
ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଏହା ସତ ଯେ ମେକ୍ଅପ୍ ନେବା ଦ୍ୱାରା ମହିଳାଙ୍କ ସୌନ୍ଦର୍ଯ୍ୟ ବୃଦ୍ଧି ପାଇଥାଏ। କିନ୍ତୁ ଏହା ମଧ୍ୟ ସତ, ମହିଳାମାନେ ମେକ୍ଅପ୍ ନେବାରେ ଯେତିକି ରୁଚି ରଖିଥା’ନ୍ତି, ମେକ୍ଅପ୍ ଉତ୍ତାରିବାରେ ସେତିକି ରୁଚି ରଖି ନଥା’ନ୍ତି। ମେକ୍ଅପ୍କୁ ଠିକ୍ ଭାବରେ ସଫା ନକଲେ,ଏହା ଶରୀର ଉପରେ ଖରାପ ପ୍ରଭାବ ପକାଇବାର ଆଶଙ୍କା ରଖିଥାଏ।
ଶରୀରରେ ହଜାର ହଜାର ସଂଖ୍ୟାରେ ଥିବା ଲୋମଛିଦ୍ର ଜରିଆରେ ହିଁ ଶରୀରକୁ ଅମ୍ଳଜାନ ପହଞ୍ଚିଥାଏ। କିନ୍ତୁ ଆମେ ଯେତେବେଳେ ମେକ୍ଅପ୍ କରୁ, ସେତେବେଳେ ତ୍ୱଚା ଉପରେ ମେକ୍ଅପ୍ର ଏକ ହାଲ୍କା ପରସ୍ତ ବସିଯାଏ। ଯାହାଦ୍ୱାରା ଲୋମଛିଦ୍ର ବନ୍ଦ ହୋଇଯାଏ ଏବଂ ରକ୍ତସନ୍ଧିର କ୍ରିୟା ମଧ୍ୟ ଠିକ୍ ଭାବରେ ହୁଏ ନାହିଁ।
ଡାକ୍ତରଙ୍କ ମତରେ, ଚେହେରାରେ ଅଧିକ ସମୟ ମେକ୍ଅପ୍ ରହିଲେ, ତ୍ୱଚାର କୋଷିକାଗୁଡ଼ିକ ମୃତପ୍ରାୟ ହୋଇଯାଆନ୍ତି।
ଲୋମଛିଦ୍ର ବନ୍ଦ ହୋଇଯିବା ଯୋଗୁ ଚେହେରାରେ ବ୍ରଣ, ଦାଗ ଆଦି ସମସ୍ୟା ଦେଖାଯାଇଥାଏ। ଆଖିରେ ପୋଡ଼ାଜଳା ହୁଏ ଏବଂ ଓଠ ଫାଟେ। ତେଣୁ ଏ ବିଷୟରେ ସଚେତନ ରହିବା ଆବଶ୍ୟକ ଯେ ଯେମିତି ଦୀର୍ଘ ସମୟ ମେକ୍ଅପ୍ ମୁହଁରେ ରହିବ ନାହିଁ।
ମେକ୍ଅପ୍ ଛଡ଼ାଇବା ପୂର୍ବରୁ କେଶକୁ ଟେକି କୁଣ୍ଡାଇ ଦିଅନ୍ତୁ। ଏହାପରେ ମୁହଁରେ କ୍ଲିନଜିଂ ମିଲ୍କ ଲଗାଇ ଚେହେରାର ପ୍ରତ୍ୟେକ ଅଙ୍ଗକୁ ପୋଛନ୍ତୁ। ଓଦା ତୁଳାକୁ ଚିପୁଡ଼ି ତଳୁ ଉପର ଆଡ଼କୁ ଓ ଉପର ଆଡୁ ତଳ ଆଡ଼କୁ ପୋଛି ଆଣନ୍ତୁ।
ଆଖିର ମେକଅପ୍ ଉତ୍ତାରିବା ସମୟରେ ଟିକିଏ ଅଧିକ ସାବଧାନତା ଅବଲମ୍ୱନ କରନ୍ତୁ। ମୁହଁରେ ଥିବା ତୈଳ ଅଂଶକୁ ଦୂର କରିବା ପାଇଁ ତୁଳାରେ କିଛି ଟୋନର୍ ନେଇ ପୋଛି ଦେଲେ, ଏହା ପରିଷ୍କାର ହୋଇଯିବ। ତା’ ପରେ ଭଲ ପାଣିରେ ମୁହଁକୁ ପରିଷ୍କାର କରନ୍ତୁ। ଋତୁ ଅନୁସାରେ ଆପଣ ଉଷୁମ ବା ଥଣ୍ଡା ପାଣି ବ୍ୟବହାର କରିପାରିବେ। ମେକ୍ଅପ୍ ଉତ୍ତାରିବା ପାଇଁ ତୁଳାର ବ୍ୟବହାର କଲେ ଭଲ। କିନ୍ତୁ ଚେହେରାର ପ୍ରତ୍ୟେକ ଅଙ୍ଗ ପାଇଁ ସ୍ୱତନ୍ତ୍ର ତୁଳା ବ୍ୟବହାର କରନ୍ତୁ।
ଅଧିକାଂଶ ମହିଳା କୌଣସି ପାର୍ଟି ବା ଫଙ୍କସନ୍ରୁ ଫେରି ମୁହଁକୁ ପରିଷ୍କାର ନକରି ଶୋଇ ଯାଆନ୍ତି। ଏହି ଛୋଟ ଅବହେଳା କିନ୍ତୁ ଆପଣଙ୍କୁ ଭବିଷ୍ୟତରେ ଅନେକ ସମସ୍ୟାରେ ପକାଇପାରେ।
ମୁଣ୍ଡରେ ଖୋସା କରିଥିଲେ, ଖୋସାରୁ ପିନ୍ ଆଦି କାଢ଼ି, କେଶକୁ କୁଣ୍ଡାଇ ଦିଅନ୍ତୁ। ଏହା ପରେ ମେକ୍ଅପ୍ ଉତ୍ତାରି ଶୋଇବାକୁ ଯାଆନ୍ତୁ।
ପ୍ରାୟ ପ୍ରତ୍ୟେକ ମହିଳା ପର୍ଫ୍ୟୁମ୍ ବ୍ୟବହାର କରିଥା’ନ୍ତି। ଯଦି ମେକଅପ୍ ଉତ୍ତରା ନଯାଏ, ତେବେ ପର୍ଫ୍ୟୁମ୍ର ଗନ୍ଧ ଝାଳସହ ମିଶିଯାଏ ଓ ପରେ ମୁଣ୍ଡବିନ୍ଧା ଭଳି ସମସ୍ୟା ଦେଖାଯାଏ। ମୁହଁରେ ବିନ୍ଦି ଲଗାଇଥିଲେ, ଏହାକୁ କାଢ଼ି ରଖିଦେଇ ଭଲଭାବେ ମୁହଁକୁ ପରିଷ୍କାର କରନ୍ତୁ। ମେକ୍ଅପ୍ ଉତ୍ତାରିଲେ, ନିଜକୁ ସୁସ୍ଥ ଓ ସତେଜ ଲାଗିବ ତଥା ଚେହେରା ପରିଷ୍କାର ରହିବ।
from Odisha Reporter https://ift.tt/2OfhVUF
No comments:
Post a Comment