
ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଗୋଟିଏ ପରେ ଗୋଟିଏ ବାଣ ମାରି ସରକାରଙ୍କୁ ଘାଇଲା କରୁଥିବା ଡା. ଦାମୋଦର ରାଉତଙ୍କ ମୁହଁରେ ଲଗାମ ଦେବାକୁ ବିଜେଡି ପ୍ରୟାସ ଆରମ୍ଭ କରିଛି। ଦାମଙ୍କ ବିରୋଧରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ପାଖରେ ଫେରାଦ ହୋଇ ଲିଖିତ ଅଭିଯୋଗ କରିଛନ୍ତି ଜଗତସିଂହପୁର ଜିଲ୍ଲା ସଭାପତି ବିଷ୍ଣୁ ଦାସ ଓ ବାଲିକୁଦା-ଏରସମା ବିଧାୟକ ପ୍ରଶାନ୍ତ ମୁଦୁଲି।
ଏରସମାରେ ଏକ ସଭାରେ କଂଗ୍ରେସ ଓ ବିଜେପି ନେତାଙ୍କ ସହ ମିଶି ଦାମ ଦଳ ବିରୋଧୀ ମନ୍ତବ୍ୟ ଦେଇଥିବା ଅଭିଯୋଗ କରିଛନ୍ତି ବିଷ୍ଣୁ। ତେଣୁ ଦାମଙ୍କୁ ଦଳରୁ ବହିଷ୍କାର ପାଇଁ ସେ ଦାବି କରିଛନ୍ତି।
ସେହିପରି ଦାମଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି ବିଧାୟକ ପ୍ରଶାନ୍ତ ମୁଦୁଲି।
ସେପଟେ ଏ ନେଇ ପ୍ରତିକ୍ରିୟା ରଖି ଦାମ କହିଛନ୍ତି,“କ’ଣ ବିଷ୍ଣୁ ଦାସଙ୍କ କଥାରେ ନବୀନ ବାବୁ ମୋତେ ବହିଷ୍କାର କରିଦେବେ? ଯାହାକୁ ଓଡ଼ିଆ ଓ ଇଂରାଜୀରେ ପଦେ ଜଣା ନାହିଁ। ତଥାପି ତାଙ୍କୁ ରାଜ୍ୟସଭାକୁ ପଠାଗଲା। ସେଠାରେ ସେ ଆଣ୍ଠେଇ ପଡ଼ିଲେ। ତାଙ୍କ ନାକରୁ ରକ୍ତ ପଡ଼ିଲା। ପରେ ତାଙ୍କୁ ଡେପୁଟି ପ୍ଲାନିଂ ବୋର୍ଡ଼ର ଚେୟାରମ୍ୟାନ କରାଯାଇଛି। ଓଡ଼ିଶାର ବଜେଟ୍ କେତେ ତାଙ୍କୁ ଜଣାନଥିବ।”
ସେ କହିଛନ୍ତି-“ବିଷ୍ଣୁଦାସ ଜିଲ୍ଲା ସଭାପତି ଅଛନ୍ତି। ସେ କେବେ ବି ଦିନଟିଏ ପାଇଁ କୌଣସି ନିର୍ବାଚନମଣ୍ଡଳୀରେ ବୈଠକ କରି ନାହାନ୍ତି। ଏପରିକି ମୋ ସହିତ କଥାବାର୍ତ୍ତା ହୁଅନ୍ତି ନାହିଁ। ତାହାର କାରଣ ହେଉଛି, ଯେତେବେଳେ ନବୀନ ପଟ୍ଟନାୟକ ବିଜେଡି ଗଠନ କଲେ, ସେତେବେଳେ ମୁଁ ଜନତା ଦଳରେ ଥିଲି। ସେହି ସମୟରେ ନବୀନ ପଟ୍ଟନାୟକଙ୍କ ସହ ବିଜୟ ମହାପାତ୍ରଙ୍କର ଗଣ୍ଡଗୋଳ ହେଲା। ପରେ ସେମାନେ ଦୁଇ ଭାଗ ହୋଇଗଲେ। ଠିକ୍ ସେତିକି ବେଳେ ନବୀନ ପଟ୍ଟନାୟକଙ୍କୁ କିଏ କେତେ କଣ କହିଥିଲେ। କିନ୍ତୁ ବିଷ୍ଣୁ ଦାସ ସବୁଠାରୁ ବଢ଼ିଆ କଥା କହିଥିଲେ। ସେ କହିଥିଲେ, ନବୀନ ପଟ୍ଟନାୟକ ବିଜୁ ପଟ୍ଟନାୟକଙ୍କ ଔରସରୁ ଜନ୍ମ ହୋଇନାହାନ୍ତି। ଏହା ଅତ୍ୟନ୍ତ କଦର୍ଯ୍ୟକଥା। ଏହି କଥା ଶୁଣିବା ପରେ ପ୍ୟାରୀ ମହାପାତ୍ର ତାଙ୍କୁ ଦଳରୁ ସସ୍ପେଣ୍ଡ କରିଥିଲେ। ସେହି ସମୟରେ ମୋତେ ଦଳରେ ମିଶାଯାଇଥିଲା। ପରେ ବିଷ୍ଣୁ ଦାସ କଳବଳ କୌଶଳ କରି ଦଳକୁ ଫେରିଲେ। ସେହି ଦିନଠାରୁ ସେ ଜିଲ୍ଲା ସଭାପତି ରହିଛନ୍ତି। ସେ ସବୁବେଳେ ମୋ ନିର୍ବାଚନମଣ୍ଡଳୀରେ ହସ୍ତକ୍ଷେପ କରନ୍ତି। ସେଠାରେ ଥିବା କଂଗ୍ରେସର ମୁଖିଆ ତାଙ୍କ ସମ୍ପର୍କରେ ରୁହନ୍ତି।”
ସେ ଆହୁରି କହିଛନ୍ତି-“ବିଷ୍ଣୁ ଦାସ ଜଣେ ଅସାମାଜିକ ଲୋକ। ରାଜନୀତିରେ ରହିବା ପାଇଁ ତାଙ୍କର କିଛି ଯୋଗ୍ୟତା ରହିଛି।ବିଷ୍ଣୁ ଫେରାଦ ହେଲେ କ’ଣ ମୁଖ୍ୟମନ୍ତ୍ରୀ ମୋତେ ଦଳରୁ ବହିଷ୍କାର କରିଦେବେ? ମୋତେ ପରା ରାତି ଅଧିଆ ମନ୍ତ୍ରିମଣ୍ଡଳରୁ ବହିଷ୍କାର କରାଯାଇଥିଲା। ଉପସଭାପତି ପଦରୁ ବି ବହିଷ୍କାର କରାଯାଇଥିଲା। ଦଳର କେଉଁ ସମ୍ୱିଧାନରେ ରହିଛି ଏପରି ବ୍ୟବସ୍ଥା, ସେମାନେ ଜାଣିଥିବେ। ବାକି ରହିଲା ଦଳରୁ ବହିଷ୍କାର କରିବା। ମୁଁ ରାଜନୀତି କରୁଥିବାରୁ ଲୋକଙ୍କ ସାଙ୍ଗରେ ରହିଛି। ଯେଉଁମାନେ ମୋ ବିରୋଧରେ ଅଭିଯୋଗ କରିବାକୁ ଯାଇଛନ୍ତି, ସେମାନେ ପୂର୍ବରୁ ନବୀନ ପଟ୍ଟନାୟକଙ୍କ ବିରୋଧରେ ଆନ୍ଦୋଳନ କରୁଥିଲେ। ସେମାନଙ୍କ ବିନା ପରାମର୍ଶରେ ଉପକୂଳରେ ବିଜେଡି ପାଦ ଥାପି ପାରିବ ନାହିଁ ବୋଲି ଧମକ ଦେଇଥିଲେ। ସେହି ସମୟରେ ନବୀନ ପଟ୍ଟନାୟକ, ଅନଙ୍ଗ ଉଦୟ ସିଂହଦେଓ ଓ ରାମକୃଷ୍ଣ ପଟ୍ଟନାୟକ ମୋତେ ଡାକି ଦଳରେ ମିଶାଇଥିଲେ। ସେତେକିବେଳେ ବିଜେଡି ଉପକୂଳ ଓଡ଼ିଶାରେ ପାଦ ଥାପିବା ପାଇଁ କ’ଣ ବ୍ୟବସ୍ଥା କରାଯାଇଥିଲା, ତାହା ନବୀନ ବାବୁ ଜାଣିଛନ୍ତି। ତାହା ପରେ ମଧ୍ୟ ଯଦି ନବୀନ ବାବୁ ମୋତେ ଦଳରୁ ବହିଷ୍କାର କରିଦେବେ, ସେଥିରେ ମୋର କ’ଣ ଯାଉଛି।”
from Odisha Reporter https://ift.tt/2x0GOIV
No comments:
Post a Comment