
ମାଲକାନଗିରି (ଓଡ଼ିଶା ରିପୋର୍ଟର): ଗତକାଲି ମାଲକାନଗିରି ଏଡିଏମ୍ ଅଯୋଧ୍ୟାକାନ୍ତ ଶତପଥୀ ତାଙ୍କ ସରକାରୀ ବାସଭବନରୁ ଚାଲି ଚାଲି ଅଫିସ୍ ଯାଉଥିବା ଦେଖିବାକୁ ମିଳିଥିଲା। ଘରୁ ଅଫିସ୍କୁ ଦେଢ଼ କିଲୋମିଟର। ତାଙ୍କୁ ପୂର୍ବରୁ କେବେ ଏମିତି ଚାଲି କି ଅଫିସ୍ ଯିବାର ଦେଖାଯାଇ ନଥିଲା। ସେ ସବୁବେଳେ ସରକାରୀ ଗାଡ଼ିରେ ଅଫିସ୍ ଯାଆନ୍ତି। ତେଣୁ ଗଣମାଧ୍ୟମ ପ୍ରତିନିଧିଙ୍କ ଉତ୍ସୁକତା ବଢ଼ିଲା ଓ ସେମାନେ ତାଙ୍କୁ ଏହାର କାରଣ ପଚାରିଥିଲେ।
ଏଡିଏମ୍ କହିଥିଲେ,“ଏ ସଂପର୍କରେ ମୁଁ ବେଶୀ କିଛି କହିବାକୁ ଚାହୁଁନାହିଁ। ଏହା ଏକ ବ୍ୟକ୍ତିଗତ ଘଟଣା।”
ତା’ପରେ ସେ କହିଥିଲେ,“ମୁଁ ପିଡି ଇନ୍ଚାର୍ଜରେ ଥିଲି। ସେଥିପାଇଁ ମୋତେ ଗୋଟିଏ ସରକାରୀ ଗାଡ଼ି ଦିଆଯାଇଥିଲା। ସେ ଦାୟିତ୍ୱରୁ ନିବୃତ୍ତ ହେବା ପରେ ଶୁକ୍ରବାର ସକାଳେ ସେହି ଗାଡ଼ିକୁ ମୋ ପାଖରୁ ନେଇଗଲେ। ଏଡିଏମଙ୍କ ଉଦ୍ଦେଶ୍ୟରେ ମିଳିଥିବା ସରକାରୀ ଗାଡ଼ିଟି ଖରାପ ହୋଇଯାଇଛି। ଠେଲିଲେ ବି ଚାଲୁ ନାହିଁ। ଅଫିସ୍ ସମୟ ହେଇଯିବାରୁ ମୋ ପାଖରେ ଆଉ କିଛି ଉପାୟ ନଥିଲା। ତେଣୁ ମୁଁ ଚାଲି ଚାଲି ଅଫିସ୍ ବାହାରିଲି।”
ତେବେ ତାଙ୍କର ଗୋଟିଏ କଥାକୁ ଲୋକେ ପସନ୍ଦ କରି ନାହାନ୍ତି। ସେ ଚାଲି ଚାଲି ଯାଉଥିବା ବେଳେ ଜଣେ ବ୍ୟକ୍ତି ତାଙ୍କ ଛତା ଧରି ତାଙ୍କୁ ଛାଇ ଦେଉଥିଲେ। ଏହାକୁ କେହି କେହି ହଜମ କରିପାରି ନାହାନ୍ତି।
ଅତିରିକ୍ତ ଜିଲ୍ଲାପାଳ ଚାଲି ଚାଲି ଯିବା ଘଟଣାକୁ ନେଇ ଜିଲ୍ଲାରେ ଭିନ୍ନ ଚର୍ଚ୍ଚା ହେଉଛି।
ଦୁଇ ଦିନ ତଳେ ଜିଲ୍ଲାର ୭ ଜଣ ବିଡିଓଙ୍କୁ ରିଲିଭ୍ କରାଯାଇଥିଲା। ଏମାନଙ୍କୁ ପୂର୍ବରୁ ବଦଳି ହୋଇଥିଲା। କିନ୍ତୁ ରିଲିଭ୍ ହୋଇ ନଥିଲେ। ଏହି ରିଲିଭ୍ ଘଟଣାକୁ ନେଇ ଜିଲ୍ଲାପାଳ ଓ ଉପଜିଲ୍ଲାପାଳଙ୍କ ମଧ୍ୟରେ ବିବାଦ ହୋଇଥିଲା।
ଏହି କାରଣରୁ ଅତିରିକ୍ତ ଜିଲ୍ଲାପାଳଙ୍କର ଖରାପ ହୋଇ ପଡ଼ିଥିବା ଗାଡ଼ିଟିକୁ ଠିକ୍ କରାଯାଉନଥିବା ଚର୍ଚ୍ଚା ହେଉଛି।
ତେବେ ମାଲକାନଗିରି ଜିଲ୍ଲାପାଳ ମନୀଷ ଅଗ୍ରୱାଲ କହିଛନ୍ତି,“ଏହି ଘଟଣା ନିନ୍ଦନୀୟ। ଏ ସମ୍ପର୍କରେ ମୁଁ କିଛି ଜାଣି ନାହିଁ।”
from Odisha Reporter https://ift.tt/2oPSXgb
No comments:
Post a Comment