
ମିରଟ: ସମସ୍ତଙ୍କୁ ଆଶ୍ଚର୍ଯ୍ୟ କଲା ଭଳି ଏକ ଭିଡିଓ ଏବେ ସାମ୍ନାକୁ ଆସିଛି। ଯେଉଁ ଭିଡିଓରେ ଜଣେ ଯୁବତୀଙ୍କୁ କିଛି ମହିଳା ଓ ପୁରୁଷ ପୁଲିସ୍ କନଷ୍ଟେବଲ୍ ମାଡ଼ ମାରୁଥିବା ଦେଖିବାକୁ ମିଳିଛି। ଏଥିସହ ଜଣେ ପୁଲିସ୍ ବାବୁ ମଧ୍ୟ ଯୁବତୀଙ୍କୁ କାହିଁକି ହିନ୍ଦୁଙ୍କ ବଦଳରେ ଜଣେ ମୁସଲିମ୍ ବ୍ୟକ୍ତିଙ୍କୁ ପସନ୍ଦ କଲୁ ବୋଲି ପ୍ରଶ୍ନ କରୁଥିବା ଶୁଣିବାକୁ ମିଳୁଛି। ଏହି ଭିଡିଓଟି ଉତ୍ତର ପ୍ରଦେଶର ମୀରଟ୍ ଅଞ୍ଚଳର ବୋଲି ଜଣାପଡ଼ିଛି।
ଏହି ଯୁବତୀ ଜଣଙ୍କୁ କିଛି ଲୋକ ମାଡ଼ ମାରୁଥିବା ବେଳେ ପୁଲିସ୍ ତାଙ୍କୁ ଉଦ୍ଧାର କରିଥିଲା। ସେ ପୁଲିସ୍ ଭ୍ୟାନ୍ରେ ନିଜକୁ ସୁରକ୍ଷିତ ମଣୁ ଥିବା ବେଳେ ଉଦ୍ଧାରକାରୀ ପୁଲିସ୍ ହିଁ ତାଙ୍କୁ ମାଡ଼ ମାରିଥିଲା।
ଏହି ଭିଡିଓଟି ଭାଇରାଲ୍ ହେବା ପରେ ଏଥିରେ ଥିବା ୪ ଜଣ ପୁଲିସ୍ କର୍ମଚାରୀଙ୍କୁ ନିଲମ୍ବନ କରାଯିବା ସହ ଘଟଣାର ତଦନ୍ତ ଆରମ୍ଭ ହୋଇଥିବା ଜଣାପଡ଼ିଛି।
୨୯ ସେକେଣ୍ଡର ଏହି ଭିଡିଓକୁ ପୁଲିସ୍ ଗାଡ଼ିର ଡ୍ରାଇଭର ସିଟ୍ରେ ବସିଥିବା ବ୍ୟକ୍ତି ଜଣଙ୍କ ହିଁ ମୋବାଇଲ୍ରେ ଶୁଟିଂ କରିଛନ୍ତି। ଭିଡିଓରୁ ସ୍ପଷ୍ଟ ଜଣାପଡ଼ୁଛି ଯେ ଯୁବତୀ ଜଣଙ୍କ ଜଣେ ଲେଡି ଓ ପୁରୁଷ କନଷ୍ଟେବଲ୍ଙ୍କ ମଝିରେ ବସିଛନ୍ତି। ଦୁଇ ଜଣ ପୁଲିସ୍ କର୍ମଚାରୀ ସେମାନଙ୍କ ଆଗରେ ବସିଛନ୍ତି।
ଜଣେ ପୁଲିସ୍ କର୍ମଚାରୀ କହୁଛନ୍ତି, ଏତେ ହିନ୍ଦୁ ପୁରୁଷ ଥାଉ ଥାଉ ତୁ କାହିଁକି ମୁସଲିମ୍ ବ୍ୟକ୍ତିଙ୍କୁ ବାଛିଲୁ? ଏହି ସମୟରେ ମହିଳା କନେଷ୍ଟବଲ୍ ଜଣଙ୍କ ଯୁବତୀଙ୍କୁ ମାଡ଼ ମାରିବା ସହ ତାଙ୍କ ସ୍କାର୍ଫ କାଢ଼ିବାକୁ ଉଦ୍ୟମ କରୁଥିବା ଦେଖିବାକୁ ମିଳୁଛି। ଯୁବତୀ ଜଣଙ୍କ ନିଜ ମୁହଁକୁ ଲୁଚାଇବାକୁ ଚେଷ୍ଟା କରୁଥିଲେ ହେଁ ପୁଲିସ୍ କର୍ମଚାରୀ ଜଣଙ୍କ ତାଙ୍କୁ ବାରମ୍ବାର ମାଡ଼ ମାରି ଚାଲିଥିଲେ। ଶୁଟିଂ କରୁଥିବା ପୁଲିସ୍ ଜଣଙ୍କ ଏହା ତାଙ୍କର ଜଣେ ସହକର୍ମୀଙ୍କୁ ଦେଉଥିଲେ ହେଁ ଏହା ମିଡିଆ ପାଖରେ ପହଞ୍ଚିବା ପରେ ପୂରା ଘଟଣା ସାମ୍ନାକୁ ଆସିଛି।
ଘଟଣାଟି ରବିବାର ଦିନର। ଯେତେବେଳେ ଏହି ଯୁବତୀ ଏବଂ ତାଙ୍କର ମୁସଲିମ ପୁରୁଷ ବନ୍ଧୁଙ୍କ ସହ କଥା ହେଉଥିଲେ ସେହି ସମୟରେ ବିଶ୍ୱ ହିନ୍ଦୁ ପରିଷଦର କିଛି ବ୍ୟକ୍ତି ସେମାନଙ୍କୁ ଆକ୍ରମଣ କରିଥିଲେ। ହିନ୍ଦୁ ଯୁବତୀ ଓ ମୁସଲିମ୍ ଯୁବକଙ୍କ ମଧ୍ୟରେ ସମ୍ପର୍କ ଥିବାରୁ ଏହାକୁ ସେମାନେ ଲଭ୍ ଜିହାଦର ନାଁ ଦେଇଥିଲେ। ଉଭୟ ଯୁବତୀ ଓ ଯୁବକ ମେଡିକାଲ୍ ଛାତ୍ରଛାତ୍ରୀ ବୋଲି ଜଣାପଡ଼ିଛି। ପୁଲିସ୍ ଘଟଣା ସମ୍ପର୍କରେ ଖବର ପାଇଁ ଉଭୟ ପୁରୁଷ ଓ ଯୁବତୀଙ୍କୁ ପୃଥକ ପୃଥକ ଭାବେ ଥାନାକୁ ଆଣିବା ବେଳେ ଏଭଳି ଘଟଣା ଘଟିଥିଲା।
from Odisha Reporter https://ift.tt/2xCFLA6
No comments:
Post a Comment