
ପୁରୀ (ଓଡ଼ିଶା ରିପୋର୍ଟର): ରାଜ୍ୟରେ ନବୀନ ପଟ୍ଟନାୟକ ନେତୃତ୍ୱାଧୀନ ବିଜେଡି ସରକାରକୁ ଦୁର୍ନୀତି ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସିଧାସଳଖ ଟାର୍ଗେଟ୍ କରିବାର ଦିନକ ପରେ ବିଜେପି ଜାତୀୟ ଅଧ୍ୟକ୍ଷ ଅମିତ୍ ଶାହ ମଧ୍ୟ ଆକ୍ରମଣାତ୍ମକ ଆଭିମୁଖ୍ୟ ପୋଷଣ କରିଛନ୍ତି।
ପୁରୀରେ ବିଜେପିର ଜାତୀୟ ମହିଳା କାର୍ଯ୍ୟକାରିଣୀକୁ ସମ୍ବୋଧିତ କରି ଶ୍ରୀ ଶାହ କହିଛନ୍ତି ଯେ, ରାଜ୍ୟରେ ମହିଳା ନିର୍ଯାତନା ବଢ଼ିଚାଳିଛି। ବିକାଶରେ ଏକ ନମ୍ବର ହେବା ବଦଳରେ ଓଡ଼ିଶା ଏବେ ନାରୀ ନିର୍ଯାତନାରେ ନମ୍ବର-ୱାନ୍ ହୋଇଛି। ଓଡ଼ିଶାରେ ଦାରିଦ୍ର୍ୟ ପାଇଁ ନବୀନ ପଟ୍ଟନାୟକଙ୍କ ସରକାର ଦାୟୀ।
ଶାହ କହିଛନ୍ତି, ବିଜେଡିରେ ଆଉ ବିଜୁଙ୍କ ଆଦର୍ଶ ନାହିଁ। ଓଡ଼ିଶାରେ ନେତାଙ୍କ ହାତରେ ଶାସନ ଡୋରି ନାହିଁ। ଆଇଏଏସ୍, ଆଇପିଏସମାନେ ଓଡ଼ିଶାରେ ଶାସନ ନିୟନ୍ତ୍ରଣ କରୁଛନ୍ତି। ଅଫିସରଙ୍କ କଥାରେ ରାଜନେତାମାନେ ବସଉଠ ହେଉଛନ୍ତି। ଓଡ଼ିଶା ସରକାରଙ୍କୁ ଗୋଟିଏ ମୁହୂର୍ତ୍ତ ବି ଶାସନ କରିବାର ଅଧିକାର ନାହିଁ।
ଦୀର୍ଘ ୧୮ ବର୍ଷ ଧରି କ୍ଷମତାରେ ରହିବା କିଛି କମ୍ କଥା ନୁହେଁ। ଓଡ଼ିଶାବାସୀ କ୍ଷମତାରେ ରହିବା ପାଇଁ ଏଭଳି ସୁଯୋଗ ଦେଇଛନ୍ତି କିନ୍ତୁ ତା’ବଦଳରେ କ’ଣ ପାଇଛନ୍ତି?ମିଲରମାନଙ୍କ ସହ ମିଶି ଚାଷୀଙ୍କ ହକକୁ ଏ ସରକାର ଚଳୁ କରୁଛି। ଚାଷୀଙ୍କ ଟଙ୍କାକୁ ହଡ଼ପ କରାଯାଉଛି। ମିଲରମାନଙ୍କ ସହ ସମ୍ପର୍କ ରଖି ଚାଷୀଙ୍କୁ ଉଚିତ୍ ମୂଲ୍ୟରୁ ନବୀନ ପଟ୍ଟନାୟକ ସରକାର ବଂଚିତ କରୁଛି। ଯଦି ଚାଷୀଙ୍କୁ ଧାନ ଉପରେ ଦେଢ଼ଗୁଣା ସର୍ବନିମ୍ନ ସହାୟକ ମୂଲ୍ୟ ଦିଆନଯିବ, ତା’ହେଲେ ବିଜେପି କର୍ମକର୍ତ୍ତାମାନେ ନବୀନ ସରକାରକୁ ଗାଦିଚ୍ୟୁତ କରିଦେବେ।
