
କୋରାପୁଟ (ସୂର୍ଯ୍ୟନାରାୟଣ ପଣ୍ଡା): କିଏ କହିଲା ସମାଜରେ ମାନବିକତା ନାହିଁ? ଯଦି ମାନବିକତା ନ ଥାଆନ୍ତା, ତାହାହେଲେ ହୁଏତ ସସ୍ମିତା (ଛଦ୍ମନାମ) ସୁରକ୍ଷିତ ଘରକୁ ଫେରି ନ ଥାଆନ୍ତା। କେଜାଣି କେଉଁଠି ଘୂରି ବୁଲୁ ଥାଆନ୍ତା ଓ କାହାର ଲୋଲୁପ ଦୃଷ୍ଟିର ଶିକାର ହୋଇଥାଆନ୍ତା। ସସ୍ମିତାକୁ ନୂଆ ଜୀବନ ଦେଇଛନ୍ତି ଜଣେ ଆଦିବାସୀ ମହିଳା। ସେ ହେଉଛନ୍ତି ରଙ୍ଗବାଲି କୁମ୍ଭାର। ସେଥିପାଇଁ କୋରାପୁଟ୍ ଟାଉନ୍ ଥାନା ପୁଲିସ ତାଙ୍କୁ ଶାଢ଼ି ଦେଇ ସମ୍ମାନିତ କରିଛି।
ପୂରା ଘଟଣା ଏମିତି। ସସ୍ମିତା ଚତୁର୍ଥ ଶ୍ରେଣୀରେ ପଢ଼ନ୍ତି। ସବୁଦିନ ପରି ଗତକାଲି ମଧ୍ୟ ସେ ସ୍କୁଲ୍ ଯାଇଥିଲେ। ପ୍ରାର୍ଥନା ଚାଲିଥିବା ବେଳେ ନିଜ ଡ୍ରେସ୍ରେ ମଳତ୍ୟାଗ କରିଦେଇଥିଲେ। ସେଥିପାଇଁ ସ୍କୁଲର ଶିକ୍ଷକ ତାକୁ ଘରକୁ ପଠାଇ ଦେଇଥିଲେ। ମାତ୍ର ସସ୍ମିତା ଘରକୁ ଯାଇନଥିଲେ।
ଅପରାହ୍ନରେ ଝିଅ ଘରକୁ ନଆସିବାରୁ ପରିବାର ଲୋକେ ସ୍କୁଲକୁ ଯାଇଥିଲେ। ଡ୍ରେସ୍ରେ ମଳତ୍ୟାଗ କରିଥିବାରୁ ଘରକୁ ପଠାଯାଇଥିଲା ବୋଲି ସ୍କୁଲ କର୍ତ୍ତୃପକ୍ଷ କହିଥିଲେ। ଏକଥା ଶୁଣିବା ପରେ ପରିବାର ଲୋକଙ୍କ ଅକଲ ଗୁଡ଼ୁମ ହୋଇଯାଇଥିଲା। ଏହା ପରେ ସେମାନେ ଝିଅ ନିଖୋଜ ହୋଇଥିବା କୋରାପୁଟ ସଦର ଥାନାରେ ଅଭିଯୋଗ କରିଥିଲେ। ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା। ମାତ୍ର ଛାତ୍ରୀଙ୍କ ପତ୍ତା ପାଇନଥିଲା।
ଗତକାଲି ରାତି ପ୍ରାୟ ୯ଟା ବେଳକୁ ତରବରିଆ ଭାବେ ରଙ୍ଗବାଲି ଘରକୁ ଫେରୁଥିଲେ। ଏହି ସମୟରେ ଦେଖିଲେ ଜଗନ୍ନାଥ ମନ୍ଦିର ଛକ ନିକଟସ୍ଥ ଏକ ଗଛମୂଳରେ ଝିଅଟିଏ ବସି କାନ୍ଦୁଛି। ରଙ୍ଗବାଲି ସଙ୍ଗେ ସଙ୍ଗେ ତାକୁ ସାଥୀରେ ନିଜ ଘରକୁ ନେଇଯାଇଥିଲେ। ନିଜ ହାତରେ ସସ୍ମିତାର ମଳଯୁକ୍ତ ଡ୍ରେସ୍କୁ ସଫା କଲା ପରେ ଘରେ ଥିବା ସଫା ଲୁଗା ପିନ୍ଧିବାକୁ ଦେଇଥିଲା।
ଆଜି ସକାଳେ ରଙ୍ଗବାଲି ଏନେଇ ଟାଉନ ଥାନାକୁ ଖବର ଦେଇଥିଲେ। ପୁଲିସକୁ ଝିଅକୁ ଉଦ୍ଧାର କରି ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି। ତେବେ ଝିଅଟି କାହିଁକି ଘରକୁ ନଯାଇ ଚାରିଆଡେ ବୁଲୁ ଥିଲା ସେ ସମ୍ପର୍କରେ କିଛି କହୁନାହିଁ।
ସସ୍ମିତାକୁ ଉଦ୍ଧାର କରି ନିଜ ଘରେ ସୁରକ୍ଷିତ ରଖିଥିବାରୁ ରଙ୍ଗବାଲିଙ୍କୁ ସଦର ଥାନା ପୁଲିସ ତାଙ୍କୁ ଏକ ଶାଢ଼ୀ ଦେଇ ସମ୍ମାନିତ କରିଛି। ଏବେବି ସମାଜରେ ମାନବିକତା ବଞ୍ଚି ରହିଛି ବୋଲି ଟାଉନଥାନା ଅଧିକାରୀ କ୍ଷୀରେଶ୍ୱର ସାହୁ କହିଛନ୍ତି।
from Odisha Reporter https://ift.tt/2NOLCwo
No comments:
Post a Comment