
ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ତୈଳ ଦର ବୃଦ୍ଧି ପ୍ରତିବାଦରେ ଆଜି କଂଗ୍ରେସ ଦେଇଥିଲା ଭାରତ ବନ୍ଦ ଡାକରା। ଏହାର ପ୍ରଭାବ ସବୁଠି ଦେଖିବାକୁ ମିଳିଥିଲା। ବସ୍, ଟ୍ରେନ୍ ଚଳାଚଳ ଠପ୍ ହୋଇଥିଲା। ଲୋକେ ନିଜର ଗନ୍ତବ୍ୟସ୍ଥଳକୁ ଯାଇନପାରି ନାକେଦମ୍ ହୋଇଥିଲେ। ସତେ ଯେମିତି ଲାଗୁଥିଲା ତେଲରେ ଅଟକିଯାଇଥିଲା ଦ୍ୱୈତ ନଗରୀ କଟକ ଓ ଭୁବନେଶ୍ୱର।
ଏଥିରୁ ବାଦ୍ ପଡ଼ିନଥିଲା ରାଜ୍ୟର ଅନ୍ୟାନ୍ୟ ସହର। କାଁଭାଁ ଗଣ୍ଡଗୋଳକୁ ଛାଡ଼ିଦେଲେ ବନ୍ଦ ଶାନ୍ତିପୂର୍ଣ୍ଣଭାବେ ଶେଷ ହୋଇଛି।
ଆଜି ସକାଳ ୬ଟା ପରେ ଭୁବନେଶ୍ୱର ରେଳଷ୍ଟେସନରୁ ସମ୍ପୂର୍ଣ୍ଣ ଠପ୍ ହୋଇଯାଇଥିଲା ଟ୍ରେନ୍ ସେବା। ଉପାୟଶୂନ୍ୟ ହୋଇ ଗନ୍ତବ୍ୟ ସ୍ଥଳକୁ ଯିବା ପାଇଁ ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରିଥିଲେ ଯାତ୍ରୀ। ବିମାନବନ୍ଦର ଗେଟ୍ ନିକଟରେ ମଧ୍ୟ ଦେଖିବାକୁ ମିଳିଥିଲା ସମାନ ଚିତ୍ର।
ଗହଳି ଚହଳିରେ ଫାଟିପଡ଼ୁଥିବା ବରମୁଣ୍ଡା ବସଷ୍ଟାଣ୍ଡ ଖାଁ ଖାଁ ଲାଗୁଥିଲା। ଯେଉଁମାନେ ଅଟକି ଯାଇଥିଲେ, ସେମାନଙ୍କ ଦୁର୍ଦ୍ଦଶା ଦୁଇଗୁଣା ହୋଇ ଯାଇଥିଲା। ଅପେକ୍ଷାରତ ଯାତ୍ରୀଙ୍କ ଭିତରେ ଅଧିକ ବାରି ହୋଇ ପଡିଥିଲେ ଫୁଲବାଣୀରୁ ଆସିଥିବା ଏକ ପରିବାର। ଆସନ୍ତାକାଲି ୧୦ ବର୍ଷର ପୁଅର କଲିକତାରେ ହାର୍ଟ ଅପରେସନ ପାଇଁ ଦିନ ଧାର୍ଯ୍ୟ ହୋଇଥିଲେ ମଧ୍ୟ ବନ୍ଦ ଯୋଗୁ ସେମାନେ ଏଠି ଅଟକି ଚିନ୍ତାରେ ପଡ଼ି ଯାଇଛନ୍ତି।
ଚାଲି ଚାଲି ବିଧାନସଭା ଆସିଲେ ବିଜେଡି ବିଧାୟକ
ବନ୍ଦ ପାଳନ ସତ୍ତ୍ୱେ ଆଜି ବିଧାନସଭା ଓ ସଚିବାଳୟ ଆସିଥିଲେ ମୁଖ୍ୟମନ୍ତ୍ରୀ, ମନ୍ତ୍ରୀ, ବିଧାୟକ ଓ ଅଫିସର। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୪ ମିନିଟ୍ ବିଳମ୍ବରେ ବିଧାନସଭାରେ ପହଞ୍ଚିଥିଲେ। ତେବେ ମନ୍ତ୍ରୀ ଅଶୋକ ପଣ୍ଡା, ନିରଞ୍ଜନ ପୂଜାରୀ ଓ ପୂର୍ତ୍ତ ସଚିବ ନଳିନୀ ପ୍ରଧାନ ପ୍ରମୁଖ ବାଇକ୍ରେ ଆସିଥିଲେ।
