
ସାଲେପୁର( ଓଡ଼ିଶା ରିପୋର୍ଟର) : ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡାଙ୍କ ହେଲିକପ୍ଟରକୁ ଜବତ ଓ ହାଙ୍ଗରକୁ ସିଲ୍ କରାଯିବା ପରେ ସେ ସାଲେପୁରରେ ଆଜି ‘ହେଇଯାଉ’ କାର୍ଯ୍ୟକ୍ରମରେ ନିଜର ଆଭିମୁଖ୍ୟକୁ ସ୍ପଷ୍ଟ କରିଛନ୍ତି।
ସାଲେପୁରରେ ‘ହେଇଯାଉ’ କାର୍ଯ୍ୟକ୍ରମରେ ଲୋକଙ୍କ ସହ ଚା’ ପିଇବା ଅବସରରେ ଓଡ଼ିଶା, କୋଣାର୍କ ମନ୍ଦିର ଓ ଜଗନ୍ନାଥ ମନ୍ଦିର ପ୍ରସଙ୍ଗରେ ସାମ୍ବାଦିକ ଅଭିଜିତ୍ ଆୟାର ମିତ୍ର ଦେଇଥିବା ବିବାଦୀୟ ବୟାନ ଉପରେ ଶ୍ରୀ ପଣ୍ଡା ପ୍ରତିକ୍ରିୟା ରଖିଛନ୍ତି।
ଲୋକଙ୍କ ବିଭିନ୍ନ ପ୍ରଶ୍ନର ଉତ୍ତର ଦେଇ ଶ୍ରୀ ପଣ୍ଡା କହିଛନ୍ତି ଯେ ଅଭିଜିତ୍ ଆୟର ମିତ୍ର ତାଙ୍କର ବନ୍ଧୁ ନୁହଁନ୍ତି। କିଛିବର୍ଷ ହେଲା ବାହାରୁ ଆସୁଥିବା ବହୁ ସାମ୍ବାଦିକଙ୍କୁ ସେ ହେଲିକପ୍ଟରରେ ଓଡ଼ିଶା ବୁଲାଇ ରାଜ୍ୟର କଳା,ସୌନ୍ଦର୍ଯ୍ୟ ଦେଖାଇଥାନ୍ତି। ଅଭିଜିତଙ୍କ ସହ ତାଙ୍କର ପୂର୍ବରୁ ଦୁଇଥର ଭେଟ ହୋଇଥିଲା। ଅଭିଜିତଙ୍କ ବିବାଦୀୟ ମନ୍ତବ୍ୟ ସହ ତାଙ୍କର କୌଣସି ସମ୍ପର୍କ ବା ଭୂମିକା ନାହିଁ।
ତେବେ ଅଭିଜିତ୍ କୋଣାର୍କ ସମ୍ପର୍କରେ ଯେଉଁ ଭିଡିଓ ସୋଶାଲ ମିଡିଆରେ ଅପଲୋଡ୍ କରିଛନ୍ତି ତାକୁ ସେ ପସନ୍ଦ କରନ୍ତି ନାହିଁ. ସେ ତା’ର ନିନ୍ଦା କରୁଛନ୍ତି। ଅଭିଜିତ୍ ଏହି ଘଟଣା ପାଇଁ କ୍ଷମା ମାଗିବା ଦରକାର। ସେ ଏଭଳି କଲେ ଭଲ ହୁଅନ୍ତା। ଯଦି ସେଭଳି ନକରନ୍ତି ତେବେ ଏହି ଘଟଣାରେ କୋର୍ଟ ଓ ବିଧାନସଭା ଯାହା ପଦକ୍ଷେପ ନେବାକଥା ନେବେ ବୋଲି ଶ୍ରୀ ପଣ୍ଡା କହିଛନ୍ତି।
ଏହା ସହିତ ତାଙ୍କର ହେଲିକପ୍ଟର ସିଲ୍ କରାଯିବା ଘଟଣାରେ ଶ୍ରୀ ପଣ୍ଡା କହିଛନ୍ତି ଯେ ଏହା ତାଙ୍କ ବିରୋଧରେ ଏକ ଷଡ଼ଯନ୍ତ୍ର। ସେ ହେଲିକପ୍ଟରରେ ନହେଲେ ବି ଗାଡ଼ିରେ ବୁଲି ଲୋକଙ୍କୁ ଭେଟିପାରିବେ। ଲୋକଙ୍କ ସହ ମିଶିବାରୁ ତାଙ୍କୁ କେହି ଦୂରେଇ ରଖିପାରିବେ ନାହିିଁ। ତେବେ ଏହି ଘଟଣା ପରେ ତାଙ୍କ ପ୍ରତି ଲୋକଙ୍କ ଭଲପାଇବା ଓ ସମର୍ଥନ ଅଧିକ ବଢ଼ିଥିବା ସେ ଅନୁଭବ କରିଛନ୍ତି ବୋଲି କହିଛନ୍ତି।
ସୂଚନାଯୋଗ୍ୟ, ସାଂସଦ ପଦରୁ ଇସ୍ତଫା ଦେବା ପରେ ଶ୍ରୀ ପଣ୍ଡା ବିଭିନ୍ନ ସ୍ଥାନରେ ‘ହେଇଯାଉ’ କାର୍ଯ୍ୟକ୍ରମ ଆରମ୍ଭ କରି ତା’ ଜରିଆରେ ଲୋକଙ୍କ ସହ ଚା’ ପିଇ ବିଭିନ୍ନ ପ୍ରସଙ୍ଗରେ ସେମାନଙ୍କର ମତାମତ ନେଉଛନ୍ତି।
from Odisha Reporter https://ift.tt/2DyKPLf
No comments:
Post a Comment