
ଢେଙ୍କାନାଳ (ରାଜଶ୍ରୀ ଶତପଥୀ): ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଦୁଇଜଣ ଡାକ୍ତରଙ୍କ କଳିରୁ ଜଣେ ରୋଗୀଙ୍କୁ ଜୀବନ ହରାଇବାକୁ ପଡ଼ିଛି। ରୋଗୀଙ୍କୁ ଚିକିତ୍ସା କରିବା ପାଇଁ ଡାକ୍ତରଙ୍କ ମଧ୍ୟରେ ଯୁକ୍ତିତର୍କ ଯୋଗୁ ଚିକିତ୍ସାରେ ବିଳମ୍ବ ହୋଇଥିବାରୁ ରୋଗୀଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି।
ରୋଗୀଙ୍କ ସମ୍ପର୍କୀୟଙ୍କ ଅଭିଯୋଗ ଅନୁସାରେ ରୋଗୀଙ୍କ ଚିକିତ୍ସା କିଏ କରିବ, ସେ ନେଇ ଦୁଇ ଡାକ୍ତରଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ଫଳରେ ଠିକ୍ ସମୟରେ ରୋଗୀଙ୍କ ଚିକିତ୍ସା ନମିଳିବାରୁ ତାଙ୍କ ମୃତ୍ୟୁ ଘଟିଥିଲା।
ମୃତକ ଜଣଙ୍କ ହେଲେ ଗଁଦିଆ ଗୁଣ୍ଡୁରାପଶି ଗାଁର ତ୍ରୈଲୋକ୍ୟ ସାହୁ। ତ୍ରୈଲୋକ୍ୟଙ୍କ ଛାତିରେ ଯନ୍ତ୍ରଣା ହେବାରୁ ପରିବାର ଲୋକେ ତାଙ୍କୁ ଗଁଦିଆ ଶ୍ରୀରାମଚନ୍ଦ୍ରପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ସେଠାରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା।
ରୋଗୀ ଯନ୍ତ୍ରଣାରେ ଛଟପଟ ହେଉଥିବା ବେଳେ ସେଠାରେ ଦାୟିତ୍ୱରେ ଥିବା ଦୁଇ ଡାକ୍ତରଙ୍କ ମଧ୍ୟରୁ କିଏ ଚିକିତ୍ସା କରିବ, ତାକୁ ନେଇ ବଚସା ଆରମ୍ଭ ହୋଇଯାଇ ଥିଲା। ଏହାପରେ ଉଭୟ ଅଫିସ୍ ଭିତରକୁ ଯାଇ ନିଷ୍ପତ୍ତି କରି ଫେରିବା ବେଳକୁ ରୋଗୀଙ୍କ ମୃତ୍ୟୁ ଘଟି ସାରିଥିବା ମୃତ ତ୍ରୈଲୋକ୍ୟଙ୍କ ଭାଇ ରବିନାରାୟଣ ସାହୁ କହିଛନ୍ତି।
ଏନେଇ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ବାସୁଦେବ ବେହେରାଙ୍କୁ ଯୋଗାଯୋଗ କରାଯିବାରେ ସେ କହିଛନ୍ତି, “ମୋ ପାଖରେ ଅଭିଯୋଗ ହୋଇଛି। ଘଟଣାର ତଦନ୍ତ କରାଯାଇ ଯିଏ ଦୋଷୀ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।”
from Odisha Reporter https://ift.tt/2QgN9c3
No comments:
Post a Comment