
ବଲାଙ୍ଗିର (ସସ୍ମିତା ସାହୁ): “ମୋ କନିଆଁ ଆସୁଛି। ମୁଁ ତାକୁ ବାହା ହେବି। ଦେଖ ମୋ ଶାଳି ଓ ଦେଢ଼ଶାଳି ଆସୁଛି…।” ଏମିତି କହି ବାରମ୍ୱାର କମେଣ୍ଟ ମାରୁଥିଲା ଏକତରଫା ପ୍ରେମ କରୁଥିବା ଯୁବକ। ତେବେ ପ୍ରତିଦିନ ଏପରି କମେଣ୍ଟକୁ ହଜମ କରିପାରିଲେ ନାହିଁ ଯୁବତୀ। ଆଉ ନିର୍ଯାତନା ଅସହ୍ୟ ହେବାରୁ ସେ ବିଷ ପିଇ ଆତ୍ମହତ୍ୟା କରିଦେଲେ। ଏପରି ଅଭାବନୀୟ ଘଟଣାଟି ଘଟିଛି ବଲାଙ୍ଗିର ଜିଲ୍ଲାରେ। ପରିବାର ଲୋକଙ୍କ ଅଭିଯୋଗ ପରେ ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି। ତେବେ ଏକତରଫା ପ୍ରେମ କରୁଥିବା ସେହି ଅଭିଯୁକ୍ତ ଯୁବକଙ୍କ ସମ୍ପର୍କରେ ଏଯାଏ ପତ୍ତା ମିଳିନି।
ପୂରା ଘଟଣା ଏମିତି। ପୁଇଁନ୍ତଳା ଥାନା ଅଞ୍ଚଳର ଶିକାରବେହେଙ୍ଗା ଗାଁରେ ୪ ଝିଅଙ୍କ ସହ ରୁହନ୍ତି ସ୍ୱାମୀଙ୍କୁ ହରାଇଥିବା ଜଣେ ମହିଳା। ୪ ବର୍ଷ ତଳେ ସ୍ୱାମୀ ପ୍ରତାପ (ଛଦ୍ମନାମ)ଙ୍କ ମୃତ୍ୟୁ ପରେ ମାନସିକ ଭାରସାମ୍ୟ ହରାଇ ବସିଥିଲେ ପତ୍ନୀ। ଆଉ ପରିବାର ଚଳିବାରେ ଅସୁବିଧା ହେବାରୁ ୪ ଭଉଣୀ ପାଠ ପଢ଼ାରେ ଡୋରି ବାନ୍ଧି ମୂଲ ଲାଗିଲେ।
ତେବେ ହଠାତ ଏହି ପିତୃହରା ପରିବାର ଉପରେ ମାଡ଼ିଆସିଲା ଅଘଟଣର କଳା ବାଦଲ। ପ୍ରତାପଙ୍କ ଦ୍ୱିତୀୟ ଝିଅ ସ୍ମିତା (ଛଦ୍ମନାମ)କୁ ଏକତରଫା ଭଲ ପାଉଥିଲା ଜଣେ ଯୁବକ। ସ୍ମିତାଙ୍କ ବାରମ୍ୱାର ବାରଣ ସତ୍ତ୍ୱେ ସମ୍ପୃକ୍ତ ଯୁବକ ଗତ ଦୁଇ ବର୍ଷ ଧରି ତାଙ୍କ ପଛରେ ପଡ଼ିଥିଲା। ଏପରିକି ୭ ମାସ ତଳେ ସ୍ମିତାଙ୍କ ବିନା ଅନୁମତିରେ ତାଙ୍କର ଏକ ଫଟୋ ମଧ୍ୟ ଫେସ୍ବୁକ୍ରେ ଛାଡ଼ିଥିଲା। ଏହାକୁ ବିରୋଧ କରିବା ପରେ ଫଟୋଟିକୁ ଡିଲିଟ୍ ତ କରିଦେଇଥିଲା, କିନ୍ତୁ ପ୍ରତିକ୍ରିୟଶୀଳ ହୋଇ ସେ ସବୁବେଳେ ସ୍ମିତାଙ୍କୁ ରାସ୍ତାରେ ହଇରାଣ କରୁଥିଲା ଏପରିକି ଯିବାଆସିବା ସମୟରେ ସିଧାସଳଖ କହୁଥିଲା “ହେଇ ଦେଖ ମୋ କନିଆଁ ଆସୁଛି”।
ରବିବାର ଏହି ନିର୍ଯାତନା ସବୁ ସୀମା ଟିପି ଯାଇଥିଲା। ସ୍ମିତାଙ୍କ ସାନ ଭଉଣୀ ଗାଁ ମୁଣ୍ଡକୁ ପାଣି ଆଣିବାକୁ ଯାଇଥିବା ବେଳେ ଅଭିଯୁକ୍ତ ସମ୍ପୃକ୍ତ ତାଙ୍କୁ କମେଣ୍ଟ ମାରି ଥିଲା। ବାରମ୍ୱାର କହିଥିଲା “ଦେଖ ମୋ’ ଶାଳି ଆସୁଛି, ତା’ ଭଉଣୀକୁ ମୁଁ ବିହାହେବି”। ଏପରି କଥା ସ୍ମିତାର ସାନ ଭଉଣୀ ସହିପାରି ନ ଥିଲା। ଘରକୁ ଆସି କାନ୍ଦିଥିଲା। ଏହା ସ୍ମିତାଙ୍କୁ ମଧ୍ୟ ବହୁ ବାଧିଥିଲା। ଏଥିରେ ସେ ସମ୍ପୂର୍ଣ୍ଣ ଭାଙ୍ଗି ପଡ଼ିଥିଲେ। ଗତକାଲି ଘରେ କେହି ନଥିବାର ସୁଯୋଗ ନେଇ ସେ ବିଷ ପିଇ ଦେଇଥିଲେ। ଖବର ପାଇ ପଡୋଶୀ ତାଙ୍କୁ ବଲାଙ୍ଗିର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଆଜି ସକାଳେ ତାଙ୍କର ମୃତ୍ୟୁ ଘଟିଛି। ଏନେଇ ସଇଁତଳା ଥାନାରେ ଅଭିଯୋଗ ହେବା ପରେ ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।
from OdishaReporter https://ift.tt/2OQrtmu
No comments:
Post a Comment