ସେହିପରି ସମଗ୍ର ଦେଶରେ ଆୟୁଷ୍ମାନ ଯୋଜନା କାର୍ଯ୍ୟକାରୀ ହେଉଛି। ଏଥିରେ ଦଶ କୋଟିରୁ ଉର୍ଦ୍ଧ୍ଵ ପରିବାରକୁ ୫ଲକ୍ଷ ଟଙ୍କାର ସ୍ୱାସ୍ଥ୍ୟ ସହାୟତା ମିଳିବ ଓ ଗରିବ ଉପକୃତ ହେବେ। କିନ୍ତୁ ଓଡ଼ିଶାବାସୀ ଏହି ସୁବିଧା ପାଇବେ ନାର୍ହି। ନବୀନବାବୁ ଏଇଥିପାଇଁ ଭୟ କରୁଛନ୍ତି ଯେ ଏହା ଓଡ଼ିଶାରେ ଲାଗୁ ହେଲେ ଏହି ଯୋଜନା ଯୋଗୁ ମୋଦିଙ୍କ ଲୋକପ୍ରିୟତା ବଢ଼ିଯିବ। ନବୀନ ପଟ୍ଟନାୟକ ଲୋକଙ୍କ ପାଇଁ ନୁହେଁ, ବରଂ କ୍ଷମତାରେ ରହିବା କଥା ଚିନ୍ତା କରୁଛନ୍ତି । ଶାସନ ଗାଦିରେ ବସିବାର ଅଧିକାର ନବୀନ ବାବୁ ହରାଇ ସାରିଲେଣି।
ନବୀନଙ୍କୁ ପରୋକ୍ଷରେ ଚେତାବନୀ ଦେଇ ଶ୍ରୀ ଶାହ କହିଚନ୍ତି ଯେ ୨୦୧୯ରେ ଓଡ଼ିଶାରେ ନିର୍ବାଚନ ହେବ।ଆଉ ବିଜେଡିକୁ ହଟାଇ ବିଜେପି ରାଜ୍ୟରେ ଶାସନ କରିବ ଓ ସେତେବେଳେ ଆୟୁଷ୍ମାନ ଯୋଜନାକୁ ଓଡ଼ିଶାରେ ଲାଗୁ କରାଯିବ।
ସେ କହିଛନ୍ତି, ପ୍ରଧାନମନ୍ତ୍ରୀ ମୋଦି ୧୨୯ଟି ଯୋଜନା କରିଛନ୍ତି। କିନ୍ତୁ ମୋଦିଜୀ ଯେଉଁ ଟଙ୍କା ପଠାଉଛନ୍ତି ଏଠି ଅଫିସର ଓ ବିଜେଡି ନେତାମାନେ ତାକୁ ଖାଇ ଯାଉଛନ୍ତି। ମୋଦିଜୀ ମେକ୍ ଇନ୍ ଇଣ୍ଡିଆରେ ଲାଗି ପଡ଼ିଥିବା ବେଳେ କଂଗ୍ରେସ ଓ ବିଜେଡି ସମେତ ସବୁ ବିରୋଧୀ ଦଳ ଏବେ ବ୍ରେକ୍ ଇନ୍ ଇଣ୍ଡିଆରେ ଲାଗିପଡ଼ିଛନ୍ତି। ମୋଦି ମେକ୍ ଇନ୍ ଇଣ୍ଡିଆ କହୁଥିବାବେଳେ ବିରୋଧୀ ଏବେ ମୋଦି ହଟାଅ ବୋଲି ଚିତ୍କାର କରୁଛନ୍ତି।
