
ଆହ୍ଲାବାଦ: ଉତ୍ତର ପ୍ରଦେଶର ଆହ୍ଲାବାଦରେ ଘଟିଛି ଏକ ଲୋମହର୍ଷଣକାରୀ ଘଟଣା। ପୁଣି ପୂରା ଘଟଣାଟି ପାଖରେ ଲାଗିଥିବା ଏକ ସିସିଟିଭି କ୍ୟାମେରାରେ ରେକର୍ଡ ହୋଇଯାଇଛି। ଏହି ଭିଡିଓଟି ପଦାକୁ ଆସିବା ପରେ ଏବେ ସାରା ଦେଶରେ ଚର୍ଚ୍ଚା ସୃଷ୍ଟି ହୋଇଛି। ଭିଡିଓରେ ଦେଖିବାକୁ ମିଳୁଛି ଯେ, ୩ ଜଣ ନୃସଂଶ ଦୁର୍ବୃତ୍ତ ଜଣେ ଅବସରପ୍ରାପ୍ତ ପୁଲିସ୍ କର୍ମଚାରୀଙ୍କୁ ବିଚ୍ ରାସ୍ତାରେ କାଠ ଫାଳିଆରେ ପିଟିପିଟି ହତ୍ୟା କରିଛନ୍ତି।
ଦୁର୍ବୃତ୍ତମାନେ ଅବସରପ୍ରାପ୍ତ ପୁଲିସ୍ କର୍ମଚାରୀଙ୍କୁ ମାଡ଼ ମାରିବା ବେଳେ ସେଠାରେ କିଛି ଲୋକ ଉପସ୍ଥିତ ଥିବା ଦେଖିବାକୁ ମିଳୁଛି। କିନ୍ତୁ କେହି ବି ଏହାର ପ୍ରତିବାଦ କରିନଥିଲେ। ଏପରିକି ଗାଡ଼ିରେ ଯିବା ଆସିବା କରୁଥିବା ଲୋକମାନେ ମଧ୍ୟ ଘଟଣାଟି ଦେଖି ନିଜ ବାଟରେ ଚାଲିଯିବାକୁ ଶ୍ରେୟସ୍କର ମଣିଥିଲେ। ତେବେ କିଛି ସମୟ ପରେ ବ୍ୟକ୍ତି ଜଣଙ୍କୁ ହସ୍ପିଟାଲ୍ ନିଆଯାଇଥିଲେ ହେଁ ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା।
ମାଡ଼ ଖାଇ ମୃତ୍ୟୁବରଣ କରିଥିବା ଏହି ଅବସରପ୍ରାପ୍ତ ପୁଲିସ ଅଧିକାରୀଙ୍କ ନାଁ ସାମଦ୍ ଖାନ୍। ତାଙ୍କ ବୟସ ୭୦ ବର୍ଷ। ସୋମବାର ସକାଳେ ସେ ନିଜ ସାଇକେଲ୍ରେ ଆସୁଥିବା ବେଳେ ଜଣେ ଲାଲ୍ ସାର୍ଟ ପିନ୍ଧା ଯୁବକ ପ୍ରଥମେ ତାଙ୍କୁ ଅଟକାଇଥିଲା। ସେ କିଛି ବୁଝିବା ଆଗରୁ ଯୁବକ ଜଣଙ୍କ ଅତର୍କିତ ଭାବେ ଏକ କାଠ ଫାଳିଆରେ ସାମଦ୍ଙ୍କୁ ଆକ୍ରମଣ କରିଥିଲା।
