
ଦୁବାଇ: ପୁଣି ଏକ ଭାରତ-ପାକ୍ ମୁକାବିଲା ଦେଖିବାକୁ କେବଳ ଉପମହାଦେଶ ନୁହେଁ, ସାରା ବିଶ୍ୱର କ୍ରିକେଟ୍ ଫ୍ୟାନ୍ମାନେ ଅନାଇ ରହିଛନ୍ତି। ଆଜି ଏସିଆ କପ୍ର ଏକ ଗୁରୁତ୍ୱପୂର୍ଣ୍ଣ ଲିଗ୍ ପର୍ଯ୍ୟାୟ ମ୍ୟାଚ୍ରେ ଏହି ଦୁଇ ପାରମ୍ପରିକ କ୍ରିକେଟ୍ ପ୍ରତିଦ୍ୱନ୍ଦ୍ୱୀ ଦୁବାଇ ଅନ୍ତର୍ଜାତୀୟ ପଡ଼ିଆରେ ପରସ୍ପରକୁ ଭେଟିବେ। ଭାରତୀୟ ସମୟ ଅପରାହ୍ଣ ୫ଟାରେ କ୍ରିକେଟ୍ ଫ୍ୟାନ୍ମାନେ ଏହି ଭାରତ-ପାକିସ୍ତାନ୍ ମ୍ୟାଚ୍ର ସିଧାପ୍ରସରଣ ଷ୍ଟାର୍ ସ୍ପୋର୍ଟସ୍ ନେଟୱର୍କରେ ଦେଖିପାରିବେ।

ଭାରତ-ପାକିସ୍ତାନ୍ ଏସିଆ କପ୍ରେ ପୂର୍ବରୁ ସମୁଦାୟ ୧୨ ଥର ମୁହାଁମୁହିଁ ହୋଇଛନ୍ତି। ଏଥିରେ ଭାରତ ୬ଥର ଜିତିଥିବା ବେଳେ ପାକିସ୍ତାନ ୫ଥର ଜିତିଛି। ଗୋଟିଏ ମ୍ୟାଚ୍ର ଫଳାଫଳ ବାହାରି ପାରିନଥିଲା। ତେବେ ଆକଳନ ଅନୁଯାୟୀ, ଆଜିର ମ୍ୟାଚ୍ରେ ଭାରତୀୟ ବ୍ୟାଟିଂ ଶକ୍ତି ସହ ପାକିସ୍ତାନୀ ବୋଲିଂ ବାହିନୀର କଡ଼ା ମୁକାବିଲା ହେବ।

ପାକିସ୍ତାନ ବିପକ୍ଷରେ ଭାରତର ବିଜୟ
୧୯୮୩/୮୪ ଏସିଆ କପ୍ ଟୁର୍ଣ୍ଣାମେଣ୍ଟ୍ରେ ଟିମ୍ ଇଣ୍ଡିଆ ପ୍ରତିପକ୍ଷ ପାକିସ୍ତାନକୁ ଫାଇନାଲ୍ରେ ୫୪ ରନ୍ରେ ହରାଇ ଏସିଆ କପ୍ ଜିତିଥିଲା। ଟିମ୍ ଇଣ୍ଡିଆ ପ୍ରଥମେ ବ୍ୟାଟିଂ କରି ୪ ୱିକେଟ୍ ବିନିମୟରେ ୧୮୮ ରନ୍ କରିଥିବା ବେଳେ ପାକିସ୍ତାନ ୧୩୪ ରନ୍ରେ ଅଲଆଉଟ୍ ହୋଇଯାଇଥିଲା।
୧୯୮୮/୮୯ ଏସିଆ କପ୍ ସଂସ୍କରଣରେ ଭାରତ ଲିଗ୍ ପର୍ଯ୍ୟାୟ ମ୍ୟାଚ୍ରେ ପାକିସ୍ତାନକୁ ହରାଇଥିଲା। ପାକିସ୍ତାନ ୧୪୨ ରନ୍ କରିଥିବା ବେଳେ ଟିମ୍ ଇଣ୍ଡିଆ ମାତ୍ର ୪ୱିକେଟ୍ ହରାଇ ମ୍ୟାଚ୍ ଜିତ ନେଇଥିଲା। ଫାଇନାଲ୍ରେ ଟିମ୍ ଇଣ୍ଡିଆ ଶ୍ରୀଲଙ୍କାକୁ ହରାଇ ଟ୍ରଫି ଜିତିଥିଲା।
୨୦୦୮ ଏସିଆ କପ୍ରେ ଭାରତ ଓ ପାକିସ୍ତାନ ଗ୍ରୁପ୍ ବି’ରେ ସ୍ଥାନ ପାଇଥିଲେ। ପାକିସ୍ତାନ ଏହି ମ୍ୟାଚ୍ରେ ପ୍ରଥମେ ବ୍ୟାଟିଂ କରି ୪ ୱିକେଟ୍ରେ ୨୯୯ ରନ୍ କରିଥିଲା। ଏହାର ଜବାବ୍ରେ ଭାରତ ୪ ୱିକେଟ୍ ହରାଇ ୪୭ଟି ବଲ୍ ପୂର୍ବରୁ ୩୦୧ ରନ୍ କରି ବିଜୟୀ ହୋଇଥିଲା। ତେବେ ଫାଇନାଲ୍ରେ ଭାରତ ଶ୍ରୀଲଙ୍କାଠାରୁ ୧୦୦ ରନ୍ରେ ପରାସ୍ତ ହୋଇଥିଲା।

