
ନୂଆଦିଲ୍ଲୀ: ଭାରତର ନିର୍ବାଚିତ ସରକାରଙ୍କ ବିରୋଧରେ ମାଓବାଦୀମାନେ କରୁଥିବା ଷଡ଼ଯନ୍ତ୍ରର ଆଉ ଏକ ଫର୍ଦ୍ଦ ପୁଲିସ୍ ତଦନ୍ତ ବେଳେ ସାମ୍ନାକୁ ଆସିଥିବା କୁହାଯାଇଛି। ସିପିଆଇ(ମାଓବାଦୀ)ର ବରିଷ୍ଠ ଅର୍ବାନ ବା ସହରୀ ନେତାମାନେ ଅନେକ ଥର ଦୁଇ ଜଣ କଂଗ୍ରେସ ନେତାଙ୍କ ସହ ଆଲୋଚନା କରିଥିବା ପୁଲିସ୍ ତଦନ୍ତରୁ ଜଣାପଡ଼ିଛି।
ଏଥିସହ ଏହି ମାଓବାଦୀ ନେତାମାନେ ୨୦୧୭ ନଭେମ୍ବରରୁ ୨୦୧୮ ମେ’ ମାସ ଯାଏ ଅନେକ କଂଗ୍ରେସ ନେତାଙ୍କ ସହ ଯୋଗାଯୋଗରେ ଥିବା ପୁଲିସ୍ ଜାଣିବାକୁ ପାଇଛି।
ବର୍ତ୍ତମାନ କ୍ଷମତାରେ ଥିବା ସରକାରଙ୍କୁ ହିଂସା ଦ୍ୱାରା ଗାଦିଚ୍ୟୁତ କରିବାକୁ ମାଓବାଦୀମାନେ ଯୋଜନା କରୁଥିବା ଏବଂ ଏଥିପାଇଁ ସେମାନେ ମିଆଁମାରରେ ଥିବା ସହଯୋଗୀମାନଙ୍କଠାରୁ ଅସ୍ତ୍ରଶସ୍ତ୍ର ଆଣୁଥିବା ଖବର ଗୁଇନ୍ଦା ସଂସ୍ଥା ଜାଣିବାକୁ ପାଇଥିଲା।
ଏବେ ଭୀମା କୋରେଗାଓଁ ହିଂସାକାଣ୍ଡର ତଦନ୍ତ କରୁଥିବା ପୁଲିସ୍ ହାତରେ ମାଓବାଦୀ ଓ କଂଗ୍ରେସ ନେତାଙ୍କ ମଧ୍ୟରେ ଥିବା ‘ଲିଙ୍କ’ର ସୁରାକ୍ ଲାଗିଥିବା କୁହାଯାଉଛି।
ସୂଚନା ଅନୁଯାୟୀ, ମାଓବାଦୀମାନେ ମୁମ୍ବାଇ ଓ ଦିଲ୍ଲୀରେ କଂଗ୍ରେସ ନେତାଙ୍କ ସହ ନିୟମିତ ଆଲୋଚନା କରୁଥିଲେ। କେନ୍ଦ୍ରରେ କ୍ଷମତାସୀନ ସରକାର ବିରୋଧରେ ମାଓବାଦୀମାନେ କାର୍ଯ୍ୟ କରିବେ ଏବଂ ଏଥିପାଇଁ କଂଗ୍ରେସ ସେମାନଙ୍କୁ ଆର୍ଥିକ ଓ ଆଇନ୍ଗତ ସହଯୋଗ ଯୋଗାଇ ଦେବ ବୋଲି ବିସ୍ତୃତ ଭାବେ ଆଲୋଚନା ହୋଇଥିଲା। ମାଓବାଦୀଙ୍କ ସହ କଥା ହେବା ବେଳେ କଂଗ୍ରେସ ନେତାମାନେ ପ୍ରକ୍ସି ବା ଛାୟା ଫୋନ୍ ନମ୍ବର ବ୍ୟବହାର କରୁଥିଲେ ବୋଲି ପୁଲିସ୍ ଜାଣିବାକୁ ପାଇଛି।
ତେବେ ଏହା ଏକ ସମ୍ବେଦନଶୀଳ ଘଟଣା ହୋଇଥିବାରୁ କେଉଁ କେଉଁ କଂଗ୍ରେସ ନେତା ମାଓବାଦୀଙ୍କ ସହ ଲିଙ୍କ୍ ରଖିଛନ୍ତି, ତା’ର ବିସ୍ତୃତ ତଥ୍ୟ ପୁଲିସ୍ ସାର୍ବଜନୀନ କରିନାହିଁ।
ବର୍ତ୍ତମାନ ଗୃହବନ୍ଦୀ ହୋଇଥିବା ନକ୍ସଲ ସମର୍ଥକ ଭାବେ ନାମିତ ୫ ଜଣ ସାମାଜିକ କର୍ମୀଙ୍କୁ ପୁଲିସ୍ ନିଜ ହେପାଜତକୁ ନେବା ପରେ ସେମାନଙ୍କୁ ଏ ସଂକ୍ରାନ୍ତରେ ଜେରା କରାଯିବ। ଏହାପରେ ପୁଲିସ୍ କଂଗ୍ରେସର କିଛି ନେତାଙ୍କୁ ମଧ୍ୟ ସମନ୍ କରିବ ବୋଲି ଜଣେ ବରିଷ୍ଠ ପୁଲିସ୍ ଅଧିକାରୀ ସୂଚନା ଦେଇଛନ୍ତି।
from Odisha Reporter https://ift.tt/2PS4tEh
No comments:
Post a Comment