
ଆବୁଧାବି: ୧୪ ମାସ ପରେ ଗତକାଲି ବାଂଲାଦେଶ ବିପକ୍ଷରେ ପ୍ରଥମ ଦିନିକିଆ ମ୍ୟାଚ୍ ଖେଳିଥିବା ରବୀନ୍ଦ୍ର ଜାଡେଜା ଜବରଦସ୍ତ ପ୍ରଦର୍ଶନ କରିଛନ୍ତି।
ପାକିସ୍ତାନ ବିପକ୍ଷ ମ୍ୟାଚ୍ ବେଳେ ହାର୍ଦ୍ଦିକ ପାଣ୍ଡ୍ୟା ଆହତ ହେବା କାରଣରୁ ଗତକାଲି ମ୍ୟାଚ୍ରେ ଜାଡେଜାଙ୍କୁ ସୁଯୋଗ ମିଳିଥିଲା। ଆଉ ସେ ଏହାର ପୂରା ଫାଇଦା ଉଠାଇଥିଲେ।
ସେ ୧୦ ଓଭର ବୋଲିଂ କରି ମାତ୍ର ୨୯ ରନ୍ ଦେଇ ୪ଟି ୱିକେଟ୍ ନେଇଥିଲେ। ସେ ବାଂଲାଦେଶର ମିଡିଲ୍ ଅର୍ଡର ବ୍ୟାଟ୍ସମ୍ୟାନ୍ଙ୍କୁ ଗୋଟିଏ ଗୋଟିଏ ରନ୍ ପାଇଁ କଠିନ ସଂଗ୍ରାମ କରିବାକୁ ବାଧ୍ୟ କରିଥିଲେ।
୧୦ମ ଓଭରରେ ଜାଡେଜା ବୋଲିଂ କରିବାକୁ ଆସିଥିଲେ। ଶକିବ୍ ଅଲ ହସନ୍ ଦୁଇଟି ଚୌକା ମାରି ତାଙ୍କୁ ସ୍ୱାଗତ କରିଥିଲେ। କିନ୍ତୁ ଜାଡେଜା ବି ସଙ୍ଗେ ସଙ୍ଗେ ପ୍ରତିଶୋଧ ନେଇଥିଲେ। ତାଙ୍କ ବଲ୍ରେ ଆଉ ଏକ ବଡ଼ ଶଟ୍ ଖେଳିଲା ବେଳେ ଶିଖର ଧୱନଙ୍କ ହାତରେ କ୍ୟାଚ୍ ଆଉଟ୍ ହୋଇଥିଲେ ଶକିବ୍। ସେ ମାତ୍ର ୧୭ ରନ୍ କରିଥିଲେ।
ତା’ପରେ ଜାଡେଜାଙ୍କ ଶିକାର ହୋଇଥିଲେ ମହମ୍ମଦ ମିଥୁନ। ସେ ମାତ୍ର ୯ ରନ୍ କରିଥିବା ବେଳେ ଏଲ୍ବିଡବ୍ଲ୍ୟୁ ହୋଇଥିଲେ। ତା’ପରେ ମୁଶଫିକୁର ରହିମ୍ଙ୍କୁ ଆଉଟ୍ କରିଥିଲେ ଜାଡେଜା। ସଂଘର୍ଷ କରି ୪୫ ବଲ୍ରେ ୨୧ ରନ୍ କରିଥିବା ବେଳେ ଜାଡେଜାଙ୍କ ଏକ ବଲ୍ରେ ଚହଲଙ୍କ ହାତରେ ସେ କ୍ୟାଚ୍ ଆଉଟ୍ ହୋଇଥିଲେ।
ଜାଡେଜାଙ୍କ ଚତୁର୍ଥ ଶିକାର ହୋଇଥିଲେ ମୌସାଦିକ ହୁସୈନ। ସେ ୧୨ ରନ୍ କରି ଧୋନିଙ୍କ ହାତରେ କ୍ୟାଚ୍ ଆଉଟ୍ ହୋଇଥିଲେ।
ରବୀନ୍ଦ୍ର ଜାଡେଜାଙ୍କୁ ଗତକାଲି ‘ମ୍ୟାନ୍ ଅଫ୍ ଦ ମ୍ୟାଚ୍’ ପୁରସ୍କାର ପ୍ରଦାନ କରାଯାଇଥିଲା।
ଭାରତ ଏହି ମ୍ୟାଚ୍ ଜିତିଥିଲା। ରୋହିତ୍ ଶର୍ମା ଅପରାଜିତ ରହି ୮୩ ରନ୍ କରିଥିବା ବେଳେ ଶିଖର ଧୱନ ୪୦ ରନ୍ କରିଥିଲେ। ଅମ୍ବାତି ରାୟୁଡୁ ମାତ୍ର ୧୩ ରନ୍ କରି ଆଉଟ୍ ହୋଇଥିବା ବେଳେ ଧୋନି ୩୩ ରନ୍ କରିଥିଲେ।
from Odisha Reporter https://ift.tt/2xGaHP6
No comments:
Post a Comment