
ଦୁବାଇ: ଏସିଆ କପ୍ ଲିଗ୍ ପର୍ଯ୍ୟାୟରେ ଦମଦାର ପ୍ରଦର୍ଶନ କରିଥିବା ଟିମ୍ ଇଣ୍ଡିଆ ସୁପର ଫୋର୍ ଏନ୍କାଉଣ୍ଟର୍ର ପ୍ରଥମ ମ୍ୟାଚ୍ରେ ବାଂଲାଦେଶକୁ ୪୯.୧ ଓଭର୍ରେ ୧୭୩ ରନ୍ରେ ଅଲ୍ ଆଉଟ୍ କରିଦେଇଛି। ଫଳରେ ସୁପର୍ ଫୋରର ପ୍ରଥମ ମ୍ୟାଚ୍ ଜିତିବା ପାଇଁ ଟିମ୍ ଇଣ୍ଡିଆ ୧୭୪ ରନ୍ର ଟାର୍ଗେଟ ପାଇଛି।
ଭାରତ ପକ୍ଷରୁ ଟିମ୍କୁ କମ୍ ବ୍ୟାକ୍ କରିଥିବା ବାମହାତୀ ସ୍ପିନର୍ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ସର୍ବାଧିକ ୪ଟି ୱିକେଟ୍ ନେଇଥିବା ବେଳେ ଭୁବନେଶ୍ୱର କୁମାର ଓ ଯଶପ୍ରୀତ ବୁମ୍ରା ୩ଟି ଲେଖାଏ ୱିକେଟ୍ ପାଇଛନ୍ତି।

ତେବେ ପାକିସ୍ତାନ ମ୍ୟାଚ୍ରେ ଜବରଦସ୍ତ ବୋଲିଂ କରିଥିବା ଅଣ୍ତର ଆର୍ମ ସ୍ପିନର୍ କେଦାର ଯାଦବ ଆଜି ଆଦୌ ବୋଲିଂ ନ କରିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।
ଟିମ୍ ଇଣ୍ଡିଆର ଅଧିନାୟକ ରୋହିତ୍ ଶର୍ମା ଟସ୍ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲେ। ପାକିସ୍ତାନ ମ୍ୟାଚ୍ରେ ଭାରତକୁ ବୋଲିଂରେ ଭଲ ଷ୍ଟାର୍ଟ ଦେଇଥିବା ସ୍ପିଡ୍ଷ୍ଟର ଭୁବନେଶ୍ୱର କୁମାର ବାଂଲାଦେଶକୁ ମଧ୍ୟ ପ୍ରାରମ୍ଭିକ ଝଟ୍କା ଦେଇଥିଲେ।

ବାଂଲାଦେଶ ମାତ୍ର ୧୫ ରନ୍ କରିଥିବା ବେଳେ ଭୁବନେଶ୍ୱର ଓପନର୍ ଲିଟନ୍ ଦାସ(୭)ଙ୍କୁ କେଦାର ଯାଦବଙ୍କ ହାତରେ କ୍ୟାଚ୍ କରାଇ ଭାରତକୁ ପ୍ରଥମ ସଫଳତା ଦେଇଥିଲେ। ଏହାପରେ ଅନ୍ୟତମ ବାଂଲା ଓପନର୍ ନିଜାମୁଲ ହୁସେନ୍ ଶଣ୍ଟୋଙ୍କୁ ଯଶପ୍ରୀତ୍ ବୁମ୍ରା ଆଉଟ୍ କରିଦେଥିଲେ।
୧୬ ରନ୍ରେ ଦୁଇଟି ୱିକେଟ୍ ହରାଇ ସଂଘର୍ଷ କରୁଥିବା ବାଂଲାଦେଶକୁ ଭେଟେରାନ୍ ସାକିବ-ଅଲ-ହାସନ ଓ ୱିକେଟ୍ କିପର୍ ବ୍ୟାଟସନ୍ ମ୍ୟାନ୍ ମୁଶଫିକର ରହିମ୍ କିଛି ମାତ୍ରାରେ କମ୍ବ୍ୟାକ୍ର ଆଶା ଦେଇଥିଲେ। ତେବେ ଦଳୀୟ ସ୍କୋର ୪୨ ଥିବା ବେଳେ ରବୀନ୍ଦ୍ର ଜାଡେଜା ସାକିବ୍(୧୭)ଙ୍କୁ ଆଉଟ୍ କରିଦେଇଥିଲେ।
ଏହାପରେ ଭାରତୀୟ ସ୍ପିନ୍ ବାହିନୀ କ୍ରମାଗତ ଭାବେ ବାଂଲା ବ୍ୟାଟସ୍ମ୍ୟାନ୍ଙ୍କ ଉପରେ ଚାପ ସୃଷ୍ଟି କରିଚାଲିଥିଲେ। ରବୀନ୍ଦ୍ର ଜାଡେଜା ମହମ୍ମଦ ମିଥୁନ୍(୯) ଓ ମୁଶଫିକର ରହିମ(୨୧)ଙ୍କୁ ନିଜର ଶିକାର ବନାଇଥିଲେ।

