
ଭୁବନେଶ୍ୱର ( ଓଡ଼ିଶା ରିପୋର୍ଟର) : ଗତ ଦୁଇ ଦଶନ୍ଧି ଧରି ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ମଳ ଭାବମୂର୍ତିକୁ ପୁଞ୍ଜି କରି ଗୋଟିଏ ପରେ ଗୋଟିଏ ନିର୍ବାଚନୀ ସଫଳତା ଜିଣୁଥିବା ବିଜେଡି ଏବେ ଦିଶାହୀନ।ଦଳରେ ୨୭ଲକ୍ଷରୁ ଉର୍ଦ୍ଧ୍ଵ କର୍ମୀ ଓ ନେତା ଥିବା ଦାବି କରୁଥିବା ବିଜେଡି ନିଜର ମୁଖିଆଙ୍କୁ ସୁରକ୍ଷା ଦେବାକୁ ଆଗଭର ହୋଇପାରୁନି।
ଯେଉଁ ନବୀନଙ୍କ ଭରସାରେ ବିଜେଡି ନେତାମାନେ ନିର୍ବାଚନୀ ସଫଳତା ପାଉଛନ୍ତି ବୋଲି ଦାବି କରୁଛନ୍ତି ତାଙ୍କ ପ୍ରତି ବରିଷ୍ଠ ନେତା ଡାକ୍ତର ଦାମୋଦର ରାଉତ ଦେଇଥିବା କଟୁ ମନ୍ତବ୍ୟକୁ ବିରୋଧ କରିବା ତ ଦୂରର କଥା, ପ୍ରତିକ୍ରିୟା ଦେବାକୁ ବି ଉଚିତ୍ ମଣୁନାହାନ୍ତି।
ବିଜେଡିରୁ ବହିଷ୍କୃତ ହେବାପରେ ଡାକ୍ତର ରାଉତ ଦୁର୍ନୀତି ପ୍ରସଙ୍ଗରେ ସିଧାସଳଖ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଟାର୍ଗେଟ୍ କରି କହିଥିଲେ ଯେ ନବୀନ ଯେତେ ଶୀଘ୍ର ଓଡ଼ିଶାରୁ ଯିବେ, ରାଜ୍ୟର ମଙ୍ଗଳ। ସ୍ଥିତି ରକ୍ଷା ପାଇଁ ନୀତି ବଦଳାଉଥିବା ନେତା ହେଉଛନ୍ତି ନବୀନ ଓ ସମସ୍ତ ଦୁର୍ନୀତି ତାଙ୍କ ଜାଣତରେ ହୋଇଛି ବୋଲି ଡାକ୍ତର ରାଉତ କହିଥିଲେ।
ମାତ୍ର ଗତ ୨ଦିନ ତଳେ ଡାକ୍ତର ରାଉତଙ୍କ ଏଭଳି କଟୁ ସମାଲୋଚନା ବିରୁଦ୍ଧରେ ଏପର୍ଯ୍ୟନ୍ତ ବିଜେଡିର ଜଣେ ବି ନେତା ଏପର୍ଯ୍ୟନ୍ତ ମୁହଁ ଖୋଲିନାହାନ୍ତି।କିମ୍ବା ଡାକ୍ତର ରାଉତଙ୍କ ବୟାନର ପ୍ରତିବାଦ କରିନାହାନ୍ତି। ତେବେ ପ୍ରଶ୍ନ ଉଠୁଛି ଯେଉଁ ଦଳରେ ଦୁଇ ଡଜନରୁ ଅଧିକ ମୁଖପାତ୍ର, ଶହ ଶହ ଦଳୀୟ ପଦାଧିକାରୀ, ବିଧାୟକ ଓ ସାଂସଦ ଅଛନ୍ତି ସେଠାରେ ନିଜର ମୁଖିଆଙ୍କ ବିରୁଦ୍ଧରେ ଏଭଳି କଟୂ ମନ୍ତବ୍ୟକୁ ସେମାନେ କିଭଳି ସହ୍ୟ କଲେ?
