
ଭୁବନେଶ୍ୱର,(ଓଡ଼ିଶା ରିପୋର୍ଟର): ସରକାରଙ୍କୁ କନ୍ଷ୍ଟ୍ରକ୍ସନ୍ କମ୍ପାନୀ ଫଣ୍ଡା ଇନ୍ଫ୍ରାର କାଉଣ୍ଚର ଆଟାକ୍। ଜଟଣୀ ଓଭର ବ୍ରିଜ କାମରୁ ଅନ୍ତର କରାଯିବାକୁ ନେଇ ପୂର୍ତ୍ତ ବିଭାଗ ଉପରେ ବର୍ଷିଛି ପଣ୍ଡା ଇନଫ୍ରା କମ୍ପାନୀ। ବିଭାଗର ଦୋଷ ଦୁର୍ବଳତାକୁ ଘଣ୍ଟ ଘୋଡ଼ାଇବା ପାଇଁ ତା’ ବିରୋଧରେ ଚକ୍ରାନ୍ତ କରାଯାଇଥିବା ପାଲଟା ଅଭିଯୋଗ କରି ଚିଠି ଲେଖିଛି ପଣ୍ଡା ଇନ୍ଫ୍ରା। ନିଖିଳ ଓଡିଶା ଠିକାଦାର ସଂଘ ବି ପଣ୍ଡା ସପକ୍ଷରେ ଓକିଲାତି କରିଛି।
ଏପଟେ ପୂର୍ତ୍ତ ସଚିବ କିନ୍ତୁ କୋର୍ଟରେ ଲଢେଇ ପାଇଁ ପ୍ରସ୍ତୁତ ବୋଲି ଚ୍ୟାଲେଞ୍ଜ କରିଛନ୍ତି । ଜଟଣୀ ଓଭରବ୍ରିଜ କାମର ରି -ଟେଣ୍ଡର ପାଇଁ ପ୍ରସ୍ତୁତ ହେଉଛି ପୂର୍ତ୍ତ ବିଭାଗ ।
ବମିଖାଲ ଟ୍ରାଜେଡି ପରେ କଳାତାଲିକା ଭୁକ୍ତ ହୋଇଥିବା ଫଣ୍ଡା ଇନଫ୍ରା ସହ ମୁହାଁମୁହିଁ ହୋଇଛି ପୂର୍ତ୍ତ ବିଭାଗ। ବମିଖାଲ ପରେ ଜଟଣୀ ଓଭରବ୍ରିଜ କାମରେ ମଧ୍ୟ ଅବହେଳା ଓ ଅନୁମତି ନଥାଇ କାମ କରୁଥିବା ଦର୍ଶାଇ ପଣ୍ଡା ଇନ୍ଫ୍ରା ହାତରୁ ପୂର୍ତ୍ତ ବିଭାଗ କାମ ଛଡାଇ ନେବା ପରେ ବିବାଦ ବଢିଛି।
କମ୍ପାନୀ ନାଁରେ ଖୋର୍ଦ୍ଧାର ନିର୍ବାହୀ ଯନ୍ତ୍ରୀ ଦେଇଥିବା ଚିଠିର ଉତ୍ତର ଦେଇ ପାଲଟା ଆକ୍ରମଣ କରିଛି ପଣ୍ଡା ଇନ୍ଫ୍ରା। ପୂର୍ତ୍ତ ବିଭାଗର ସମସ୍ତ ଅଭିଯୋଗକୁ ମିଛ ଓ ନିରାଧାର ବୋଲି କହିଛି ସଂସ୍ଥା । କେବଳ ସେତିକି ନୁହେଁ ବିଭାଗର ଦୋଷ ଦୁର୍ବଳତାକୁ ଘୋଡାଇବା ପାଇଁ କମ୍ପାନୀକୁ ବଦନାମ କରାଯାଉଥିବା ଦର୍ଶାଇଛି ପଣ୍ଡା ଇନ୍ଫ୍ରା। ବିଭାଗର ଅନୁମୋଦନ ଅନୁସାରେ ଜଟଣୀ ଓଭରବ୍ରିଜ୍ କାମ ଆଗକୁ ବଢୁଥିଲା ବୋଲି ଏଥିରେ ଉତ୍ତର ରଖାଯାଇଛି। ନିଖିଳ ଉତ୍କଳ ଠିକାଦର ସଂଘ ବି ସଂସ୍ଥା ସପକ୍ଷରେ ବାହାରିଛି।
ଏପଟେ ଜଟଣୀ ଓଭର ବ୍ରିଜର ରି-ଟେଣ୍ଡର ପାଇଁ ପ୍ରସ୍ତୁତି ଆରମ୍ଭ କରିଛି ପୂର୍ତ୍ତ ବିଭାଗ। ପୂର୍ତ୍ତ ବିଭାଗର ଏକ ଟିମ୍ ଆଜି ପ୍ରକଳ୍ପ ସ୍ଥଳକୁ ଯାଇ ଫ୍ଲାଇଓଭର କାମର ମାପଚୁପ କରିଛନ୍ତି। କେତେ କାମ ହୋଇଛି ଓ କେତେ କାମ ବାକିଅଛି ତା’ର ରିପୋର୍ଟ ପ୍ରସ୍ତୁତ କଲା ପରେ ପୁଣି ଟେଣ୍ଡର କରାଯିବ ବୋଲି ବିଭାଗ କହିଛି। ତେବେ ପଣ୍ଡା ଇନ୍ଫ୍ରା ବର୍ତ୍ତମାନ ସୁଦ୍ଧା ଓଭର ବ୍ରିଜର ମାତ୍ର ୩୦ ପ୍ରତିଶତ କାମ ସାରିଛି ।
କାମ ନିମ୍ନମାନର ତଥା ପାଇଲିଂ ନିର୍ମାଣରେ ୬୦ ଫୁଟ ଜାଗାରେ ୨୦ ଫୁଟର ରଡ ବ୍ୟବାହର ନେଇ ଅଭିଯୋଗ ହେବା ପରେ ଭିଜିଲାନ୍ସ ଓ ରାଉରକେଲା ଏନ୍ଆଇଟି ଏହାର ତଦନ୍ତ କରୁଛି । ପ୍ରଥମେ ଏହି ଅଭିଯୋଗ ଆଣିଥିବା ଜଟଣୀ ବ୍ୟବସାୟୀ ସଂଘ ପୂର୍ତ୍ତ ବିଭାଗ ଅଧିକାରୀଙ୍କ ବିରୋଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଦାବି କରିଛି।
ଜଟଣୀ ସୀତାରାମ ଛକରୁ କୁଦିଆରୀ ପର୍ଯ୍ୟନ୍ତ ଓଭର ବ୍ରିଜ କାମର ଟେଣ୍ଡର ପାଇଥିଲା ପଣ୍ଡା ଇନ୍ଫ୍ରା କମ୍ପାନୀ। ୨୦୧୭ରେ କାମ ସରିବା କଥା। ଏହା ଭିତରେ ପଣ୍ଡା ଇନ୍ଫ୍ରା ବମିଖାଲ ବ୍ରିଜ ଟ୍ରାଜେଡିରେ ଫସିବା ପରେ ଏହା ପାଇଁ ଅଡ଼ୁଆ ବଢିଥିଲା। ସମ୍ବଲପୁର ଫ୍ଲାଇଓଭର କାମ କରୁଥିବା ପଣ୍ଡା ଇନ୍ଫ୍ରା ହାତରୁ କାମ ଛଡାଇ ନେବାକୁ ବି ପ୍ରସ୍ତୁତ ହେଇଛି ପୂର୍ତ୍ତ ବିଭାଗ।
from Odisha Reporter https://ift.tt/2LPgdEl
No comments:
Post a Comment