
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ୱାଇଏସ୍ଆର୍ ନାମରେ ପରିଚିତ କଂଗ୍ରେସ ନେତା ତଥା ଆନ୍ଧ୍ରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଡ. ୟେଦୁଗୁରୀ ସନ୍ଦିନ୍ତି ରାଜ୍ଶେଖର ରେଡ୍ଡୀଙ୍କ ଶବକୁ ଖୋଜିବା ପାଇଁ ଦେଶର ସବୁଠାରୁ ବଡ଼ ସର୍ଚ୍ଚ ଅପରେସନ୍ କରାଯାଇଥିଲା। ସ୍ଥଳ ସେନା, ବାୟୁ ସେନା ଏମିତିକି ଭାରତୀୟ ମହାକାଶ ଗବେଷଣା କେନ୍ଦ୍ର ‘ଇସ୍ରୋ’ ମଧ୍ୟ ଏହି ସର୍ଚ୍ଚ ଅପରେସନ୍ରେ ସାମିଲ୍ ହୋଇଥିଲା। ତେବେ କ’ଣ ଥିଲା ସେ ଦିନର ଘଟଣା ଆସନ୍ତୁ ଜାଣିବା।
ଏହି ଘଟଣା ହେଉଛି ୨୦୦୯ ମସିହାର। ସେପ୍ଟେମ୍ବର ୨ ତାରିଖରେ ୱାଇଏସ୍ଆର୍ କିଛି ସହକର୍ମୀଙ୍କ ସହ ହାଇଦ୍ରାବାଦ୍ରୁ ଏକ ହେଲିକପ୍ଟର୍ ଯୋଗେ ଆନ୍ଧ୍ରପ୍ରଦେଶର ଚିତ୍ତୁର୍ ଜିଲ୍କାକୁ ଯାଉଥିଲେ। ହଠାତ୍ ସେରାଇ ସାଲେମ୍ ପାହାଡ଼ ନିକଟରେ ତାଙ୍କ ହେଲିକପ୍ଚର୍ ସହିତ ରେଡିଓ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଥିଲା।
ଏହାପରେ ହେଲିକପ୍ଟରକୁ ଖୋଜିବା ପାଇଁ ସଙ୍ଗେ ସଙ୍ଗେ ଦେଶର ସବୁଠାରୁ ବଡ଼ ସର୍ଚ୍ଚ ଅପରେସନ୍ ଆରମ୍ଭ ହୋଇଥିଲା। ବାୟୁସେନାର କମ୍ ଉଚ୍ଚତାରେ ଉଡ଼ୁଥିବା ବିମାନ, ଓ ଥର୍ମାଲ୍ ଇମୋଜିଙ୍ଗ୍ ପ୍ରଣାଳୀ ବିଶିଷ୍ଟ ସୁଖୋଇ ୩୦ ଏମ୍କେଆଇ ବିମାନ ୱାଇଏସ୍ଆର୍ଙ୍କ ହେଲିକପ୍ଟର୍କୁ ଖୋଜିବା କାମରେ ନିୟୋଜିତ କରାଯାଇଥିଲା।
ଖାଲି ସେତିକି ନୁହେଁ ‘ଇସ୍ରୋ’ ମଧ୍ୟ ସ୍ୟାଟେଲାଇଟ୍ ମାଧ୍ୟମରେ ସନ୍ଧାନ କାର୍ଯ୍ୟରେ ଲାଗିଥିଲା। ସର୍ଚ୍ଚ ଅପରେସନ୍ ପାଇଁ ସେତେବେଳର କେନ୍ଦ୍ର ସରକାର ୫ ହଜାର ସିଆର୍ପିଏଫ୍ ଯବାନଙ୍କୁ ନିୟୋଜିତ କରିଥିଲେ। ଏଥିସହିତ ଜଙ୍ଗଲ୍ର କୋଣ ଅନୁକୋଣ ସହିତ ପରିଚିତ ଥିବା ନକ୍ସଲ୍ ବିରୋଧୀ ଗ୍ରେହାଉଣ୍ଡ୍ ବଳ ମଧ୍ୟ ହେଲିକପ୍ଟର୍ ଖୋଜିବା କାମରେ ଲାଗିପଡ଼ିଥିଲେ।
ନିଖୋଜ୍ ହେବାର ୨୪ ଘଣ୍ଟା ବିତିଯିବା ପରେ, ସେପ୍ଟେମ୍ବର ୩ ତାରିଖରେ କରନୁଲ୍ଠାରୁ କିଛି ଦୂରରେ ଅବସ୍ଥିତ ରୁଦ୍ରଗୋଡ଼ା ପାହାଡ଼ରୁ ୱାଇ ଏସ୍ଆର୍ଙ୍କ ଶବ ମିଳିଥିଲା। ତାଙ୍କ ସହିତ ହେଲିକପ୍ଟର୍ରେ ଯାଉଥିବା ଅନ୍ୟ ଚାରିଜଣଙ୍କର ମଧ୍ୟ ମୃତ୍ୟୁ ହୋଇଥିଲା।
ଏହାପରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ୱାଇଏସ୍ଆର୍ଙ୍କ ସମେତ ୫ ଜଣଙ୍କର ମୃତ୍ୟୁ ହୋଇଥିବା ନେଇ ଘୋଷଣା କରାଯାଇଥିଲା।
ସଂକ୍ଷେପରେ ୱାଇଏସ୍ଆର୍-
୧୯୪୯ ମସିହା ଜୁଲାଇ ୮ ତାରିଖରେ ଜନ୍ମ ହୋଇଥିବା ୱାଇଏସ୍ଆର୍ କଂଗ୍ରେସର ଜଣେ ଟାଣୁଆ ନେତା ଥିଲେ। ସେ ୪ ଥର ହଡପ୍ପା ନିର୍ବାଚନ ମଣ୍ଡିଳୀରୁ ଲୋକସଭାକୁ ଓ ପୁଲିବେନ୍ଦୁଲାରୁ ପାଞ୍ଚଥର ବିଧାନସଭାକୁ ନିର୍ବାଚିତ ହୋଇଥିଲେ।
୨୦୦୩ ମସିହାରେ ସେ ସାରା ଆନ୍ଧ୍ରପ୍ରଦେଶରେ ଏକ ଚର୍ଚିତ ପଦଯାତ୍ରା କରିଥିଲେ। ୨୦୦୪ରୁ ୨୦୦୯ ମସିହା ପର୍ଯ୍ୟନ୍ତ ସେ ଆନ୍ଧ୍ରପ୍ରଦେଶର ମୁଖ୍ୟମନ୍ତ୍ରୀ ଥିଲେ। ଶେଷ ସମୟ ପର୍ଯ୍ୟନ୍ତ ସେ ଆନ୍ଧ୍ରପ୍ରଦେଶରେ କଂଗ୍ରେସର ଗଡ଼ ସମ୍ଭାଳିଥିଲେ।
from Odisha Reporter https://ift.tt/2Mu4ds8
No comments:
Post a Comment