ଏନେଇ ଦଳର ମୁଖପାତ୍ରଙ୍କୁ ପ୍ରଶ୍ନ କରାଯାଇଥିଲେ ମଧ୍ୟ ଆନୁଷ୍ଠାନିକ ଭାବେ ମତାମତ ଦେବାକୁ କେହି ରାଜି ହୋଇନଥିଲେ। ତେବେ ବିଜେଡିର ଜଣେ ବରିଷ୍ଠ ନେତାଙ୍କ କହିବା ଅନୁସାରେ, ଏହା ନିଶ୍ଚିତ ଭାବେ ଦୁଃଖଦାୟକ କଥା। ଦାମବାବୁ ବହିଷ୍କୃତ ହେବାପରେ ନିଜର ମତାମତ ରଖୁଛନ୍ତି କିନ୍ତୁ ଏତେବଡ଼ ଦଳରେ ଶହଶହ ନେତା ଥିବା ସତ୍ତ୍ୱେ ତାଙ୍କ କଥାକୁ କେହି ବିରୋଧ କରୁନାହାନ୍ତି।
ଯାହାଙ୍କ ‘ନିର୍ମଳ ଭାବମୂର୍ତ୍ତି’କୁ ପୁଞ୍ଜି କରି ତଥା ଯାହାଙ୍କ ନେତୃତ୍ୱରେ ବିଜେଡି ଆଉ ୪-୫ମାସ ପରେ ନିର୍ବାଚନକୁ ଓହ୍ଲାଇବାକୁ ଯାଉଛି ସେ ଓଡ଼ିଶା ଛାଡ଼ିଲେ ରାଜ୍ୟର ମଙ୍ଗଳ ହେବ ବୋଲି ଡାକ୍ତର ରାଉତ କହିବା ବେଶ୍ ଗୁରୁତ୍ୱ ବହନ କରୁଛି। ତେବେ ଉପରୁ (ତୃତୀୟ ମହଲା) ଏଥିପାଇଁ ନିର୍ଦ୍ଦେଶ ମିଳିନଥିବାରୁ କେହି ଗଣମାଧ୍ୟମ ଆଗରେ ମୁହଁ ଖୋଲିନଥିବା କୁହାଯାଉଛି।
ତେବେ ବିଜେଡିର ଭିତିରି ସୂତ୍ର ଅନୁସାରେ, ଦଳର ପରିଚାଳନା ଓ ଅମଲାଙ୍କ ଦାଦାଗିରିକୁ ନେଇ ଅଧିକାଂଶ ନେତା ଅସନ୍ତୁଷ୍ଟ। ନବୀନଙ୍କ ଆଦବକାଇଦା ଓ ଦ୍ୱିତୀୟ କ୍ଷମତାକେନ୍ଦ୍ରଙ୍କ ହାକିମାତିରେ ଅଧିକାଂଶ ନେତା ଅସନ୍ତୁଷ୍ଟ। ମାତ୍ର ଆଗକୁ ନିର୍ବାଚନ ଥିବାରୁ ଟିକେଟ୍ କଟିଯିବା ଭୟରେ କେହି ମୁହଁ ଖୋଲୁନାହାନ୍ତି। ନେତାଙ୍କ ପ୍ରତି ଦଳ ଭିତରେ କାହାରି ବି ମମତା ବା ଅନୁରକ୍ତି ନାହିଁ। କେବଳ ଅନ୍ୟଗତି ନ ଥିବାରୁ ସବୁ ସହି ଚୁପ ରହିବାକୁ ପଡୁଛି,ଯେଉଁଥିପାଇଁ ଡାକ୍ତର ରାଉତଙ୍କ ଏଭଳି ମନ୍ତବ୍ୟକୁ ବିରୋଧ କରିବା ନିମନ୍ତେ କୌଣସି ନେତା ସ୍ୱତଃ ଆଗଭର ବି ହୋଇନଥିଲେ।
ତେଣୁ ଦଳୀୟ ନେତାମାନଙ୍କ ଏଭଳି ଆଭିମୁଖ୍ୟରୁ ସ୍ପଷ୍ଟ ଜଣାପଡ଼ୁଛି ଯେ, ଦଳରେ ନବୀନଙ୍କ ପାଇଁ କେହି ନାହାନ୍ତି।କିମ୍ବା ଡାକ୍ତର ରାଉତ ଯାହାସବୁ କହିଛନ୍ତି ତାହା ଶତପ୍ରତିଶତ ସତ ବୋଲି ପରୋକ୍ଷରେ ବିଜେଡି ସ୍ୱୀକାର କରିଛି।
ତେବେ ଆଜି ସନ୍ଧ୍ୟାରେ ଦଳର ବରିଷ୍ଠ ଉପସଭାପତି ସୂର୍ଯ୍ୟନାରାୟଣ ପାତ୍ର କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀଙ୍କ ପ୍ରତି ଏଭଳି ଭାଷା ଦୁର୍ଭାଗ୍ୟଜନକ ଓ ଦୁଃଖଦାୟକ।ବିଜୁ ପରିବାର ଲୋକ ଏହାକୁ ନେଇ ମର୍ମାହତ। ଦାମବାବୁ ଅଭିଯୋଗ କରି ତଥ୍ୟ ଦେଇପାରୁନାହାନ୍ତି।
କେବଳ ସେତିକି ନୁହେଁ, ବିଜେଡିକୁ ଏବେ ଜଣେ ଅଫିସର ଓ ୩ଜଣ ବିଧାୟକ-ପ୍ରଣବ ପ୍ରକାଶ ଦାସ(ବବି), ଅରୁଣ ସାହୁ ଓ ଦେବାଶିଷ ସାମନ୍ତରାୟ ଚଳାଉଛନ୍ତି ବୋଲି ଡାକ୍ତର ରାଉତ କହିଥିଲେ।ଉକ୍ତ କଥାକୁ ମଧ୍ୟ ଦଳର କୌଣସି ନେତା ଆନୁଷ୍ଠାନିକ ଭାବେ ଖାରଜ କରିନାହାନ୍ତି। କିମ୍ବା ଏହି ତିନିଜଣ ତଥାକଥିତ ପ୍ରଭାବଶାଳୀ ବିଧାୟକ ବି ଡାକ୍ତର ରାଉତଙ୍କ ମନ୍ତବ୍ୟ ଉପରେ ପ୍ରତିକ୍ରିୟା ଦେବାକୁ ଉଚିତ୍ ମଣିନାହାନ୍ତି।
from Odisha Reporter https://ift.tt/2MyjdVN
No comments:
Post a Comment