୨୦୧୦ରେ ଭାରତ ଓ ପାକିସ୍ତାନ ମଧ୍ୟରେ ଏସିଆ କପ୍ର ଅନ୍ୟତମ ରୋମାଞ୍ଚଭରା ମ୍ୟାଚ୍ ଦେଖିବାକୁ ମିଳିଥିଲା। ପାକିସ୍ତାନ ପ୍ରଥମେ ବ୍ୟାଟିଂ କରି ୨୬୭ ରନ୍ କରିଥିଲା। ଏହାର ଜବାବ୍ରେ ଭାରତ ମାତ୍ର ଗୋଟିଏ ବଲ୍ ପୂର୍ବରୁ ୭ ୱିକେଟ୍ ହରାଇ ୨୭୧ ରନ୍ କରି ବିଜୟୀ ହୋଇଥିଲା। ଫାଇନାଲ୍ରେ ଶ୍ରୀଲଙ୍କାକୁ ୮୧ ରନ୍ରେ ହରାଇ ଭାରତ ଟ୍ରଫିକୁ ମଧ୍ୟ କବ୍ଜା କରିଥିଲା।
୨୦୧୧/୧୨ରେ ପାକିସ୍ତାନ ୬ ୱିକେଟ୍ରେ ୩୨୯ ରନ୍ କରିଥିବା ବେଳେ ଭାରତ ୪ ୱିକେଟ୍ରେ ୩୩୦ ରନ୍ କରିଥିଲା। ତେବେ ଫାଇନାଲ୍ରେ ପାକିସ୍ତାନ ବାଂଲାଦେଶକୁ ହରାଇ ଏସିଆ କପ୍ ବିଜେତା ହୋଇଥିଲା।
୨୦୧୬ରେ ପ୍ରଥମଥର ଏସିଆ କପ୍ ଟୁର୍ଣ୍ଣାମେଣ୍ଟ ଟି-୨୦ଫର୍ମାଟ୍ରେ ଖେଳା ଯାଇଥିଲା। ଟି-୨୦ର ଲିଗ୍ ପର୍ଯ୍ୟାୟରେ ଭାରତ ପାକିସ୍ତାନକୁ ୫ ୱିକେଟ୍ରେ ହରାଇଥିଲା। ସେହିପରି ବାଂଲାଦେଶକୁ ହରାଇ ଫାଇନାଲ୍ରେ ମଧ୍ୟ ଭାରତ ବିଜୟୀ ହୋଇଥିଲା।

