
ନୂଆଦିଲ୍ଲୀ: ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ବର୍ଗର ଲୋକଙ୍କୁ ସଂରକ୍ଷଣ ଭିତ୍ତିରେ ଚାକରିରେ ପଦୋନ୍ନତି ଦେବାକୁ ହୋଇଥିବା ଏକ ଆବେଦନକୁ ଆଜି ସର୍ବୋଚ୍ଚ ଅଦାଲତ ଖାରଜ କରିଦେଇଛନ୍ତି। ପୂର୍ବରୁ ମଧ୍ୟ ସୁପ୍ରିମକୋର୍ଟ ସଂରକ୍ଷଣ ଭିତ୍ତିରେ ପଦୋନ୍ନତି ବାଧ୍ୟତାମୂଳକ ନୁହେଁ ବୋଲି କହିଥିଲେ। ତେବେ ଏହି ରାୟର ପୁର୍ନବିଚାର ପାଇଁ ସୁପ୍ରିମକୋର୍ଟରେ ପୁଣି ଆବେଦନ ହୋଇଥିଲା।
ପ୍ରଧାନ ବିଚାରପତି ଜଷ୍ଟିସ୍ ଦୀପକ ମିଶ୍ରଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ କହିଛନ୍ତି, ୨୦୦୬ରେ ଯେଉଁ ରାୟ ଦିଆଯାଇଥିଲା, ତାକୁ ପୁଣିଥରେ ବିଚାର କରିବାର କୌଣସି କାରଣ ନାହିଁ। ୨୦୦୬ରେ ସୁପ୍ରିମକୋର୍ଟ କହିଥିଲେ, ସରକାରୀ ଚାକିରି କ୍ଷେତ୍ରରେ ସଂରକ୍ଷଣ ଭିତ୍ତିରେ ପଦୋନ୍ନତି ମିଳିବା ବାଧ୍ୟତାମୂଳକ ନୁହେଁ।
ସୁପ୍ରିମକୋର୍ଟ ୨୦୦୬ରେ ଦେଇଥିବା ରାୟ ପୁର୍ନବିଚାର ୭ ଜଣିକିଆ ସାମ୍ବିଧାନିକ ଖଣ୍ଡପୀଠରେ କରିବାକୁ ଆବେଦନ ହୋଇଥିଲା। ତେବେ ସର୍ବୋଚ୍ଚ ଅଦାଲତ ଏହାକୁ ଖାରଜ କରିଦେଇଛନ୍ତି। ଆଜି ୫ ଜଣିକିଆ ସାମ୍ବିଧାନିକ ଖଣ୍ଡପୀଠ ସର୍ବସମ୍ମତିକ୍ରମେ ଏଭଳି ନିର୍ଦ୍ଦେଶ ଦେଇଛନ୍ତି।
ଜଷ୍ଟିସ୍ ମିଶ୍ରଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ କହିଛନ୍ତି, ସଂରକ୍ଷଣ ଭିତ୍ତିରେ ପଦୋନ୍ନତି ସମୟରେ ରାଜ୍ୟ ସରକାରମାନେ ଅନୁସୂଚିତ ଜାତି ଓ ଜନଜାତି ବର୍ଗର କର୍ମଚାରୀଙ୍କ ସମ୍ପର୍କରେ ଟିକିନିଖି ତଥ୍ୟ ସଂଗ୍ରହ କରିବାର ଆବଶ୍ୟକତା ନାହିଁ। ତେବେ ପ୍ରଶାସନିକ ଦକ୍ଷତାକୁ ଅଣଦେଖା ନ କରି ସଂରକ୍ଷଣ ଭିତ୍ତିରେ ପଦୋନ୍ନତି ଦେବା ମାମଲାରେ ୨୦୦୬ ମସିହାରେ ସର୍ବୋଚ୍ଚ ଅଦାଲତ ଦେଇଥିବା ରାୟ ଉପରେ ଜଷ୍ଟିସ୍ ମିଶ୍ରଙ୍କ ଖଣ୍ଡପୀଠ କୌଣସି ମତ ଦେଇନାହାନ୍ତି।
୨୦୦୬ ମସିହାରେ ସୁପ୍ରିମକୋର୍ଟ ଏ ସଂକ୍ରାନ୍ତ ମାମଲାରେ କହିଥିଲେ ଯେ ଯଦି ସରକାର କୌଣସି ଗୁରୁତ୍ତ୍ୱପୂର୍ଣ୍ଣ କାରଣବଶତଃ ସଂରକ୍ଷଣ ଭିତ୍ତିକ ପଦୋନ୍ନତି ଦେବାକୁ ଚାହାନ୍ତି ତେବେ ସେହି କାରଣ ଦର୍ଶାଇ ଏପରି କରିପାରିବେ। ଏ ଦୃଷ୍ଟିରୁ ବର୍ତ୍ତମାନ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ହାତରେ ଏ କ୍ଷେତ୍ରରେ ଇଚ୍ଛାଧୀନ କ୍ଷମତା ରହିଲା ବୋଲି କେତେକ ଆଇନ ବିଶାରଦ କହିଛନ୍ତି। ତେବେ ସୁପ୍ରିମକୋର୍ଟଙ୍କ ଆଜିର ରାୟକୁ ନେଇ ସ୍ପଷ୍ଟ ଚିତ୍ର ମିଳିପାରି ନାହିଁ
ଏହା ଉପରେ ଆଜିର ରାୟରେ କୌଣସି ଟିପ୍ପଣୀ ଦିଆଯାଇ ନ ଥିବାରୁ, ସଂରକ୍ଷଣଭିତ୍ତିକ ପଦୋନ୍ନତିର ରାସ୍ତା ବନ୍ଦ କରାଯାଇନାହିଁ ବୋଲି କହି ବହୁଜନ ସମାଜ ଅଧ୍ୟକ୍ଷ ସୁଶ୍ରୀ ମାୟାବତୀ ଏହାକୁ ସ୍ୱାଗତ କରିଛନ୍ତି।
from Odisha Reporter https://ift.tt/2QZixfu
No comments:
Post a Comment