
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପୂର୍ଣ୍ଣ ଅନୁଦାନ ଓ ଚାକିରି ସର୍ତ୍ତାବଳୀ ଦାବିରେ ରାଜଧାନୀର ରାଜରାସ୍ତାରେ ୧୩ ଦିନ ଧରି ଗର୍ଜନ କରୁଛନ୍ତି ଶିକ୍ଷକ। ହେଲେ ସରକାର ନିଦା ବିଷ୍ଣୁ ସାଜିଛନ୍ତି।
ସରକାରଙ୍କ ପାଖରେ ନିଜ ସ୍ୱରକୁ ପ୍ରଭାବଶାଳୀ ଢଙ୍ଗରେ ପହଞ୍ଚାଇବାକୁ ଶିକ୍ଷକମାନେ ଆନ୍ଦୋଳନର ତରିକା ବଦଳାଇଛନ୍ତି। ସେପ୍ଟେମ୍ବର ୬ରୁ ସ୍କୁଲ୍ ଓ କଲେଜରେ ତାଲା ପକାଇବା ଲାଗି ଧମକ ଦେଇଛନ୍ତି।
ଭୁବନେଶ୍ୱର ମହାତ୍ମାଗାନ୍ଧୀ ମାର୍ଗରେ ୧୩ ଦିନ ଧରି ଚାଲିଛି ଶିକ୍ଷକଙ୍କ ଅହୋରାତ୍ର ଆନ୍ଦୋଳନ। କିନ୍ତୁ ଏଯାଏ ରାଜ୍ୟ ସରକାର କୌଣସି ନିଷ୍ପତ୍ତି ନେଇନାହାନ୍ତି। ବ୍ଲକ୍ ଗ୍ରାଣ୍ଟ ସ୍କୁଲ୍ ଓ କଲେଜ ଶିକ୍ଷକଙ୍କ ଦାବି ସମ୍ପର୍କରେ ସରକାରଙ୍କ ପ୍ରତିଶ୍ରୁତି ପାଣିର ଗାର ହୋଇଛି।
ତେଣୁ ଆସନ୍ତା ଗୁରୁଦିବସକୁ ‘କଳା ଦିବସ’ ଭାବେ ପାଳନ କରିବ ରାଜ୍ୟ ସ୍କୁଲ୍ କଲେଜ ଶିକ୍ଷକ କର୍ମଚାରୀ ମିଳିତ ମଞ୍ଚ।
ଓଷ୍ଟା ସାଧାରଣ ସମ୍ପାଦନ ପ୍ରକାଶ ମହାନ୍ତି କହିଛନ୍ତି, “୧୩ ଦିନ ଧରି ଆମେ ଧାରଣାରେ ବସିଛୁ। ମାତ୍ର ରାଜ୍ୟ ସରକାର ଏଥିପ୍ରତି ତିଳେ ମାତ୍ର ନଜର ଦେଉନାହାନ୍ତି। ସେଥିପାଇଁ ଆମେ ଗୁରୁଦିବସକୁ କଳାଦିବସ ରୂପେ ପଳନ କରିବୁ।”
ସେହିପରି ସେପ୍ଟେମ୍ବର ୬ରୁ ସବୁ ବ୍ଲକ୍ ଗ୍ରାଣ୍ଟ ସ୍କୁଲ୍ କଲେଜରେ ତାଲା ପକାଇବା ଲାଗି ମିଳିତ ମଞ୍ଚ
ଚେତାବନୀ ଦେଇଛି। ଏହି ତରିକାରେ ରାଜ୍ୟ ସରକାରଙ୍କୁ ଘେରିବା ଲାଗି ଶିକ୍ଷକ ମାନେ ସମ୍ମତି ପ୍ରକାଶ କରିଛନ୍ତି।
ରାଜ୍ୟ ସ୍କୁଲ୍ କଲେଜ ଶିକ୍ଷକ ମିଳିତ ମଞ୍ଚ ଆବାହକ ଗୋଲକ ନାୟକ କହିଛନ୍ତି, “ଆସନ୍ତା ୫ ତାରିଖରେ ଆମେ ଗୁରୁ ସମାବେଶ କରିବୁ। ଏହିଠାରେ ହିଁ କଳାଦିବସ ପାଳନ କରାଯିବ। ୬ ତାରିଖରୁ ସ୍କୁଲ ଓ କଲେଜ ବନ୍ଦ ରହିବ।”
ଶିକ୍ଷକମାନେ ଧାରଣାରେ ଥିବାରୁ ଶିକ୍ଷା ଦାନ ବାଧାପ୍ରାପ୍ତ ହେଲାଣି। ୮୦ ଦଶକ ପରେ ପ୍ରଥମ ଥର ଲାଗି ପୁଣି ସ୍କୁଲ୍ କଲେଜରେ ଏକକାଳୀନ ତାଲା ପଡିବା ଭଳି ପରିସ୍ଥିତି ଉପୁଜିଲାଣି।
ଅପରପକ୍ଷେ,ସରକାରଙ୍କ ପାଖରେ ଏଯାଏ ଦାବି ପହଞ୍ଚିନି ବୋଲି ସ୍କୁଲ୍ ଓ ଗଣଶିକ୍ଷା ମନ୍ତ୍ରୀ ବଦ୍ରିନାରାୟଣ ପାତ୍ର କହିଛନ୍ତି।
from Odisha Reporter https://ift.tt/2Ly63aZ
No comments:
Post a Comment