
ନୂଆଦିଲ୍ଲୀ: ଏଣିକି ଦେଶର ସମସ୍ତ ଉଚ୍ଚତର ଶିକ୍ଷା ପ୍ରତିଷ୍ଠାନ, ଇନ୍ଷ୍ଟିଚ୍ୟୁଟ୍ ଓ ବିଶ୍ୱବିଦ୍ୟାଳୟରେ ସେପ୍ଟେମ୍ବର ୨୯କୁ ସର୍ଜିକାଲ୍ ଷ୍ଟ୍ରାଇକ୍ ଦିବସ ଭାବେ ପାଳନ କରାଯିବ। ଏ ନେଇ ଆଜି ବିଶ୍ୱବିଦ୍ୟାଳୟ ଗ୍ରାଣ୍ଟ କମିଶନ୍(ୟୁଜିସି) ଦେଶର ସମସ୍ତ ବିଶ୍ୱବିଦ୍ୟାଳୟ ଓ ଶିକ୍ଷାନୁଷ୍ଠାନକୁ ନିର୍ଦ୍ଦେଶନାମା ପଠାଇଛି।
ଭାରତୀୟ ସେନା ୨୦୧୬ ସେପ୍ଟେମ୍ବର ୨୯ରେ ପାକିସ୍ତାନ ସୀମାରେ ପ୍ରବେଶ କରି ସର୍ଜିକାଲ୍ ଷ୍ଟ୍ରାଇକ୍ କରିଥିଲା। ସେନାର ଏହି ବୀରତ୍ୱପୁର୍ଣ ପଦକ୍ଷେପକୁ ମନେରଖିବା ପାଇଁ ୟୁଜିସି ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଛି।
ସର୍ଜିକାଲ ଷ୍ଟ୍ରାଇକ୍ ଦିବସ ଦିନ ପ୍ରତିଟି ବିଶ୍ୱବିଦ୍ୟାଳୟ ଓ ଶିକ୍ଷାନୁଷ୍ଠାନରେ ପୂର୍ବତନ ସେନା ଅଧିକାରୀମାନଙ୍କୁ ନେଇ ଟକ୍ ଶୋ କାର୍ଯ୍ୟକ୍ରମ ଓ ଯବାନଙ୍କ ବୀରତ୍ୱକୁ ସମ୍ମାନ ଜଣାଇବା ପାଇଁ ସ୍ୱତନ୍ତ୍ର ପ୍ୟାରେଡ୍ର ମଧ୍ୟ ଆୟୋଜନ କରାଯିବ। ଏଥିସହ ପରସ୍ପରକୁ ସମସ୍ତେ ଏହି ଦିନ ଶୁଭେଚ୍ଛା ମଧ୍ୟ ଜଣାଇବେ।
ୟୁଜିସି ପକ୍ଷରୁ ଦେଶର ସମସ୍ତ ବିଶ୍ୱବିଦ୍ୟାଳୟର କୁଳପତିମାନଙ୍କୁ କୁହାଯାଇଛି ଯେ “ ସମସ୍ତ ବିଶ୍ୱବିଦ୍ୟାଳୟର ଏନ୍ସିସି ୟୁନିଟ୍ ସେପ୍ଟେମ୍ବର ୨୯ରେ ସ୍ୱତନ୍ତ୍ର ପ୍ୟାରେଡ୍ କାର୍ଯ୍ୟକ୍ରମ କରିବେ। ଏହାପରେ ଏନ୍ସିସି କମାଣ୍ଡର ସୀମା ସୁରକ୍ଷା କଥା ସମସ୍ତଙ୍କୁ ଜଣାଇବେ। ଯବାନମାନଙ୍କ ବଳିଦାନ ସମ୍ପର୍କରେ ଛାତ୍ରଛାତ୍ରୀଙ୍କୁ ଅବଗତ କରାଇବା ପାଇଁ ବିଶ୍ୱବିଦ୍ୟାଳୟ ପକ୍ଷରୁ ପୂର୍ବତନ ସେନା ଅଧିକାରୀଙ୍କୁ ନିମନ୍ତ୍ରଣ କରାଯାଇ କାର୍ଯ୍ୟକ୍ରମ କରାଯିବ।”
ୟୁଜିସି ପକ୍ଷରୁ ଜାରି କରାଯାଇଥିବା ଚିଠିରେ ଆହୁରି କୁହାଯାଇଛି ଯେ ସେପ୍ଟେମ୍ବର ୨୯ରେ ଇଣ୍ଡିଆ ଗେଟ୍ ନିକଟରେ ଏକାଧିକ ପ୍ରଦର୍ଶନୀ କାର୍ଯ୍ୟକ୍ରମର ଆୟୋଜନ କରାଯିବ। ସମାନଧରଣର ପ୍ରଦର୍ଶନୀ କାର୍ଯ୍ୟକ୍ରମ ରାଜ୍ୟ, କେନ୍ଦ୍ର ଶାସିତ ଅଞ୍ଚଳ ଓ ଗୁରୁତ୍ୱପୂର୍ଣ୍ଣ ସହରରେ ମଧ୍ୟ କରାଯିବ।
ଶିକ୍ଷାନୁଷ୍ଠାନ ଗୁଡ଼ିକ ଛାତ୍ରଛାତ୍ରୀ ଏବଂ ଅଭିଭାବକମାନଙ୍କୁ ଏହି ପ୍ରଦର୍ଶନୀକୁ ବୁଲିବାକୁ ପ୍ରୋତ୍ସାହିତ କରିବା ଦରକାର ବୋଲି ଚିଠିରେ ଉଲ୍ଲେଖ କରାଯାଇଛି। ଯବାନମାନଙ୍କ ମନୋବଳ ବୃଦ୍ଧି କରିବା ପାଇଁ ଛାତ୍ରଛାତ୍ରୀମାନେ ଶୁଭେଚ୍ଛା ବାର୍ତ୍ତା ମଧ୍ୟ ପଠାଇପାରିବେ। ଏହି ଶୁଭେଚ୍ଛା ବାର୍ତ୍ତାକୁ ପ୍ରତିରକ୍ଷା ମନ୍ତ୍ରାଳୟର ପିଆର୍ଓ କିମ୍ବା ପିଆଇବିକୁ ପଠାଇଲେ, ଏହା ଗଣମାଧ୍ୟମରେ ପ୍ରକାଶ ପାଇବ।
from Odisha Reporter https://ift.tt/2OMcf1a
No comments:
Post a Comment