
ଉଦଳା (ମାନସ ପାଣି): ସନ୍ଧ୍ୟାରେ ଜମିଥିଲା ତାସ ଖେଳ। ଏଥିରେ ବାଜି ଲାଗିଥିଲା ଟଙ୍କା। ଆଉ ଏହି ବାଜି ହାରିବାରୁ ଚାଲିଗଲା ଜଣଙ୍କର ଜୀବନ। ତିନି ସାଙ୍ଗ ମିଶି ତଣ୍ଟି ଚିପି ହତ୍ୟାକରି ଜଙ୍ଗଲ ଭିତରେ ତାଙ୍କୁ ପୋତି ଦେଇଥିଲେ।
ମୃତ୍ୟୁର ୮ ଦିନ ପରେ ଘଟଣା ଉପରୁ ପର୍ଦ୍ଦା ଉଠାଇଛି ପୁଲିସ। ଏପରି ଘଟଣା ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ଥାନା ବିଦ୍ୟାଧରନଗରରେ ଘଟିଛି।
ଗତ ୧୭ ତାରିଖ ବିଦ୍ୟାଧରନଗର ଗାଁର ଚାମା ସିଜୋଇ ହାଟକୁ ଯାଇଥିଲେ। ସନ୍ଧ୍ୟାବେଳେ ଘରକୁ ଫେରି ଖାଇ ସାଙ୍ଗମାନଙ୍କ ସହିତ ତାସ ଖେଳିବାକୁ ଯାଇଥିଲେ। ଖେଳ ସମୟରେ ୪୦ ଟଙ୍କା ବାଜି ଲଗା ଯାଇଥିଲା। ଆଉ ସେହି ବାଜିରେ ଚାମା ହାରି ଯାଇଥିଲେ। ଏଥିପାଇଁ ଚାମାଙ୍କୁ ଟଙ୍କା ମାଗିଥିଲେ ତାଙ୍କର ତିନି ସାଙ୍ଗ। ମାତ୍ର ସେ ଏଥିରେ ରାଜି ହୋଇନଥିଲେ। ଫଳରେ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା।
ଏଥିରେ ଉତ୍କ୍ଷିପ୍ତ ହୋଇ ଅଲକୁଦର ଗାଁର ସୁରେନ୍ଦ୍ର ପାତ୍ର ଓ ତାଙ୍କର ଦୁଇ ସାଙ୍ଗ ମିଶି ଏକ ଚେନ୍ରେ ଚାମାଙ୍କ ବେକକୁ ଚିପି ହତ୍ୟା କରିଥିବା ଅଭିଯୋଗ ହୋଇଛି। ପରେ ସେମାନେ ମୃତଦେହକୁ ଏକ କିଲୋମିଟର ଦୂର ଗୁଣ୍ଢିହୁଡ଼ି ଗ୍ରାମ୍ୟ ଜଙ୍ଗଲରେ ପୋତି ଦେଇଥିଲେ।
ଚାମା ଘରକୁ ନଫେରିବାରୁ ପରିବାର ଲୋକେ ଚାରିଆଡ଼େ ଖୋଜିଥିଲେ। ମାତ୍ର ପାଇନଥିଲେ। ପରେ ଏନେଇ କପ୍ତିପଦା ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା। ତେବେ ପୁଲିସ ସନ୍ଦେହରେ ସୁରେନ୍ଦ୍ରକୁ ପଚରାଉଚରା କରୁଥିଲା। ଜେରା ବେଳେ ସେ ପୂରା ଘଟଣା ସମ୍ପର୍କରେ ପୁଲିସକୁ କହିଥିଲା।
କପ୍ତିପଦା ଥାନା ପୁଲିସ ସାଇଣ୍ଟିଫିକ୍ ଟିମ୍ ସହାୟତାରେ ମାଜିଷ୍ଟ୍ରେଟ୍ଙ୍କ ଉପସ୍ଥିତିରେ ଜଙ୍ଗଲରେ ମାଟି ତଳୁ ଚାମାଙ୍କ ମୃତଦେହ ଉଦ୍ଧାର କରିଛି। ତାସ୍ ଖେଳରେ ହାରିବା ଯୋଗୁ ଅନ୍ୟ ଦୁଇ ସାଙ୍ଗଙ୍କ ସହ ମିଶି ଚାମାକୁ ହତ୍ୟା କରିଥିବା ସୁରେନ୍ଦ୍ର ସ୍ୱୀକାର କରିଛି। ତେବେ ଅନ୍ୟ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିବାକୁ ପୁଲିସ ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ରଖିଛି।
from Odisha Reporter https://ift.tt/2IjcDlG
No comments:
Post a Comment