
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନବକଳେବରରେ ବ୍ରହ୍ମ ପରିବର୍ତ୍ତନ ବେଳେ ହୋଇଥିବା ବିଭ୍ରାଟର ତଦନ୍ତ ରିପୋର୍ଟକୁ ସାର୍ବଜନୀନ କରାଯିବ ନାହିଁ ବୋଲି ଶ୍ରୀମନ୍ଦିର ପରିଚାଳନା କମିଟି ନିଷ୍ପତ୍ତି ନେଇଛି। ଯାହାକୁ ନେଇ ଏବେ ଚାରିଆଡ଼େ ଚର୍ଚ୍ଚା।
ଶୁଣିବାକୁ ମିଳୁଛି, ଏହି ବ୍ରହ୍ମ ବିଭ୍ରାଟ ତଦନ୍ତ ରିପୋର୍ଟକୁ କୁଆଡ଼େ ଜାଣିଶୁଣି ମହାପ୍ରଭୁଙ୍କ ଗୁପ୍ତନୀତି ଆଳରେ ଚପାଇ ଦିଆଯାଉଛି। ସେହି ବ୍ରହ୍ମ ପରିବର୍ତ୍ତନ ବେଳେ ହୋଇଥିବା ଅବ୍ୟବସ୍ଥା ସହ କୁଆଡ଼େ ରତ୍ନ ଭଣ୍ଡାରର ଚାବି ହଜିବା ଘଟଣାର ଅନେକ ସାମଞ୍ଜସ୍ୟ ରହିଛି।
୨୦୧୫ ଜୁନ୍ ୧୫ତାରିଖରେ ନବକଳେବର ସମୟରେ ବ୍ରହ୍ମ ପରିବର୍ତ୍ତନକୁ ନେଇ ଶ୍ରୀମନ୍ଦିର ଭିତରେ ବିବାଦ ଯୋଗୁ ଏହା କୁଆଡ଼େ ୧୬ତାରିଖ ଦିନବେଳା ହୋଇଥିଲା। ପ୍ରାୟ ୧୮ ଘଣ୍ଟାରୁ ଉର୍ଦ୍ଧ୍ଵ ସମୟ ଧରି ଶ୍ରୀମନ୍ଦିର ଭିତରେ ବ୍ରହ୍ମ ପରିବର୍ତ୍ତନ ସହ ଜଡ଼ିତ ସେବାୟତମାନେ ରହିଥିଲେ।
ଚର୍ଚ୍ଚା ହେଉଛି ଏହି ସମୟ ମଧ୍ୟରେ କୁଆଡ଼େ କିଛି ସେବାୟତ ଜାଣିଶୁଣି ବିବାଦର ସୂତ୍ରପାତ କରିଥିଲେ। ଆଉ ସେତେବେଳେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଦାୟିତ୍ୱରେ ଥିବା ସୁରେଶ ମହାପାତ୍ର କୁଆଡ଼େ ସେହି ବ୍ରହ୍ମ ବିଭ୍ରାଟ ରିପୋର୍ଟକୁ ଯଥାସମ୍ଭବ ଚପାଇବାକୁ ଉଦ୍ୟମ କରିଥିଲେ। କିନ୍ତୁ ପ୍ରଦୀପ ଜେନା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଦାୟିତ୍ୱ ନେବାପରେ କୁଆଡ଼େ ଏହି ରିପୋର୍ଟକୁ ସାର୍ବଜନୀନ କରିବା ନିମନ୍ତେ ସେ ପ୍ରୟାସ କରିଥିଲେ।
ଚର୍ଚ୍ଚା ହେଉଛି ତୃତୀୟ ମହଲାର ଚାପରେ ସେ ବି ଏହି ରିପୋର୍ଟକୁ ସାର୍ବଜନୀନ କରିପାରିଲେ ନାହିଁ। ଓଲଟା ଷଡ଼ଯନ୍ତ୍ର କରି ଶ୍ରୀମନ୍ଦିର ମୁଖିଆ ପଦରୁ କୁଆଡ଼େ ତାଙ୍କୁ ବିତାଡ଼ିତ କରାଗଲା।
ଚର୍ଚ୍ଚା ହେଉଛି, ଶ୍ରୀମନ୍ଦିରରେ ବ୍ରହ୍ମ ପରିବର୍ତ୍ତନବେଳେ ଶ୍ରୀମନ୍ଦିର କିଛି ହାତଗଣତି ସେବାୟତଙ୍କ ନିୟନ୍ତ୍ରଣରେ ରହିଥିବାରୁ ଭିତରେ କ’ଣ ହେଉଥିଲା, ତାହା ଜାଣିବାର ସାମାନ୍ୟତମ ଅବକାଶ ନଥିଲା। ଆଉ ସେହି ସମୟରେ ବ୍ରହ୍ମ ପରିବର୍ତ୍ତନର ନୀତିକୁ ପାଳନ କରିନଥିବା ସେବାୟତମାନଙ୍କ ବିଶ୍ୱସନୀୟତା ପ୍ରତି ପ୍ରଶ୍ନ ଉଠିବା ସ୍ୱାଭାବିକ। କାଳେ ଏକଥା ପ୍ରଚାର ହେଲେ ଶ୍ରୀମନ୍ଦିର ପ୍ରତି ଆସ୍ଥାପ୍ରକଟ କରୁଥିବା ଶ୍ରଦ୍ଧାଳୁଙ୍କ ମଧ୍ୟରେ ଆକ୍ରୋଶ ଦେଖାଦେବ, ସେଇଥିପାଇଁ କୁଆଡ଼େ ଶ୍ରୀମନ୍ଦିର ପ୍ରଶାସନ ଅତ୍ୟନ୍ତ ଚତୁରତାର ସହ ଏହି ତଦନ୍ତ ରିପୋର୍ଟକୁ ଚପାଇ ଦେଇଛି। ଆଗକୁ ନିର୍ବାଚନ ଥିବାରୁ ଏହି ରିପୋର୍ଟ ଶାସକ ଦଳ ପାଇଁ ବୁମେରାଂ ହେବାର ଆଶଙ୍କା ଥିବାରୁ ଜାଣିଶୁଣି ତାକୁ ସାର୍ବଜନୀନ କରାଯାଉନଥିବା ଚର୍ଚ୍ଚା।
from Odisha Reporter https://ift.tt/2zDucdk
No comments:
Post a Comment