ଏଥିରୁ ବର୍ତ୍ତିବା ପାଇଁ ସାମଦ୍ ନିକଟସ୍ଥ କାନ୍ଥ ନିକଟକୁ ଚାଲି ଆସିଥିଲେ ମଧ୍ୟ ଦୁର୍ବୃତ୍ତ ଜଣଙ୍କ ତାଙ୍କୁ ଗୋଡ଼ାଇ ଗୋଡ଼ାଇ ପିଟିଥିଲା। ଏହି ସମୟରେ ସେଠାରେ ଥିବା ଏକ ଅର୍ଦ୍ଧନିର୍ମିତ ପାଚେରି ଉପରେ ଜଣେ ଯୁବକ ପୂରା ଘଟଣାକୁ ଦେଖୁଥିଲେ ମଧ୍ୟ ପ୍ରତିବାଦ କରି ନଥିବା ସିସିଟିଭିରୁ ସ୍ପଷ୍ଟ ହୋଇଛି। ସେହିପରି ସେହି ରାସ୍ତା ଦେଇ ଯାଉଥିବା ବାଇକ୍ ଓ ସାଇକେଲ୍ ଆରୋହୀମାନେ ମଧ୍ୟ ସାମଦ୍ଙ୍କୁ ଦୁର୍ବୃତ୍ତଙ୍କ କବଳରୁ ରକ୍ଷା କରିବାକୁ କୌଣସି ପ୍ରୟାସ କରି ନଥିଲେ।
ଏହାପରେ ଆଉ ଦୁଇଜଣ ଯୁବକ ସେଠାରେ ପହଞ୍ଚି ସାମଦ୍ଙ୍କୁ ମିଳିତ ଭାବେ ପିଟିବା ଆରମ୍ଭ କରିଥିଲେ। ରକ୍ତାକ୍ତ ସାମଦ୍ ଅଚେତ ହୋଇଯିବାରୁ ଦୁର୍ବୃତ୍ତମାନେ ସେଠାରୁ ଫେରାର୍ ହୋଇଯାଇଥିଲେ। ସିସିଟିଭିରେ କଏଦ୍ ହୋଇଥିବା ଜଣେ ବ୍ୟକ୍ତିଙ୍କ ନାଁ ଜୁନେଦ୍ ବୋଲି ଜଣାପଡ଼ିଛି। ଜୁନେଦ୍ ନାଁରେ ୧୦ରୁ ଅଧିକ ଅପରାଧ ମାମଲା ରହିଥିବା ପୁଲିସ୍ କହିଛି।
ସାମଦ୍ଙ୍କ ଭାଇ କହିଛନ୍ତି, ମାଡ଼ ମାରିଥିବା ଦୁର୍ବୃତ୍ତମାନେ ଜମି ବିବାଦକୁ କେନ୍ଦ୍ର କରି ଏଭଳି ଘଟଣା ଘଟାଇଛନ୍ତି। ଏହି ଦୁର୍ବୃତ୍ତମାନେ ବାରମ୍ବାର ସ୍ଥାନୀୟ ଲୋକଙ୍କୁ ଧମକ ଦେଉଥିଲେ। ଏନେଇ ସେମାନେ ପୁଲିସ୍ର ଦ୍ୱାରସ୍ଥ ହୋଇଥିଲେ ହେଁ ଏହାର ସୁଫଳ ମିଳିନଥିଲା। ଯଦି ପୁଲିସ୍ ଠିକଣା ସମୟରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥାନ୍ତା, ତା’ହେଲେ ଆଜି ଏଭଳି ଘଟଣା ଘଟି ନଥାଆନ୍ତା ବୋଲି ସେ କହିଛନ୍ତି।
(ସତର୍କ ସୂଚନା: ତଳେ ଦିଆଯାଇଥିବା ଭିଡିଓଟି ଉତ୍ତେଜନା ସୃଷ୍ଟିକାରୀ ଚିତ୍ର ସମ୍ବଳିତ। ଦୁର୍ବଳ ହୃଦୟର ବ୍ୟକ୍ତି ଏହାକୁ ଦେଖିବାରୁ ବିରତ ରହିବା ଉଚିତ। ଭିଡିଓ ସୌଜନ୍ୟ:ଏନ୍ଡିଟିଭି)
from Odisha Reporter https://ift.tt/2NhOb8Y
No comments:
Post a Comment