
ସାଉଥାମ୍ପଟନ୍(ଓଡ଼ିଶା ରିପୋର୍ଟର୍): ସାଉଥାମ୍ପଟନ୍ର ରୋଜ୍ ବାଉଲ୍ ଷ୍ଟାଡିୟମ୍ରେ ଚାଲିଥିବା ଭାରତ-ଇଂଲଣ୍ଡ ୫ଟିକିଆ ସିରିଜ୍ର ଚତୁର୍ଥ ଟେଷ୍ଟ୍ ଏବେ ରୋମାଞ୍ଚକ ସ୍ଥିତିରେ ପହଞ୍ଚିଛି । ୨୪୫ ରନ୍ର ବିଜୟ ଲକ୍ଷ୍ୟ ନେଇ ଦ୍ୱିତୀୟ ଇନିଂସ୍ରେ ବ୍ୟାଟିଂ କରୁଥିବା ଭାରତ ଶେଷ ଖବର ସୁଦ୍ଧା ୮ ୱିକେଟ୍ ହରାଇ ୧୬୦ ରନ୍ କରିଛି।
ଉପଅଧିନାୟକ ଆଜିଙ୍କ୍ୟ ରାହାଣେ ୫୧ ରନ୍ କରି ମୋଇନ୍ ଅଲ୍ଲୀଙ୍କର ତୃତୀୟ ଶିକାର ହୋଇଥିବାବେଳେ ରବିଚନ୍ଦ୍ରନ୍ ଅଶ୍ୱିନ୍ ୫ ଓ ମହମ୍ମଦ ଶାମି ୪ରନ୍ କରି କ୍ରିଜ୍ରେ ଅଛନ୍ତି। ଇଶାନ୍ତ ଶର୍ମା ଖାତା ଖୋଲିବା ପୂର୍ବରୁ ଷ୍ଟୋକ୍ସ୍ଙ୍କ ବଲ୍ରେ ଆଉଟ୍ ହୋଇ ପ୍ୟାଭିଲିୟନ୍ ଫେରିଛନ୍ତି।
ଦ୍ୱିତୀୟ ଇନିଂସରେ ୧୩୦ ବଲ୍ରୁ ୪ଟି ଚୌକା ସହ ଦର୍ଶନୀୟ ୫୮ ରନ୍ କରିଥିବା ଅଧିନାୟକ ବିରାଟ୍ କୋହଲିଙ୍କ ୱିକେଟ୍ ପତନ କିନ୍ତୁ ଏହି ନିର୍ଣ୍ଣାୟକ ଟେଷ୍ଟ୍ ମ୍ୟାଚ୍ରେ ଭ୍ରମଣକାରୀ ଦଳ ପାଇଁ ଶକ୍ତ ଧକ୍କା ଭଳି ହୋଇଥିଲା। କୋହଲି ଆଉଟ୍ ହେବା ପରେ କ୍ରିଜ୍କୁ ଆସିଥିବା ଅଲ୍ରାଉଣ୍ଡର୍ ହାର୍ଦ୍ଦିକ ପାଣ୍ଡ୍ୟା ଖାତା ଖୋଲିବା ପୂର୍ବରୁ ଷ୍ଟୋକ୍ସଙ୍କ ବଲ୍ରେ ଅଧିନାୟକ ରୁଟ୍ଙ୍କ ଦ୍ୱାରା ଧରା ପଡ଼ି ପ୍ୟାଭିଲିୟନ୍ ଫେରିଥିଲେ।
ତେବେ କୋହଲିଙ୍କ ପ୍ରାଇଜ୍ ୱିକେଟ୍ ନେଇଥିଲେ ଅଫ୍ ସ୍ପିନର୍ ମୋଇନ୍ ଅଲ୍ଲୀ। ପାଣ୍ଡ୍ୟାଙ୍କ ପରେ କ୍ରିଜ୍କୁ ଆସିଥିବା ରିଷଭ ପନ୍ତ ଇଂଲିଶ ବୋଲରଙ୍କୁ ଆରମ୍ଭରୁ ଆକ୍ରମଣ କରିଥିଲେ ହେଁ ବେଶୀ ସମୟ ଯାଏ ତିଷ୍ଠି ପାରିନଥିଲେ। ରିଷଭ୍ ମାତ୍ର ୧୨ ବଲ୍ରୁ ୨ ଚୌକା ଓ ଗୋଟିଏ ଛକା ସହ ୧୮ ରନ୍ କରି ପ୍ୟାଭିଲିୟନ୍ ଫେରିଥିଲେ। ପନ୍ତଙ୍କୁ ମୋଇନ ଅଲ୍ଲୀ କୁକ୍ଙ୍କ ଦ୍ୱାରା ଆଉଟ୍ କରିଥିଲେ।
ଚତୁର୍ଥ ଟେଷ୍ଟ୍ର ଚତୁର୍ଥ ଦିନ ଖେଳ ଆରମ୍ଭ ହେବା ମାତ୍ରେ ବେଙ୍ଗଲ୍ ଦ୍ରୁତ ବୋଲର୍ ମହମ୍ମଦ ସାମି ନିଜ ପ୍ରଥମ ବଲ୍ରେ ପୂର୍ବ ଦିନର ଅପରାଜିତ ବ୍ୟାଟ୍ସମ୍ୟାନ୍ ଷ୍ଟୁଆର୍ଟ୍ ବ୍ରଡଙ୍କୁ ୱିକେଟ୍ କିପର୍ ପନ୍ତଙ୍କ ଦ୍ୱାରା କଟ୍ କରାଇ ପ୍ୟାଭିଲିଅନ୍ର ରାସ୍ତା ଦେଖାଇଥିଲେ। ସେତେବଳକୁ ଘରୋଇ ଦଳର ଦ୍ୱିତୀୟ ଇନିଂସ ସ୍କୋର୍ ଥିଲା ୯ ୱିକେଟ୍ରେ ୨୬୦ ରନ୍।
