
ନୂଆଦିଲ୍ଲୀ: ଗୋଟିଏ ପଟେ ଭାରତ-ପାକିସ୍ତାନ ମଧ୍ୟରେ କ୍ରିକେଟ୍ ମ୍ୟାଚ୍ ଦୁବାଇରେ ଆରମ୍ଭ ହେବାକୁ ଥିବା ବେଳେ ଅନ୍ୟପଟେ ସୀମାରେ ଇସ୍ଲାମାବାଦ ବର୍ବରତାର ସୀମା ଟପିଛି।
ଜମ୍ମୁ ସ୍ଥିତ ଅନ୍ତର୍ଜାତୀୟ ସୀମାରେଖା ନିକଟରେ କାର୍ଯ୍ୟରତ ଜଣେ ବିଏସ୍ଏଫ୍ ଯବାନଙ୍କୁ ପାକିସ୍ତାନ ସେନା ଅପହରଣ କରିବା ପରେ ଅତି ଅମାନୁଷିକ ଭାବେ ଗଳାକାଟି ହତ୍ୟା କରିଛନ୍ତି।ଏହି ଘଟଣା ପରେ ଦୁଇ ଦେଶ ମଧ୍ୟରେ ପୁଣି ବିବାଦ ଆରମ୍ଭ ହୋଇଯାଇଛି।
ମଙ୍ଗଳବାର ବିଳମ୍ବିତ ରାତିରେ ବିଏସ୍ଏଫ୍ ଯବାନମାନେ ରାମଗଡ଼ ସେକ୍ଟର୍ରେ ପ୍ରହରା ଦେଉଥିଲେ। ଏହି ସମୟରେ ବିଏସ୍ଏଫ୍ର ମୁଖ୍ୟ କନଷ୍ଟେବଲ୍ ନରେନ୍ଦ୍ର କୁମାରଙ୍କୁ ଏକାକୀ ପାଇ ପାକିସ୍ତାନ ରେଞ୍ଜର୍ସମାନେ ଅପହରଣ କରିନେଇଥିଲେ।

ଭାରତୀୟ ଯବାନମାନେ ପାକିସ୍ତାନ ରେଞ୍ଜର୍ସ ସହ ମିଶି ନିଖୋଜ ନରେନ୍ଦ୍ରଙ୍କୁ ଖୋଜିବାକୁ କହିଥିଲେ ହେଁ ସେମାନେ ଏଥିପ୍ରତି କର୍ଣ୍ଣପାତ କରି ନଥିଲେ। ଭାରତୀୟ ଯବାନମାନେ ସୀମା ନିକଟରେ ସୂର୍ଯ୍ୟ ଉଦୟ ଯାଏ ଅପେକ୍ଷା କରିବା ପରେ ନରେନ୍ଦ୍ରଙ୍କ ମୃତଦେହ ଉଦ୍ଧାର କରିଥିଲେ।
ତାଙ୍କ ଶରୀରରେ ୩ଟି ଗୁଳିମାଡ଼ର ଚିହ୍ନ ରହିଥିବା ବେଳେ ତାଙ୍କ ଗଳାକୁ ମଧ୍ୟ ଧାରୁଆ ଅସ୍ତ୍ରରେ କଟା ଯାଇଥିବା ଦେଖିବାକୁ ମିଳିଥିଲା। ପ୍ରଥମଥର ପାଇଁ ଅନ୍ତର୍ଜାତୀୟ ସୀମାନ୍ତରେ ଭାରତୀୟ ଯବାନଙ୍କ ସହ ଏଭଳି ବର୍ବରୋଚିତ କାଣ୍ଡ ଘଟିଛି। ତେଣୁ ଏହାକୁ ସେନା ପକ୍ଷରୁ ଗୁରୁତ୍ୱର ସହ ନିଆଯାଇଛି। ଡିଜିଏମ୍ଓ ଓ ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ଏହି ପ୍ରସଙ୍ଗକୁ ସେମାନଙ୍କ ପାକ୍ ପ୍ରତିପକ୍ଷଙ୍କ ଆଗରେ ଉଠାଯିବ ବୋଲି ଜଣାପଡ଼ିଛି।
ଅନ୍ୟପକ୍ଷରେ ଏହି ଘଟଣା ପରେ ଆଇବି ଓ ଏଲ୍ଓସିରେ ହାଇଆଲର୍ଟ ଜାରି କରାଯାଇଛି।
from Odisha Reporter https://ift.tt/2plRoHi
No comments:
Post a Comment