ମହମଦୁଲ୍ଲା(୨୫)ଙ୍କୁ ଭୁବନେଶ୍ୱର କୁମାର ନିଜର ଦ୍ୱିତୀୟ ସ୍ପେଲ୍ରେ ଆଉଟ୍ କରିଥିବା ବେଳେ ମୋସାଦ୍ଦିକେ ହୋସେନ୍(୧୨)ଙ୍କୁ ଆଉଟ୍ କରି ରବୀନ୍ଦ୍ର ଜାଡେଜା ନିଜର ୪ର୍ଥ ୱିକେଟ୍ ଦଖଲ କରିଥିଲେ। ତେବେ ବାଂଲା ଟାଇଗର୍ର ଅଧିନାୟକ ମର୍ଶଫି ମୋର୍ତଜା ଓ ମେହେଦି ହାସନ୍ ଭାରତୀୟ ବୋଲର୍ଙ୍କୁ କଡ଼ା ମୁକାବିଲା କରିଥିଲେ। ଉଭୟ ୮ମ ୱିକେଟ୍ ପାଇଁ ୬୬ ରନ୍ର ଭାଗିଦାରୀ କରି ଦଳୀୟ ସ୍କୋରକୁ ୧୬୭ରେ ପହଞ୍ଚାଇଥିଲେ।
କିନ୍ତୁ ଭୁବନେଶ୍ୱର କୁମାର ମୋର୍ତଜା(୨୬)ଙ୍କୁ ଆଉଟ୍ କରି ବାଂଲାଦେଶର ସବୁ ଆଶାରେ ପାଣି ପକାଇଦେଇଥିଲେ। ୧୬୭ରେ ୮ଟି ୱିକେଟ୍ ହରାଇଥିବା ବାଂଲାଦେଶକୁ ୧୬୯ରେ ଯଶପ୍ରୀତ୍ ବୁମ୍ରା ୯ମ ଝଟ୍କା ଦେଇଥିଲେ। ୪୨ ରନ୍ରେ ବ୍ୟାଟିଂ କରୁଥିବା ମେହେଦି ହାସନ୍ଙ୍କୁ ଆଉଟ୍ କରି ବୁମ୍ରା ବାଂଲାଦେଶକୁ ବ୍ୟାକ୍ଫୁଟ୍କୁ ଠେଲି ଦେଇଥିଲେ। ଶେଷରେ ମୁସ୍ତାଫିଜୁରଙ୍କୁ ଆଉଟ୍ କରି ବୁମ୍ରା ବାଂଲା ଇନିଂସ୍ରେ ପୂର୍ଣ୍ଣଚ୍ଛେଦ ଟାଣିଥିଲେ।

ଟିମ୍ ଇଣ୍ଡିଆ ଆହତ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବଦଳରେ ରବୀନ୍ଦ୍ର ଜାଡେଜାଙ୍କୁ ଚୂଡ଼ାନ୍ତ ଏକାଦଶରେ ସାମିଲ କରିଥିଲା।
from Odisha Reporter https://ift.tt/2OHJQJG
No comments:
Post a Comment