ଆଜିର ମହିଳା ସମାବେଶକୁ ପ୍ରଶଂସା କରି ଶ୍ରୀ ଶାହ କହିଛନ୍ତି ଯେ ଭାରତରେ ପ୍ରଥମଥର ପାଇଁ ଏଭଳି ସମ୍ମିଳନୀ ହେଉଛି। ଏଠାକୁ ୨୧ ଲୋକସଭା,୧୪୭ ବିଧାନସଭା କ୍ଷେତ୍ର ଓ ୬୦୮୯୨ଟି ଶକ୍ତିକେନ୍ଦ୍ରରୁ ନେତ୍ରୀମାନେ ଆସିଛନ୍ତି। ଆମେ ମହାପ୍ରଭୁ ଜଗନ୍ନାଥଙ୍କ ଭୂମିରେ ୨୦୧୯ ବିଧାନସଭା ଓ ଲୋକସଭା ନିର୍ବାଚନ ପ୍ରସ୍ତୁତି ନିମନ୍ତେ ଏକଜୁଟ ହୋଇଛେ।ଆଜିର ସମାବେଶ ହିଁ ନବୀନ ସରକାର ବିରୋଧରେ ଥିବା ଜନଆକ୍ରୋଶର ପ୍ରତିବିମ୍ବ। ଆଜିର ସମାବେଶ ନବୀନ ସରକାର ପାଇଁ ମୃତ୍ୟୁର ଘଣ୍ଟି ସଦୃଶ ।
ଶ୍ରୀ ଶାହ ଦଳର ମହିଳା କର୍ମୀମାନଙ୍କୁ ଉତ୍ସାହିତ କରି ନିର୍ବାଚନ ପ୍ରସ୍ତୁତି ପାଇଁ ଲାଗିପଡ଼ିବାକୁ ଆହ୍ୱାନ ଦେଇଛନ୍ତି। ମୋଦିଙ୍କ ଦୂତ ସାଜି ଗାଁ ଗାଁକୁ ଯାଇ ଦଳକୁ ସୁଦୃଢ଼ କରିବା ଉପରେ ସେ ଗୁରୁତ୍ୱ ଦେଇଛନ୍ତି। ୨୦୧୪ରୁ ଆଜି ସୁଦ୍ଧା ୧୪ଜଣ ବିଜେପି କର୍ମକର୍ତ୍ତାଙ୍କୁ ରାଜ୍ୟରେ ହତ୍ୟା କରାଯାଇଛି । କିନ୍ତୁ ଏଥିରେ ବିଜେପି ଚପିଯିବନି । ବିଜେପିର ଇତିହାସ ହେଉଛି, ଯେତିକି ଦମନ କରିବାକୁ ଚେଷ୍ଟା କରାଯିବ ଦଳ ସେତେ ସୁଦୃଢ଼ ହେବ।
ଓଡ଼ିଶାରେ ନବୀନ ଶାସନ ବହୁତ ହୋଇଗଲା। ଓଡ଼ିଶାବାସୀ ନବୀନଙ୍କୁ ୧୮ବର୍ଷ ହେଲା ଶାସନ କ୍ଷମତା ଦେଇଛନ୍ତି। ଥରେ ମୋଦିଜୀଙ୍କୁ ଓଡ଼ିଶାର ଦାୟିତ୍ୱ ଦିଅନ୍ତୁ। ୫ବର୍ଷ ମଧ୍ୟରେ ଓଡ଼ିଶାକୁ ବିକାଶ କ୍ଷେତ୍ରରେ ଦେଶର ଏକ ନମ୍ବର ରାଜ୍ୟରେ ପରିଣତ କରାଯିବ ବୋଲି ଶ୍ରୀ ଶାହ କହିଛନ୍ତି।
ଏହି ସମାବେଶରେ ଜାତୀୟ ଓ ରାଜ୍ୟ ମହିଳା ମୋର୍ଚ୍ଚାର ପଦାଧିକାରୀଙ୍କ ସମେତ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଜୁଏଲ ଓରାମ, ବିଧାୟକ ଦଳ ନେତା କନକବର୍ଦ୍ଧନ ସିଂହଦେଓ ଓ ଅନ୍ୟାନ୍ୟ ବରିଷ୍ଠ ନେତାମାନେ ଉପସ୍ଥିତ ଥିଲେ।
from Odisha Reporter https://ift.tt/2Ds2LHn
No comments:
Post a Comment