
ମୁମ୍ବାଇ: ପ୍ରେମ ଓ ପ୍ରତାରଣାର ଏକ କରୁଣ ରୂପ ମହାରାଷ୍ଟ୍ରର ଖାରାଡିରେ ଦେଖିବାକୁ ମିଳିଛି। ଜଣେ ଯୁବକ ତାଙ୍କ ପୂର୍ବତନ ପ୍ରେମିକାଙ୍କୁ ତଣ୍ଟି ଚିପି ହତ୍ୟା କରିଛନ୍ତି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ପ୍ରେମିକାଙ୍କ ୧୯ ତମ ଜନ୍ମଦିନରେ ହିଁ ପୂର୍ବତନ ପ୍ରେମିକ ଜଣଙ୍କ ତାଙ୍କୁ ମୃତ୍ୟୁର ଉପହାର ଦେଇଛନ୍ତି। କେକ୍ କାଟିବାକୁ ଡାକି ପ୍ରେମିକ ଜଣଙ୍କ ସହ ଏମିତି କାଣ୍ଡ ଘଟାଇଛନ୍ତି। ଘଟଣାଟି ବୁଧବାର ଘଟିଥିବା ବେଳେ ଆଜି ସାମ୍ନାକୁ ଆସିଛି।
ଯୁବତୀଙ୍କ ନାଁ ଉମା ବାବନ କାପସେ ହୋଇଥିବା ବେଳେ ଯୁବକଙ୍କ ନାଁ ପରମେଶ୍ୱର ଗଙ୍ଗାଧର ବୋୟାଲେ ବୋଲି ଜଣାପଡ଼ିଛି। ଉଭୟ ଚନ୍ଦନନଗର ଅଞ୍ଚଳରେ ରୁହନ୍ତି।
ସୂଚନା ଅନୁଯାୟୀ, ବୁଧବାର ଉମାଙ୍କ ୧୯ ତମ ଜନ୍ମ ଦିନ ଥିଲା। ଏଥିପାଇଁ ଗଙ୍ଗାଧର ତାଙ୍କ ପାଇଁ କେକ୍ କାଟିବାକୁ ଇଚ୍ଛା ପ୍ରକାଶ କରିଥିଲା। ଉମା ଏଥିରେ ରାଜି ନ ହେବାରୁ ସେ ବାରମ୍ବାର ତାଙ୍କୁ ଥରେ ଏକାକୀ କେକ୍ କାଟିବାକୁ ଆସ ବୋଲି ନିବେଦନ କରିଥିଲା। ଏହାପରେ ଉମା ରାଜି ହୋଇ ଲୋହେଗାଓଁରେ ଥିବା ଫରେଷ୍ଟ ପାର୍କ ଅଞ୍ଚଳରେ ପହଞ୍ଚିଥିଲେ।
ଏହାପରେ ଗଙ୍ଗାଧର ତା’ର ଅସଲ ରୂପ ଦେଖାଇଥିଲା। ସେ ପ୍ରଥମେ ଉମାଙ୍କୁ ମାଡ଼ ମାରିବା ପରେ ତାଙ୍କ ତଣ୍ଟିକୁ ଓଢ଼ଣୀରେ ଚିପି ହତ୍ୟା କରିଥିଲା। ପୁଲିସ୍ ଉକ୍ତ ଅଞ୍ଚଳରେ ଦୀର୍ଘ ସମୟ ଖୋଜାଖୋଜି କରିବା ପରେ ଉମାଙ୍କ ମୃତଦେହ ଉଦ୍ଧାର କରିଥିଲା ବୋଲି ସ୍ଥାନୀୟ ଅଞ୍ଚଳରେ କାର୍ଯ୍ୟ କରୁଥିବା ଜଣେ ସିକ୍ୟୁରିଟି ଗାର୍ଡ କହିଛନ୍ତି।
ଭୀମତାଲା ପୁଲିସ୍ ଷ୍ଟେସନ୍ର ବରିଷ୍ଠ ପୁଲିସ୍ ଅଧିକାରୀ ଦିଲୀପ ସିନ୍ଧେ କହିଛନ୍ତି, ଉମା ଓ ଗଙ୍ଗାଧର ପରସ୍ପରକୁ ଅଷ୍ଟମ ଶ୍ରେଣୀରୁ ଜାଣିଥିଲେ। ଗଙ୍ଗାଧର ପାଖରେ କୌଣସି ସ୍ଥାୟୀ ଚାକିରି ନଥିଲା, ତେବେ ସେ ଅସ୍ଥାୟୀ ଭାବେ ଜଣେ ଫୁଡ୍ ଡେଲିଭରୀ ବୟ ଭାବେ କାର୍ଯ୍ୟ କରୁଥିଲା। ଉଭୟ ଦୀର୍ଘଦିନ ହେଲା ପରସ୍ପରକୁ ଭଲ ପାଉଥିଲେ ହେଁ ଗତ ଏପ୍ରିଲ ମାସରେ ଦୁଇ ଜଣଙ୍କ ସମ୍ପର୍କରେ ଫାଟ ସୃଷ୍ଟି ହୋଇଥିଲା।
ଉମା ଗଙ୍ଗାଧରଙ୍କଠାରୁ ଅଲଗା ହୋଇଯିବା ପରେ ତାଙ୍କ ପରିବାର ଲୋକ ଝିଅ ପାଇଁ ବର ଖୋଜିବା ଆରମ୍ଭ କରିଥିଲେ। ତେବେ ଏକଥାକୁ ସହଜରେ ହଜମ କରିପାରି ନଥିଲା ଗଙ୍ଗାଧର। ଉମା ଯଦି ତା’ର ହବନି, ତା’ହେଲେ ଆଉ କାହାର ହବନି ବୋଲି ପଣ କରି ଗଙ୍ଗାଧର ତାଙ୍କୁ ହତ୍ୟା କରିବାକୁ ଯୋଜନା କରିଥିଲା। ଯୋଜନା ଅନୁଯାୟୀ ଉମାଙ୍କ ଜନ୍ମଦିନରେ ହିଁ ତାଙ୍କ ପାଇଁ କେକ୍ କାଟିବାକୁ ଡାକି ହତ୍ୟା କରିଥିଲା ବୋଲି ସେ କହିଛନ୍ତି।
from Odisha Reporter https://ift.tt/2NOXRsC
No comments:
Post a Comment