
ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ପରିବର୍ତ୍ତନଶୀଳ ଦୁନିଆରେ ଲୋକଙ୍କର ବନ୍ଧୁତା କରିବାର ଶୈଳୀ ମଧ୍ୟ ପରିବର୍ତ୍ତନ ହୋଇଛି। ବିଶେଷ କରି, ଏବେ ଯୁବପିଢି ଏବଂ କିଶୋର କିଶୋରୀମାନଙ୍କୁ ସୋଶାଲ୍ ମିଡିଆରେ ସମ୍ପର୍କ ତିଆରି କରିବାର ନିଶା ଘାରିଛି। କେହି କେହି ସୋଶାଲ୍ ମିଡିଆରେ ନିଜ ପାଇଁ ଜୀବନସାଥୀ ମଧ୍ୟ ଖୋଜୁଛନ୍ତି।
ଯଦି ଆପଣ ଏପରି କରୁଛନ୍ତି, ତେବେ ସାବଧାନ ରୁହନ୍ତୁ ! କାରଣ ନିର୍ଦ୍ଦିଷ୍ଟ କିଛି ଦିଗ ପ୍ରତି ଧ୍ୟାନ ନଦେଲେ ଆପଣ ଠକାମିର ଶିକାର ହେବେ ଏବଂ ଏଥିପାଇଁ ଆପଣଙ୍କୁ ଭବିଷ୍ୟତରେ ପଶ୍ଚାତାପ କରିବାକୁ ମଧ୍ୟ ପଡ଼ିପାରେ।

ଅନେକ ସମୟରେ ଆମେ ଶୁଣିବାକୁ ପାଉଛେ ଯେ, ସୋଶାଲ୍ ମିଡିଆରେ ପ୍ରଥମେ ବନ୍ଧୁତା ଏବଂ ପରେ ଦେଖା ସାକ୍ଷାତ ଆରମ୍ଭ ହୁଏ। ଏହି ଦେଖା ସାକ୍ଷାତ ପରେ ପ୍ରେମର ରୂପ ନିଏ ଏବଂ ସେହି ପ୍ରେମରୁ ଶେଷରେ ଧୋକା ହିଁ ମିଳିଥାଏ। କେତେକଙ୍କର ହୃଦୟ ଭାଙ୍ଗିଯାଏ ଏବଂ କେତେ ଲୋକଙ୍କୁ ନିଜ ମାନ ସମ୍ମାନ ସହିତ ସଉଦା ମଧ୍ୟ କରିବାକୁ ପଡ଼ିଥାଏ। ଅନ୍ଲାଇନ୍ରେ ପାର୍ଟନର୍ ଖୋଜୁଥିବା ଲୋକମାନେ ଅନେକାଂଶରେ ଭଦ୍ର ମୁଖା ପିନ୍ଧି ଅନ୍ୟ କିଛି କରିବା ପାଇଁ ଚିନ୍ତା କରୁଥା’ନ୍ତି।
ସୋଶାଲ୍ ମିଡିଆରେ ବନ୍ଧୁତା ହେବା ପରେ ଅନେକ ଲୋକ ଟଙ୍କା ଦେଇ ଠକାମିର ଶିକାର ମଧ୍ୟ ହୋଇଥାନ୍ତି। ଏଥିପାଇଁ ଆମେ ଆଜି ଆପଣଙ୍କୁ ଏପରି କିଛି କଥା କହିବୁ, ଯାହା ଦ୍ୱାରା ଆପଣ ଅନ୍ଲାଇନ୍ରେ ପାର୍ଟନର୍ ଖୋଜିବା ସମୟରେ ସଜାଗ ରହିପାରିବେ।

ଏହି କଥାସବୁ ଉପରେ ଧ୍ୟାନ ଦିଅନ୍ତୁ:
ସୋଶାଲ୍ ମିଡିଆରେ କୌଣସି ଲୋକଙ୍କୁ ପସନ୍ଦ କରିବା ମାତ୍ରେ ତାଙ୍କ ସହିତ ଆପଣଙ୍କ ବ୍ୟକ୍ତିଗତ କଥା ଶେୟାର୍ କରନ୍ତୁ ନାହିଁ। ଯେପରିକି ଘରର ଠିକଣା, ଫୋନ୍ ନମ୍ୱର ଇତ୍ୟାଦି। ଏପରି କରିବା ଦ୍ୱାରା ଆପଣ ଭବିଷ୍ୟତରେ ସମସ୍ୟାରେ ପଡ଼ିପାରନ୍ତି।
