
ନୂଆଦିଲ୍ଲୀ: ଏଣିକି ସୁପ୍ରିମକୋର୍ଟରେ ଚାଲୁଥିବା ମାମଲା ଗୁଡ଼ିକର ସିଧାପ୍ରସାରଣ ହେବ। ଏ ସଂକ୍ରାନ୍ତ ଏକ ଆବେଦନର ଶୁଣାଣି କରି ସୁପ୍ରିମକୋର୍ଟ ଆଜି ଏଭଳି ରୁଲିଂ ଦେଇଛନ୍ତି। ତେବେ ମାମଲାର ସିଧାପ୍ରସାରଣ ବେଳେ ଯେଉଁଭଳି ଜଣେ ବ୍ୟକ୍ତିଙ୍କ ମାନସମ୍ମାନରେ କୌଣସି ଆଞ୍ଚ୍ ନ ଆସେ, ସେଦିଗରେ ଖୁବ୍ଶୀଘ୍ର ନିର୍ଦ୍ଦେଶାବଳୀ ପ୍ରଣୟନ କରାଯିବ ବୋଲି ସର୍ବୋଚ୍ଚ ଅଦାଲତ ନିର୍ଦ୍ଦେଶ ଦେଇଛନ୍ତି।
ମାମଲାର ବିଚାରରେ ସ୍ୱଚ୍ଛତା ଓ ଲୋକଙ୍କ ସ୍ୱାର୍ଥ ଦୃଷ୍ଟିରୁ ଏଭଳି ସିଧାପ୍ରସାରଣ ନିଷ୍ପତ୍ତି ନିଆଯାଇଛି ବୋଲି ସୁପ୍ରିମକୋର୍ଟ କହିଛନ୍ତି। ପ୍ରାଥମିକ ପର୍ଯ୍ୟାୟରେ ପ୍ରଧାନ ବିଚାରପତିଙ୍କ କୋର୍ଟରେ ହେଉଥିବା ଗୁରୁତ୍ୱପୂର୍ଣ୍ଣ ମାମଲାର ସିଧାପ୍ରସାରଣ କରାଯିବ ବୋଲି ସର୍ବୋଚ୍ଚ ଅଦାଲତ ରୁଲିଂ ଦେଇଛନ୍ତି।
ସୂର୍ଯ୍ୟ କିରଣ ହେଉଛି ସବୁଠାରୁ ଭଲ ରୋଗାଣୁନାଶକ। ତେଣୁ କୋର୍ଟ ଭିତରେ ମାମଲା ପରିଚାଳନା ବେଳେ କ’ଣ ଘଟୁଛି, ସେକଥା ଲୋକମାନେ ସିଧାସଳଖ ଜାଣିବା ଦରକାର ବୋଲି ପ୍ରଧାନ ବିଚାରପତି ଜଷ୍ଟିସ୍ ଦୀପକ ମିଶ୍ର, ଜଷ୍ଟିସ୍ ଡିୱାଇ ଚନ୍ଦ୍ରଚୂଡ଼ ଓ ଜଷ୍ଟିସ୍ ଏଏମ୍ ଖାନ୍ୱିଲକରଙ୍କୁ ନେଇ ଗଠିତ ଖଣ୍ଡପୀଠ ସିଧାପ୍ରସାରଣ ସମ୍ପର୍କରେ ନିର୍ଦ୍ଦେଶ ଦେବା ବେଳେ କହିଛନ୍ତି।
ପୂର୍ବରୁ ସର୍ବୋଚ୍ଚ ଅଦାଲତ ସିଧାପ୍ରସାରଣ ସପକ୍ଷରେ ମତ ଦେବା ସହ ବର୍ତ୍ତମାନର ସମୟ ଏପରି କରିବାକୁ ଆହ୍ୱାନ ଦେଇଛି ବୋଲି କହିଥିଲେ।
ଅଗଷ୍ଟ ୨୪ରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଆଟର୍ଣ୍ଣି ଜେନେରାଲ୍ କେକେ ଭେନୁଗୋପାଲ୍ ସୁପ୍ରିମକୋର୍ଟରେ ହାଜର ହୋଇ ନିଜର ପକ୍ଷ ରଖିଥିଲେ। ସେ କହିଥିଲେ, କୋର୍ଟ ପରିଚାଳନାର ସିଧାପ୍ରସାରଣ କାର୍ଯ୍ୟକ୍ରମକୁ ପାଇଲଟ୍ ପ୍ରୋଜେକ୍ଟ ଭାବେ ପ୍ରଧାନ ବିଚାରପତିଙ୍କ କୋର୍ଟରୁ ପରୀକ୍ଷା ମୂଳକ ଭାବେ ଆରମ୍ଭ କରାଯିବା ଦରକାର। ବିଶେଷ କରି ସାମ୍ବିଧାନ ଖଣ୍ଡପୀଠ ହେଉଥିବା ମାମଲା ଶୁଣାଣି ସିଧାପ୍ରସାରଣ କରାଯିବା ଉଚିତ୍।
ବରିଷ୍ଠ ଆଇନ୍ଜୀବୀ ଇନ୍ଦିରା ଜୟସିଂ, ଆଇଆଇଟି ଛାତ୍ର ସ୍ନେହିଲ ତ୍ରିପାଠୀ ଓ ଗୋଟିଏ ଏନ୍ଜିଓ ପକ୍ଷରୁ ସୁପ୍ରିମକୋର୍ଟରେ ଶୁଣାଣି ହେଉଥିବା ମାମଲାର ସିଧାପ୍ରସାରଣ କରାଯିବା ଦରକାର ବୋଲି ଆବେଦନ କରିଥିଲେ।
from Odisha Reporter https://ift.tt/2xBYqMs
No comments:
Post a Comment