେୟାର୍ମ୍ୟାନ୍ ନିର୍ବାଚନ ଜିତିବା ପରେ ମୋଦି ପ୍ରଥମେ ତାଙ୍କୁ ବଧାଇ ଜଣାଇଥିଲେ। ଏହାପରେ କଂଗ୍ରେସ୍ ପ୍ରାର୍ଥୀ ବିକେ ହରିପ୍ରସାଦଙ୍କ ଇଙ୍ଗିତ କରି ଏକ ଟିପ୍ପଣୀ ଦେଇଥିଲେ।
ସେ କହିଥିଲେ, “ନିର୍ବାଚନ ଦୁଇ ହରିଙ୍କ ମଧ୍ୟରେ ହୋଇଥିଲା। ଜଣେ ହରିଙ୍କ ନାଁ ପୂର୍ବରୁ କିଛି ନଥିଲା ବେଳେ ଆଉ ଜଣେ ହରିଙ୍କ ନାଁ ପୂର୍ବରୁ ‘ବିକେ’ ରହିଥିଲା।
ମୋଦିଙ୍କ ଏଭଳି ଟିପ୍ପଣୀକୁ ବିରୋଧ କରିଥିଲା କଂଗ୍ରେସ। କହିଥିଲା, ପ୍ରଧାନମନ୍ତ୍ରୀଙ୍କ ଏଭଳି ଶବ୍ଦ ଅତ୍ୟନ୍ତ ଅସୌଜନ୍ୟମୂଳକ। ଦେଶର ପ୍ରଧାନମନ୍ତ୍ରୀ ସଂସଦରେ ଏଭଳି ଅସୌଜନ୍ୟମୂଳକ ଶବ୍ଦ ବ୍ୟବହାର କରିବା ଅତ୍ୟନ୍ତ ଲଜ୍ଜାକର ବୋଲି କଂଗ୍ରେସ୍ ନେତା ଶଶି ଥରୁର କହିଥିଲେ।
ପ୍ରଧାନମନ୍ତ୍ରୀଙ୍କ ଟିପ୍ପଣୀକୁ ନେଇ ଏପରି ସମାଲୋଚନା ପରେ ରାଜ୍ୟସଭା ଅଧ୍ୟକ୍ଷ ଭେଙ୍କିୟା ନାଇଡୁ ଏହାକୁ ରେକର୍ଡରୁ ହଟାଇ ଦେହାକୁ ନିର୍ଦ୍ଦେଶ ଦେଇଥିଲେ। ଭେଙ୍କିୟାଙ୍କର ଏହି ନିଷ୍ପତ୍ତି ଉପରେ ଖୁସି ବ୍ୟକ୍ତ କରିଛି କଂଗ୍ରେସ୍।
ତେବେ ପ୍ରଧାନମନ୍ତ୍ରୀଙ୍କ କଥାକୁ ରେକର୍ଡରୁ ଡିଲିଟ୍ କରିବା ଘଟଣା ଦେଶରେ ନୂଆ ନୁହେଁ। ପୂର୍ବରୁ ୨୦୧୩ ମସିହାରେ ମଧ୍ୟ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ଓ ଅରୁଣ ଜେଟ୍ଲୀଙ୍କ ମଧ୍ୟରେ କଥା କଟାକଟି ହୋଇଥିଲା। ଏହାର କିଛି ଅଂଶକୁ ସଂସଦର ରେକର୍ଡରୁ ହଟାଇ ଦିଆଯାଇଥିଲା।
from OdishaReporter https://ift.tt/2OrmiZ0
No comments:
Post a Comment