ପ୍ରଥମେ ମେସେଜ୍ରେ କଥା ହେବା ସମୟରେ ନିଜ ପାଇଁ ଏକ ସୀମାରେଖା ଟାଣନ୍ତୁ। ଏହି ସୀମା ଭିତରେ ରହି ସୋଶାଲ୍ ମିଡିଆର ବନ୍ଧୁଙ୍କ ସହ କଥାବାର୍ତ୍ତା କରନ୍ତୁ। କାରଣ ଭବିଷ୍ୟତରେ ଆପଣ ଚ୍ୟାଟ୍ କରିଥିବା ମେସେଜ୍ ଅପବ୍ୟବହାର ହେବାର ଆଶଙ୍କା ମଧ୍ୟ ରହିଛି।
ଯେତେ ପର୍ଯ୍ୟନ୍ତ ଆପଣ ସୋଶାଲ୍ ମିଡିଆର ସେହି ବନ୍ଧୁଙ୍କ ସମ୍ପର୍କରେ ଭଲ ଭାବେ କିଛି ଜାଣିନାହାନ୍ତି, ସେ ପର୍ଯ୍ୟନ୍ତ ଆପଣ ନିଜ ଫୋଟୋକୁ ତାଙ୍କ ସହ ଶେୟାର୍ କରନ୍ତୁ ନାହିଁ।
ଅନ୍ଲାଇନ୍ ଡେଟିଂରୁ ହୋଇଥିବା ସମ୍ପର୍କକୁ ଅଧିକ ଗମ୍ଭୀର ଭାବରେ ନିଅନ୍ତୁ ନାହିଁ। ଏହା ଆପଣଙ୍କ ପ୍ରକୃତ ଦୁନିଆ ନୁହେଁ।
ସୋଶାଲ୍ ମିଡିଆରେ ସମ୍ପର୍କ ନିବିଡ଼ ହୋଇଥିବା ବନ୍ଧୁଙ୍କ ସହିତ ସାର୍ବଜନୀନ ସ୍ଥାନରେ ଦେଖା କରନ୍ତୁ। ଭଲ ହେବ, ପ୍ରଥମ ଥର ପାଇଁ ତାଙ୍କ ସହ ଦେଖା କରିବାକୁ ଯାଉଥିଲେ, ସାଙ୍ଗରେ ନିଜର ଜଣେ ବିଶ୍ୱସ୍ତ ବନ୍ଧୁଙ୍କୁ ନେଇ ଯାଆନ୍ତୁ।
ଝିଅମାନେ ନିଜର ପ୍ରଶଂସା ଶୁଣିବା ପାଇଁ ପୁଅଙ୍କୁ ନିଜର ଅଶ୍ଳୀଳ ଫୋଟୋ ପଠାଇଥାନ୍ତି। ଏପରି କରିବାଠାରୁ ଦୂରେଇ ରୁହନ୍ତୁ। ଭବିଷ୍ୟତରେ ଏହି ଫୋଟୋର ମଧ୍ୟ ଦୁରୁପଯୋଗ ହୋଇପାରେ।
କିଛି ଲୋକ ଅଛନ୍ତି, ଯେଉଁମାନେ ବିବାହର ପ୍ରତିଶ୍ରୁତି ଦେଇ ଝିଅଙ୍କୁ ନିଜ ଜାଲରେ ଫସାଇ ଦିଅନ୍ତି। ଏଥିପାଇଁ ନିଜ ଜୀବନର ଏହି ବଡ଼ ନିଷ୍ପତି ନେବା ପୂର୍ବରୁ ସମ୍ପର୍କରୁ ବାରମ୍ବାର ଯାଞ୍ଚ କରନ୍ତୁ। ଏଥିପାଇଁ କୌଣସି ନିଷ୍ପତ୍ତି ନେବା ପୂର୍ବରୁ ପ୍ରଥମେ ନିଜ ପ୍ରିୟ ଲୋକଙ୍କ ସହ ପରାମର୍ଶ ନିଅନ୍ତୁ।
ସୋଶାଲ୍ ମିଡିଆରେ ହୋଇଥିବା ବନ୍ଧୁ ନିଜର କିଛି ସମସ୍ୟା ଅଛି କହି ଆପଣଙ୍କଠାରୁ ଟଙ୍କା ଠକି ନେଇ ପାରନ୍ତି। ଏଥିପ୍ରତି ସାବଧାନ ରୁହନ୍ତୁ।
from Odisha Reporter https://ift.tt/2NjCSxV
No comments:
Post a Comment