ଭାରତ ବିପକ୍ଷରେ ପାକିସ୍ତାନର ବିଜୟ
୧୯୯୪/୯୫ ଏସିଆ କପ୍ର ଲିଗ୍ ମ୍ୟାଚ୍ରେ ପାକିସ୍ତାନ ଭାରତକୁ ୯୭ ରନ୍ରେ ପରାସ୍ତ କରିଥିଲା। ପାକିସ୍ତାନ ପ୍ରଥମେ ବ୍ୟାଟିଂ କରି ୨୬୬ ରନ୍ କରିଥିବା ବେଳେ ଭାରତ ମାତ୍ର ୧୬୭ରେ ଅଲ୍ଆଉଟ୍ ହୋଇଯାଇଥିଲା। ତେବେ ଭାରତ ଶ୍ରୀଲଙ୍କାକୁ ଫାଇନାଲ୍ ମ୍ୟାଚ୍ରେ ହରାଇ ସେହିବର୍ଷ ଟ୍ରଫି ଜିତିଥିଲା।
୨୦୦୦ ମସିହା ଏସିଆ କପ୍ରେ ପାକିସ୍ତାନ ଭାରତକୁ ୪୪ ରନ୍ରେ ପରାସ୍ତ କରିଥିଲା। ପାକିସ୍ତାନ ୨୯୫ ରନ୍ କରିଥିବା ବେଳେ ଭାରତ ମାତ୍ର ୨୫୧ ରନ୍ରେ ସୀମିତ ରହିଯାଇଥିଲା। ଫାଇନାଲ୍ରେ ଶ୍ରୀଲଙ୍କାକୁ ହରାଇ ପାକିସ୍ତାନ ସେହି ସଂସ୍କରଣର ଚାମ୍ପିଅନ୍ ହୋଇଥିଲା।
୨୦୦୪ ଏସିଆ କପ୍ ଲିଗ୍ ପର୍ଯ୍ୟାୟ ମ୍ୟାଚ୍ରେ ପାକିସ୍ତାନ ପୁଣି ଭାରତକୁ ୫୯ ରନ୍ରେ ପରାସ୍ତ କରିଥିଲା। ପାକିସ୍ତାନ ୩୦୦ ରନ୍ କରିଥିବା ବେଳେ ଭାରତ ମାତ୍ର ୨୪୧ରନ୍ରେ ଅଟକି ଯାଇଥିଲା। ଭାରତ ସେହି ବର୍ଷ ଫାଇନାଲ୍କୁ ଯାଇଥିଲେ ହେଁ ଶ୍ରୀଲଙ୍କାଠାରୁ ୨୫ ରନ୍ରେ ହାରି ରନର୍ସ ଅପ୍ ହୋଇଥିଲା।

୨୦୦୮ ଏସିଆ କପ୍ରେ ଗ୍ରୁପ୍ ପର୍ଯ୍ୟାୟରେ ପାକିସ୍ତାନ ଭାରତଠାରୁ ୬ ୱିକେଟ୍ରେ ହାରିଥିଲା। କିନ୍ତୁ ସୁପର୍ଫୋର୍ରେ ପାକିସ୍ତାନ ଭାରତକୁ ୮ ୱିକେଟ୍ରେ ହରାଇ ଏହାର ପ୍ରତିଶୋଧ ନେଇଥିଲା।
୨୦୧୩/୧୪ରେ ପାକିସ୍ତାନ ଭାରତକୁ ୧ ୱିକେଟ୍ରେ ପରାସ୍ତ କରିଥିଲା। ଭାରତ ୨୪୫ ରନ୍ କରିଥିବା ବେଳେ ପାକିସ୍ତାନ ୯ ୱିକେଟ୍ ହରାଇ ୨୪୯ ରନ୍ କରିଥିଲା। ସେହିବର୍ଷ ଫାଇନାଲ୍ରେ ଶ୍ରୀଲଙ୍କା ପାକିସ୍ତାନକୁ ହରାଇ ଚାମ୍ପିଅନ୍ ହୋଇଥିଲା।
ତେବେ ୧୯୭୭ ମସିହା ଏସିଆ କପ୍ରେ ପ୍ରବଳ ବର୍ଷା ଓ ବ୍ୟାଡ୍ ଲାଇଟ୍ ଯୋଗୁ ଭାରତ–ପାକିସ୍ତାନ ମ୍ୟାଚ୍ ହୋଇପାରି ନଥିଲା।
from Odisha Reporter https://ift.tt/2pktKuv
No comments:
Post a Comment