ଯୌତୁକ ନିରୋଧ ଆଇନ୍‌ ପ୍ରସଙ୍ଗ: ଏବେ ପୁଲିସ୍‌ ହାତରେ ସ୍ୱାମୀଙ୍କ ଭାଗ୍ୟ ! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, September 14, 2018

ଯୌତୁକ ନିରୋଧ ଆଇନ୍‌ ପ୍ରସଙ୍ଗ: ଏବେ ପୁଲିସ୍‌ ହାତରେ ସ୍ୱାମୀଙ୍କ ଭାଗ୍ୟ !

ନୂଆଦିଲ୍ଲୀ: ଯୌତୁକ ନିର୍ଯାତନା ଅଭିଯୋଗରେ ଉଭୟ ପକ୍ଷଙ୍କୁ ସମାନ ସୁଯୋଗ ଦେବାକୁ ଆଜି ସୁପ୍ରିମକୋର୍ଟ  ନିଜର ପୂର୍ବ ରାୟରେ କେତେକ ପରିବର୍ତ୍ତନ କରିଛନ୍ତି। ଏବେ ଧାରା ୪୯୮(ଏ) ଅଧୀନରେ କୌଣସି ଯୌତୁକ ନିର୍ଯାତନା ଅଭିଯୋଗ ଆସିଲେ, ଏହା ଉପରେ କାର୍ଯ୍ୟାନୁଷ୍ଠାନ ପୁଲିସ୍‌ ହିଁ ନେଇ ପାରିବ।  ଅର୍ଥାତ ଯଦି ପତ୍ନୀ ତାଙ୍କ ସ୍ୱାମୀ କିମ୍ବା ଶ୍ୱଶ୍ୱୁର ଘର ଲୋକଙ୍କ ବିରୋଧରେ କୌଣସି ଯୌତୁକ ନିର୍ଯାତନା ଅଭିଯୋଗ ଆଣନ୍ତି, ତା’ହେଲେ ପୁଲିସ୍‌ ତଥ୍ୟକୁ ଆଧାର କରି ସ୍ୱାମୀଙ୍କୁ ତୁରନ୍ତ ଗିରଫ କରିପାରିବ ଏବଂ ମାମଲା ରୁଜୁ କରି ତଦନ୍ତ କରିପାରିବ। 
 
ପୁଲିସ୍‌ ତା’ର ବିବେକ ବୁଦ୍ଧି ପ୍ରୟୋଗ କରି ଅଭିଯୋଗର ବିଚାର କରିବା ପରେ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ନେଇପାରିବ ବୋଲି ଆଜି ସର୍ବୋଚ୍ଚ ଅଦାଲତ କହିଛନ୍ତି। ତେବେ ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସମୟରେ ଅଭିଯୋଗକାରିଣୀଙ୍କ ସ୍ୱାମୀ ଓ ତାଙ୍କ ପରିବାର ପ୍ରତି ଯେମିତି କୌଣସି ପାତରଅନ୍ତର ନୀତି ଆପଣା ନ ଯାଏ, ତ’ ଉପରେ ଗୁରୁତ୍ୱ ଦେବାକୁ ସର୍ବୋଚ୍ଚ ଅଦାଲତ ପୁଲିସ୍‌କୁ କହିଛନ୍ତି।
 
ପୂର୍ବରୁ ଫ୍ୟାମିଲି ୱେଲଫେୟାର କମିଟି ଅଭିଯୋଗର ତର୍ଜମା କରିବା ପରେ ସ୍ୱାମୀ ଓ ତାଙ୍କ ପରିବାର ଲୋକଙ୍କୁ ଗିରଫ କରାଯାଇ ପାରିବ ବୋଲି ସର୍ବୋଚ୍ଚ ଅଦାଲତ ରୁଲିଂ ଦେଇଥିଲେ।  ରାଜେଶ ଶର୍ମା ବନାମ କେନ୍ଦ୍ର ସରକାରଙ୍କ ମଧ୍ୟରେ ଚାଲିଥିବା ମାମଲାର ଶୁଣାଣି କରି ପ୍ରଧାନ ବିଚାରପତି ଜଷ୍ଟିସ୍‌ ଦୀପକ ମିଶ୍ର, ଜଷ୍ଟିସ୍‌ ଡିୱାଇ ଚନ୍ଦ୍ରଚୂଡ଼ ଓ ଜଷ୍ଟିସ୍‌ ଏଏମ୍‌ ଖାନ୍‌ୱିଲକରଙ୍କ ଖଣ୍ଡପୀଠ ପୂର୍ବରୁ ଧାରା ୪୯୮(ଏ)କୁ ନେଇ ଦୁଇ ଜଣିଆ ଖଣ୍ଡପୀଠ ଦେଇଥିବା ରାୟକୁ ପ୍ରତ୍ୟାହାର କରିନେଇଛନ୍ତି।  
 