ଏମିତିକି ଏକାଧିକ ସଚିବ ଗୋଟିଏ ଗାଡ଼ିରେ ବସି ଆସିଥିବା ଦେଖିବାକୁ ମିଳିଥିଲା। ତେବେ ବିଜେଡି ବିଧାୟକ କ୍ୟାପେଟନ୍ ଦିବ୍ୟଶଙ୍କର ମିଶ୍ର ଓ ରାସେଶ୍ୱରୀ ପାଣିଗ୍ରାହୀ ଚାଲି ଚାଲି ବିଧାନସଭା ଆସିଥିଲେ। ଉନ୍ନୟନ କମିଶନର ଆର.ବାଲକ୍ରିଷ୍ଣନ ଏଜି ଛକରୁ ସଚିବାଳୟ ଅଭିମୁଖେ ଆସୁଥିବା ବେଳେ ତାଙ୍କୁ ଘେରିଯାଇ ବନ୍ଦ ପାଳନର ନାରା ଦେଇଥିଲେ କଂଗ୍ରେସ କର୍ମୀ।
ପ୍ୟାଟ୍ରୋଲିଂ ଗାଡ଼ିରେ ଲାଗିଲା କଂଗ୍ରେସ ପତାକା
ଭାରତ ବନ୍ଦବେଳେ କେତେକ ସ୍ଥାନରେ ସୃଷ୍ଟି ହୋଇଥିଲା କାଁ ଭାଁ ଉତ୍ତେଜନାମୂଳକ ପରିସ୍ଥିତି। ଭୁବନେଶ୍ୱର ସତସଙ୍ଗ ବିହାର ଛକରେ ପୁଲିସ ପ୍ୟାଟ୍ରୋଲିଂ ଗାଡ଼ିରେ କେହି କଂଗ୍ରେସ ପତାକା ଲଗାଇ ଦେଇଥିଲେ। ଏହାକୁ ନେଇ କିଛି ସମୟ ପାଇଁ ଆନ୍ଦୋଳନକାରୀ ଓ ପୁଲିସ ମଧ୍ୟରେ ବଚସା ହୋଇଥିଲା।
ପୁରୀ ଜିଲ୍ଲା କାକଟପୁରରେ କଂଗ୍ରେସ କର୍ମୀ ତହସିଲ ଅଫିସ୍ରେ ତାଲା ଭାଙ୍ଗି ଧସେଇ ପଶି କର୍ମଚାରୀଙ୍କୁ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ନବରଙ୍ଗପୁରରେ କଂଗ୍ରେସ କର୍ମୀ ଜିଲ୍ଲାପାଳଙ୍କ ଅଫିସ ଗେଟ୍ ଭାଙ୍ଗି ଧସେଇ ପଶିଥିବା ବେଳେ ସମ୍ବଲପୁରରେ ଜିଲ୍ଲାପାଳଙ୍କ ପ୍ରକୋଷ୍ଠକୁ ପଶି ଆସି ଅଫିସ୍ ବନ୍ଦ କରିବାକୁ କହିଥିଲେ। ବାଲେଶ୍ୱର ରେମୁଣାରେ ମଧ୍ୟ ଗଣ୍ଡଗୋଳ ହୋଇଛି। ତେବେ କାକଟପୁର ଓ ରେମୁଣା ଘଟଣାର ତଦନ୍ତ ପାଇଁ ଏକ ୩ ଜଣିଆ କମିଟି ଗଠନ କରିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ।
from Odisha Reporter https://ift.tt/2x24Kvp
No comments:
Post a Comment