
ନୂଆଦିଲ୍ଲୀ:ଭାରତୀୟ ସେନାର ହେବ ନବକଳେବର। ବଦଳିବ ରୂପରେଖ। ତଳରୁ ଉପର ପର୍ଯ୍ୟନ୍ତ ଏକ ବିରାଟ ପରିବର୍ତ୍ତନ ହେବ। ଆଗାମୀ ୪-୫ ବର୍ଷ ମଧ୍ୟରେ ଭାରତୀୟ ସେନାରେ ଏକ ବଡ଼ ଧରଣର ଛଟେଇ ହୋଇପାରେ। ସ୍ଥଳସେନା ପକ୍ଷରୁ କରାଯାଇଥିବା ଏକ ସମୀକ୍ଷାରେ ଏହି ନିଷ୍କର୍ଷ ବାହାରିଛି। ଆଗାମୀ ଦିନରେ ସେନାର ପ୍ରଭାବ ବିସ୍ତାର ଏବଂ ଭବିଷ୍ୟତରେ ଯୁଦ୍ଧ ପ୍ରସ୍ତୁତି ଲାଗି ଯୋଜନା ରହିଛି।
ହିନ୍ଦୁସ୍ଥାନ୍ ଟାଇମ୍ସରେ ପ୍ରକାଶିତ ଏକ ରିପୋର୍ଟ ଅନୁସାରେ ଭାରତୀୟ ସେନାରେ ଆସନ୍ତା ୪-୫ ବର୍ଷ ମଧ୍ୟରେ ଲକ୍ଷେ ପଚାଶ ହଜାର (୧୫୦.୦୦୦) ପର୍ଯ୍ୟନ୍ତ ଚାକିରି ଛଟେଇ କରାଯାଇପାରେ। ସେନାର ଦୁଇ ଜଣ ବରିଷ୍ଠ ଅଧିକାରୀ ଏସମ୍ପର୍କରେ ସୂଚନା ଦେଇଛନ୍ତି। ସେନାରେ ଅନାବଶ୍ୟକ ଲୋକବଳ ହ୍ରାସ କରିବା ନେଇ ଗତ ଜୁନ୍ ୨୧ ତାରିଖରେ ନିର୍ଦ୍ଦେଶ ଆସିଥିଲା। ଏହାର ଆବଶ୍ୟକ ସମୀକ୍ଷା କରାଯିବା ପରେ ଏହି ନିଷ୍ପତ୍ତି ନିଆଯାଇଛି।
୧୨ଲକ୍ଷ ସଂଖ୍ୟା ବିଶିଷ୍ଟ ଭାରତର ଶକ୍ତିଶାଳୀ ସେନା ବାହିନୀରେ ଛଟେଇ କଥା ଉଠିବା ପରେ ଏବେ ବିଭିନ୍ନ ଚର୍ଚ୍ଚା ହେଉଛି। କାରଣ ସେନାରେ ଗୋଟିଏ ଗୋଟିଏ ପଦ ପାଇଁ ଏକାଧିକ କର୍ମଚାରୀ ଅବସ୍ଥାପିତ ଅଛନ୍ତି। ତେବେ ଏନେଇ ସେନା ମୁଖ୍ୟ ଜେନେରାଲ ବିପିନ୍ ରାୱତଙ୍କୁ ଫାଇନାଲ ରିପୋର୍ଟ ଦେବା ପୂର୍ବରୁ ସେନା ସଚିବଙ୍କ ଅଧ୍ୟକ୍ଷତାରେ ଆଉ ଏକ ସମୀକ୍ଷା ବୈଠକ ବସିବାର କାର୍ଯ୍ୟକ୍ରମ ରହିଛି। ଚଳିତ ମାସ ଶେଷ ଆଡ଼କୁ ଏହି ବୈଠକ ବସିପାରେ। ୧୧ ଜଣିଆ ସଦସ୍ୟ ପ୍ୟାନେଲରେ ସେନା ସଚିବ ଲେଫ୍ଟନାଣ୍ଟ ଜେଏସ୍ ସାନ୍ଧୁ ଅଧ୍ୟକ୍ଷତା କରିବେ।
ଫାଇନାଲ ରିପୋର୍ଟ ନଭେମ୍ବର ମାସରେ ଦିଆଯାଇପାରେ। ସେନାର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ, କେତେକ ବିଭାଗକୁ ଏକାଠି ମିଶାଇ ଦିଆଯାଇପାରେ। ଏହା ଫଳରେ ଆଗାମୀ ଦିନରେ ପ୍ରାୟ ୫୦,୦୦୦ ଲୋକଙ୍କର ଆବଶ୍ୟକତା ରହିବ ନାହିଁ।
ସେହିପରି ୨୦୨୨-୨୩ ସୁଦ୍ଧା ଏକ ଲକ୍ଷ କର୍ମଚାରୀଙ୍କୁ ଛଟେଇ କରିଦିଆଯିବ। କେବଳ କନିଷ୍ଠ ନୁହେଁ, ବରିଷ୍ଠସ୍ତରରେ ମଧ୍ୟ ଏହି ଛଟେଇ ହେବ। ତେବେ ଛଟେଇ ନିଷ୍ପତ୍ତି ନିଆଯିବା ପଛରେ ବିଭିନ୍ନ କାରଣ ଥିବା ବେଳେ କେତେକ ୟୁନିଟ୍ରେ ଗୋଟିଏ ଦାୟିତ୍ଵରେ ଏକାଧିକ କର୍ମଚାରୀଙ୍କୁ ନିଯୁକ୍ତି ଦିଆଯାଇଥିବା ହେଉଛି ଏକ ପ୍ରମୁଖ କାରଣ। ସୂଚନାଯୋଗ୍ୟ ଯେ ଗତ ଅଗଷ୍ଟ ୨୦୧୭ ମସିହାରେ ସେନାରେ ଏକ ବଡ଼ ପରିବର୍ତ୍ତନ ହେବା ନେଇ ସରକାର ଘୋଷଣା କରିଥିଲେ।
ସୌଜନ୍ୟ: ହିନ୍ଦୁସ୍ଥାନ୍ ଟାଇମ୍ସ
from Odisha Reporter https://ift.tt/2Mg6MxN
No comments:
Post a Comment