
ନୂଆଦିଲ୍ଲୀ/ପ୍ୟାରିସ୍: ଫ୍ରାନ୍ସଠାରୁ କିଣାଯିବାକୁ ଥିବା ରାଫେଲ୍ ଯୁଦ୍ଧ ବିମାନ୍ ଡିଲ୍କୁ ନେଇ ବିବାଦ ଦିନକୁ ଦିନ ବଢ଼ିବାରେ ଲାଗିଛି। ଏହି ଡିଲ୍କୁ ନେଇ ପୂର୍ବରୁ କାଠଗଡ଼ାରେ ଛିଡ଼ା ହୋଇଥିବା ଭାରତ ସରକାରଙ୍କ ଅଡ଼ୁଆକୁ ପୂର୍ବତନ ଫ୍ରାନ୍ସ ରାଷ୍ଟ୍ରପତି ଫ୍ରନ୍ସୁଆ ଓଲନ୍ଦ ଦୁଇଗୁଣିତ କରିଛନ୍ତି।
ସେ କହିଛନ୍ତି, ରାଫେଲ୍ ଯୁଦ୍ଧ ବିମାନ୍ ଚୁକ୍ତି ପାଇଁ ଭାରତ ସରକାର ଅନୀଲ ଅମ୍ବାନୀଙ୍କ ରିଲାଏନ୍ସ କମ୍ପାନୀର ନାମ ପ୍ରାସ୍ତାବ ଦେଇଥିଲେ ଏବଂ ବିମାନ ନିର୍ମାଣକାରୀ ଡାସଲ୍ଟ ଏଭିଏସନ୍ କମ୍ପାନୀ ପାଖରେ ଅନ୍ୟ କୌଣସି ବିକଳ୍ପ ନଥିବାରୁ ବାଧ୍ୟ ହୋଇ ଭାରତ ସରକାରଙ୍କ କଥାରେ ରାଜି ହୋଇଥିଲା।
ତେବେ ତାଙ୍କର ଏଭଳି ମନ୍ତବ୍ୟରେ କେତେ ସତ୍ୟତା ରହିଛି ତାକୁ ନେଇ ଉଠିଛି ପ୍ରଶ୍ନ। କାରଣ ଓଲନ୍ଦ ଯେଉଁ କଥା କହିଛନ୍ତି, ଏଥିରେ ସତ୍ୟତା ନଥିବା ବର୍ତ୍ତମାନର ଫ୍ରାନ୍ସ ସରକାର କହିଛନ୍ତି। ଫ୍ରାନ୍ସ ସରକାରଙ୍କ ପକ୍ଷରୁ କୁହାଯାଇଛି ଯେ ଭାରତ ସରକାରଙ୍କ କଥାରେ ଆମେ କାହାକୁ ବିମାନ ନିର୍ମାଣ ପାଇଁ ଦାୟିତ୍ୱ ଦେଇ ନଥିଲୁ। କେବଳ କେଉଁଭଳି ଉପଯୁକ୍ତ ଢଙ୍ଗରେ ଏବଂ ଉନ୍ନତ ମାନର ବିମାନ ଠିକଣା ସ୍ଥାନରେ ପହଞ୍ଚି ପାରିବ, ସେ ବ୍ୟବସ୍ଥା କରାଯାଇଥିଲା।

ଡାସଲ୍ଟ କମ୍ପାନୀ ମଧ୍ୟ ଏକ ବିବୃତି ଜରିଆରେ ଓଲନ୍ଦଙ୍କ କଥାରେ ସତ୍ୟତା ନଥିବା କହିଛି। କମ୍ପାନୀ ପକ୍ଷରୁ କୁହାଯାଇଛି ଯେ ରାଫେଲ୍ ଯୁଦ୍ଧ ବିମାନ ନିର୍ମାଣ ପାଇଁ ରିଲାଏନ୍ସ ଗ୍ରୁପ୍କୁ ପାର୍ଟନର କରିବା ପଛରେ କାହାର ଚାପ ନଥିଲା। କମ୍ପାନୀ ସ୍ୱଇଚ୍ଛାରେ ରିଲାଏନ୍ସକୁ ତା’ର ପାର୍ଟନର୍ କରିଥିଲା। ମେକ୍ ଇନ୍ ଇଣ୍ଡିଆ ଅଧୀନରେ ଏହାକୁ ନିର୍ମାଣ କରାଯିବାକୁ ଥିବାରୁ ଡାସଲ୍ଟ ରିଲାଏନ୍ସ ଗ୍ରୁପ୍କୁ ଏହାର ପାର୍ଟନର କରିଥିଲା। ଏହା ପଛରେ ଆଉ କିଛି ବି ଉଦ୍ଦେଶ୍ୟ ନଥିଲା।
ଏଭଳି ବିବୃତିରେ କିଏ ସତ କହୁଛି ଆଉ କିଏ ମିଛ କହୁଛି, ତାକୁ ନେଇ ବିବାଦ ଦେଖାଦେଇଛି।
ଅନ୍ୟପକ୍ଷରେ ପୂର୍ବତନ ରାଷ୍ଟ୍ରପତି ଓଲନ୍ଦ ଫ୍ରାନ୍ସ ସରକାର ଓ ଡାସଲ୍ଟ କମ୍ପାନୀର ସ୍ପଷ୍ଟୀକରଣ ପରେ ମଧ୍ୟ ଗତକାଲି ଦେଇଥିବା ମନ୍ତବ୍ୟରେ କାଏମ ରହିଛନ୍ତି।
ଓଲନ୍ଦଙ୍କ ମନ୍ତବ୍ୟକୁ ନେଇ ବିରୋଧୀ ଦଳଗୁଡ଼ିକ ଭାରତ ସରକାରଙ୍କ ଉପରେ ହମ୍ଲା କରି ଚାଲିଛନ୍ତି। କଂଗ୍ରେସ ଅଧ୍ୟକ୍ଷ ସିଧାସଳଖ ପ୍ରଧାନମନ୍ତ୍ରୀ ନରେନ୍ଦ୍ରଙ୍କୁ ଟାର୍ଗେଟ କରିଛନ୍ତି।
ସେ କହିଛନ୍ତି, ସେନା ଉପରେ ଏହା ଏକ ସର୍ଜିକାଲ ଷ୍ଟ୍ରାଇକ୍। ମୋଦି ଦେଶକୁ ବିକ୍ରି କରିଛନ୍ତି। ଦେଶର ମାଟି ସହ ବିଶ୍ୱାସଘାତକତା କରି ଧୋକା ଦେଇଛନ୍ତି। ରାଫେଲ୍ ଡିଲ୍ ଜରିଆରେ ମୋଦି ଓ ଅନୀଲ ଅମ୍ବାନୀ ସେନା ଉପରେ ୧.୩ ଲକ୍ଷ କୋଟି ଟଙ୍କାର ସର୍ଜିକାଲ୍ ଷ୍ଟ୍ରାଇକ୍ କରିଛନ୍ତି। ସେହିପରି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ମଧ୍ୟ ମୋଦି ସରକାରଙ୍କୁ ତୀବ୍ର ସମାଲୋଚନା କରିଛନ୍ତି।
from Odisha Reporter https://ift.tt/2OGZHZ2
No comments:
Post a Comment