ଗୋଟିଏ ପଟେ ଚମତ୍କାର ବ୍ୟାଟିଂ ଜାରି ରଖିଥିବା ୨୦ ବର୍ଷୀୟ ଅଲ୍ରାଉଣ୍ଡର୍ ସାମ୍ କରାନ୍ ଶେଷ ୱିକେଟ୍ରେ ଆଣ୍ଡରସନ୍ଙ୍କ ୧୧ ରନ୍ ଯୋଡ଼ିବା ପରେ ସେହି ସାମିଙ୍କ ଏକ ଥ୍ରୋ’ରେ ପନ୍ତଙ୍କ ଦ୍ୱାର ଆଉଟ୍ ହୋଇଯିବାରୁ ଇଂଲଣ୍ଡର ଦ୍ୱିତୀୟ ଇନିଂସ୍ ୨୭୧ ରନ୍ରେ ସୀମିତ ରହିଥିଲା। ଭାରତ ପକ୍ଷରୁ ସବୁଠାରୁ ସଫଳ ବୋଲର୍ ଭାବେ ମହମ୍ମଦ ସାମି ୪ଟି ୱିକେଟ୍ ନେଇଥିବାବେଳେ ଇଶାନ୍ତ ଶର୍ମା ୨ଏବଂ ବୁମ୍ରା ଓ ଅଶ୍ୱିନ୍ ପ୍ରତ୍ୟେକ ଗୋଟିଏ ଲେଖାଏ ୱିକେଟ୍ ନେଇଥିଲେ।
ଇଂଳଣ୍ଡ ପକ୍ଷରୁ ଜୋସ୍ ବଟଲର୍ ସର୍ବାଧିକ ୬୯, ଅଧିନାୟକ ଜୋ ରୁଟ୍ ୪୮ ଓ ସାମ୍ କରାନ୍ ୪୬ ରନ୍ କରିଥିଲେ।
୨୪୫ ରନ୍ର ବିଜୟ ଲକ୍ଷ୍ୟ ନେଇ ଦ୍ୱିତୀୟ ଇନିଂସ ଆରମ୍ଭ କରିଥିବା ଭ୍ରମଣକାରୀ ଦଳକୁ କିନ୍ତୁ ଆରମ୍ଭରୁ ଝଟ୍କା ଦେଇଥିଲେ ଦୁଇ ଇଂଲିଶ ଦ୍ରୁତ ବୋଲର୍ ଷ୍ଟୁଆର୍ଟ୍ ବ୍ରଡ୍ ଓ ଜେମ୍ସ୍ ଆଣ୍ଡରସନ୍। ବ୍ରଡ୍ ଲୋକେଶ୍ ରାହୁଲ୍ଙ୍କୁ ବିନା କୌଣସି ରନ୍ରେ ରେଗ୍ ବିଫୋର୍ କରାଇଥିବାବେଳେ ଆଣ୍ଡରସନ୍ ପୂଜାରା ଓ ଧୱନ୍ଙ୍କ ୱିକେଟ୍ ନେଇ ଭାରତକୁ ବ୍ୟାକ୍ଫୁଟ୍କୁ ନେଇ ଯାଇଥିଲେ।
୨୨ ରନ୍ରେ ପ୍ରଥମ ତିନିଟି ୱିକେଟ୍ ପତନ ପରେ କ୍ରିଜ୍କୁ ଆସିଥିବା ଉଭୟ ଅଧିନାୟକ ବିରାଟ୍ କୋହଲି ଓ ଉପଧିନାୟକ ଆଜିଙ୍କ୍ୟା ରାହାଣେ ଦଳର ସ୍ଥିତିକୁ ସଜାଡିଥିଲେ। ତେବେ ଉଭୟେ ଚତୁର୍ଥ ୱିକେଟ୍ ପାଇଁ ଗୁରୁତ୍ୱପୂର୍ଣ୍ଣ ୧୦୧ ରନ୍ ଯୋଡ଼ିବା ପରେ ଭାରତର ବ୍ୟାଟିଂ ବିପର୍ଯ୍ୟୟ ପୁଣି ଆରମ୍ଭ ହୋଇଥିଲା। ଇଂଳଣ୍ଡ ପକ୍ଷରୁ ମୋଇନ୍ ଅଲ୍ଲୀ ୩. ଆଣ୍ଡରସନ୍ ଏବଂ ଷ୍ଟୋକ୍ସ୍ ୨ଟି ଲେଖାଏ ଓ ବ୍ରଡ ଗୋଟିଏ ୱିକେଟ୍ ନେଇଛନ୍ତି।
୫ ଟିକିଆ ସିରିଜ୍ରେ ଏବେ ଟିମ୍ ଇଣ୍ଡିଆ ୧-୨ରେ ପଛୁଆ ରହିଛି।
from Odisha Reporter https://ift.tt/2LOu8dI
No comments:
Post a Comment