ଉଲ୍ଲେଖଯୋଗ୍ୟ, ୨୦୧୭ ଜୁଲାଇ ମାସରେ ଜଷ୍ଟିସ୍‌ ଆଦର୍ଶ ଗୋଏଲ୍‌ ଓ ଜଷ୍ଟିସ୍‌ ୟୁୟୁ ଲଳିତଙ୍କ ଖଣ୍ଡପୀଠ ଯୌତୁକ ନିର୍ଯାତନା ସମ୍ପର୍କିତ ଅଭିଯୋଗକୁ ଆଧାର କରି ପୁଲିସ୍‌ ଅଭିଯୁକ୍ତ ସ୍ୱାମୀ କିମ୍ବା ତାଙ୍କ ପରିବାର ଲୋକଙ୍କୁ ତୁରନ୍ତ ଗିରଫ କରିପାରିବ ନାହିଁ ବୋଲି ରୁଲିଂ ଦେଇଥିଲେ।
 
ଜଷ୍ଟିସ୍‌ ମିଶ୍ର କହିଛନ୍ତି, ଯୌତୁକ ନିର୍ଯାତନା ଅଭିଯୋଗ ଆସିଲେ ଏହାର ତର୍ଜମା କୌଣସି ପ୍ରକାରର ଫ୍ୟାମିଲି ୱେଲଫେୟାର କୋର୍ଟରେ କରାଯାଇ ପାରିବ ନାହିଁ। ଅଭିଯୋଗ ଆସିଲେ ପୁଲିସ୍‌ ଅଧିକାରୀମାନେ ଆଇନ୍‌ଗତ ଦିଗକୁ ଦୃଷ୍ଟିରେ ରଖି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରିବେ।  ଯଦି ଅଭିଯୋଗରେ ସତ୍ୟତା ଅଛି ବୋଲି ପୁଲିସ୍‌ ଅନୁଭବ କରେ, ତା’ହେଲେ ତୁରନ୍ତ ଅଭିଯୁକ୍ତମାନଙ୍କୁ ଗିରଫ କରିପାରିବ। ତେବେ ଅଭିଯୁକ୍ତମାନଙ୍କ ପାଇଁ ଆଗୁଆ ଜାମିନ୍‌ର ବ୍ୟବସ୍ଥା ପୂର୍ବଭଳି ବଳବତ୍ତର ରହିବ।
 
ଖଣ୍ଡପୀଠ ଆହୁରି କହିଛନ୍ତି, ଯୌତୁକ ନିର୍ଯାତନାର ତଦନ୍ତ କରୁଥିବା ପୁଲିସ୍‌ ଅଫିସର ଯେମିତି କାହା ପ୍ରତି ପାତରଅନ୍ତର ନ କରିବେ ଏବଂ କେବଳ ଗୋଟିଏ ପକ୍ଷର କଥା ନଶୁଣିବେ, ସେଥିପାଇଁ ପ୍ରତିଟି ରାଜ୍ୟର ଡିଜିପି ଏଥିପ୍ରତି ଧ୍ୟାନ ଦେବା ଦରକାର। ପୁଲିସ୍‌ କେଉଁ ଆଧାରରେ ଏଫ୍‌ଆଇଆର୍‌ ରୁଜୁ କରିବ, ସେ ବିଷୟରେ କୌଣସି ନିର୍ଦ୍ଦେଶ ଦେବାକୁ ଖଣ୍ଡପୀଠ ମନା କରିଦେଇଛନ୍ତି।


from Odisha Reporter https://ift.tt/2MtJqEV

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages