
ଭୁବନେଶ୍ୱର (ପ୍ରକାଶ ସେଠୀ): ବିଜେଡିରୁ ବରିଷ୍ଠ ନେତା ଡାକ୍ତର ଦାମୋଦର ରାଉତଙ୍କ ବହିଷ୍କାର ପରେ ରାଜ୍ୟରେ ନୂଆ ରାଜନୀତିକ ସମୀକରଣର ସମ୍ଭାବନା ଅଧିକ ହୋଇଛି। ବିଜୁ ପଟ୍ଟନାୟକଙ୍କ ଅନୁଗତ ଭାବେ କାର୍ଯ୍ୟ କରିଥିବା ଅଥଚ ଏବେ ବିଜେଡିରେ ନଥିବା ରାଜ୍ୟର ବରିଷ୍ଠ ନେତାମାନେ ଡାକ୍ତର ରାଉତଙ୍କ ସହ ଯୋଗାଯୋଗ କରି ତାଙ୍କୁ ମାନସିକସ୍ତରରେ ସୁଦୃଢ଼ ରହିବାକୁ ଆଶ୍ୱାସନା ଦେବାରେ ଲାଗିଛନ୍ତି।
ସାଧାରଣ ନିର୍ବାଚନ ପାଖେଇ ଆସୁଥିବାରୁ, ଡାକ୍ତର ରାଉତଙ୍କ ଭବିଷ୍ୟତ ରଣନୀତି କ’ଣ ହେବ ତାକୁ ନେଇ ଚର୍ଚ୍ଚା ଲାଗି ରହିଛି। ତାଙ୍କ ସହ ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡାଙ୍କ ସାକ୍ଷାତକୁ ରାଜନୀତିକ ମହଲରେ ଗୁରୁତ୍ୱ ଦିଆଯାଉଛି। ବିଶେଷକରି ଡାକ୍ତର ରାଉତଙ୍କ ରାଜନୀତିକ ରଣନୀତି ଏବେ ବୈଜୟନ୍ତଙ୍କ ନିଷ୍ପତ୍ତି ଉପରେ ଅନେକାଂଶରେ ନିର୍ଭର କରୁଥିବା ଜଣାପଡ଼ିଛି।
ସୂଚନା ଅନୁସାରେ, ଡାକ୍ତର ରାଉତ ଗତକାଲି ରାତିରେ ବିଜେଡିରୁ ବହିଷ୍କୃତ ହେବାପରେ ବରିଷ୍ଠ ନେତା ବୈଜୟନ୍ତ ପଣ୍ଡା ଆଜି ସକାଳେ ତାଙ୍କ ବାସଭବନକୁ ଯାଇ ତାଙ୍କୁ ସାକ୍ଷାତ କରିଥିଲେ। ଡାକ୍ତର ରାଉତଙ୍କ ସହ ମଧ୍ୟ ଟେଲିଫୋନ୍ ଯୋଗେ ବରିଷ୍ଠ ନେତା ପଞ୍ଚାନନ କାନୁନଗୋ, ବ୍ରଜ କିଶୋର ତ୍ରିପାଠୀ, ବିଜୟ ମହାପାତ୍ର, ଦିଲ୍ଲୀପ ରାୟ, ଉମେଶ ସ୍ୱାଇଁ ପ୍ରମୁଖ କଥା ହୋଇଛନ୍ତି। ଡାକ୍ତର ରାଉତଙ୍କ ସହ ରାଜ୍ୟର ଏହି ବରିଷ୍ଠ ନେତାମାନଙ୍କ କଥାବାର୍ତ୍ତା ଯଦିଓ ସୌଜନ୍ୟମୂଳକ ବୋଲି କୁହାଯାଉଛି, ତଥାପି ଭବିଷ୍ୟତ ରାଜନୀତିକ ରଣନୀତି ପ୍ରସ୍ତୁତି ନିମନ୍ତେ ଡାକ୍ତର ରାଉତଙ୍କୁ ସହଯୋଗ କରିବା ପାଇଁ ସେମାନେ ପ୍ରତିଶ୍ରୁତି ଦେଇଛନ୍ତି।
ଏହା ଭିତରେ ଡାକ୍ତର ରାଉତ ଗଣମାଧ୍ୟମକୁ ଦେଇଥିବା ବୟାନ ମଧ୍ୟ ଗୁରୁତ୍ୱ ବହନ କରୁଛି। ସେ ବିଜେପି କିମ୍ବା କଂଗ୍ରେସକୁ ଯିବେ ନାହିଁ ବୋଲି କହିଛନ୍ତି। କିନ୍ତୁ ଆଗାମୀ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବେ। ନୂଆ ରାଜନୀତିକ ଦଳ ଗଠନ କରିବା ପାଇଁ ତାଙ୍କର ଆର୍ଥିକ ସ୍ଥିତି ନାହିଁ କିନ୍ତୁ ପ୍ରବଳ ଇଚ୍ଛାଶକ୍ତି ଅଛି। ଯେଉଁ ଇଚ୍ଛାଶକ୍ତି ହିଁ ତାଙ୍କୁ ରାଜ୍ୟର ସମସ୍ତ ୧୪୭ ବିଧାନସଭା ଆସନରେ ବୁଲିବାକୁ ପ୍ରେରଣା ଦେଉଛି। ସେ ଆନ୍ନା ହଜାରେଙ୍କ ଭଳି ଏସବୁ ନିର୍ବାଚନମଣ୍ଡଳୀରେ ବୁଲି ଦୁର୍ନୀତି ବିରୋଧରେ ଲୋକଙ୍କୁ ଏକଜୁଟ କରିବାରେ ସକ୍ଷମ ହେବେ ବୋଲି ଡାକ୍ତର ରାଉତ କହିଛନ୍ତି।
ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡାଙ୍କ ସହ ସାକ୍ଷାତ ପରେପରେ ଡାକ୍ତର ରାଉତଙ୍କ ଏଭଳି ବୟାନକୁ ମଧ୍ୟ ରାଜନୀତିକ ମହଲରେ ଭିନ୍ନ ଦୃଷ୍ଟିରେ ଦେଖାଯାଉଛି। ବିଜେଡିରୁ ଇସ୍ତଫା ଦେବା ପରଠୁ କୌଣସି ଦଳରେ ସାମିଲ ହୋଇନଥିବା ଶ୍ରୀ ପଣ୍ଡାଙ୍କୁ ବିଜୁ ପଟ୍ଟନାୟକଙ୍କ ନାଁରେ ନୂଆ ରାଜନୀତିକ ଦଳ ଗଠନ କରିବା ପାଇଁ ଡାକ୍ତର ରାଉତ ପ୍ରୋତ୍ସାହିତ କରିଥାଇ ପାରନ୍ତି ବୋଲି କୁହାଯାଉଛି।
ଏ ସମ୍ପର୍କରେ ବରିଷ୍ଠ ନେତା ପଞ୍ଚାନନ କାନୁନଗୋ କହିଛନ୍ତି ଯେ, ଏଭଳି ଆଞ୍ଚଳିକ ଦଳ ଗଠନକୁ ନେଇ ଯେଉଁ ଆଲୋଚନା ଚାଲିଛି ତାହା ଅସମ୍ଭବ ନୁହେଁ। ରାଜନୀତିରେ ସବୁ ସମ୍ଭବ। ବିଜେଡି ଛାଡ଼ିବା ପରେ ବୈଜୟନ୍ତ ପଣ୍ଡା ଏ ପର୍ଯ୍ୟନ୍ତ ନିଜର ରାଜନୀତିକ ଭବିଷ୍ୟତ ପାଇଁ କୌଣସି ନିଷ୍ପତ୍ତି ନେଇନାହାନ୍ତି।
ଆଜି ସେ ସକାଳେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନାଙ୍କ ଘରକୁ ମଧ୍ୟ ଯାଇଥିଲେ। ସନ୍ଧ୍ୟାରେ ବିଜୟ ମହାପାତ୍ରଙ୍କ ଘରକୁ ଯାଇଥିଲେ। ସେ ଟେଲିଫୋନ୍ ଯୋଗେ ଡାକ୍ତର ରାଉତଙ୍କ ସହ ମଧ୍ୟ କଥା ହୋଇଛନ୍ତି। ତେଣୁ ଯେପର୍ଯ୍ୟନ୍ତ ରାଜନୀତିକ ଲକ୍ଷ୍ୟ ନିର୍ଦ୍ଧାରଣ ନହୋଇଛି ସେପର୍ଯ୍ୟନ୍ତ କିଛି କହିବା ସମ୍ଭବପର ନୁହେଁ।
ଶ୍ରୀ କାନୁନଗୋ ଆହୁରି କହିଛନ୍ତି, ବୈଜୟନ୍ତ ଓ ବିଜୁ ପଟ୍ଟନାୟକଙ୍କ ସହ ଥିବା ବରିଷ୍ଠ ନେତାମାନେ ନିଶ୍ଚିତ ଭାବେ ଗୋଟିଏ ପ୍ଲାଟଫର୍ମ ଗଠନ କରିବାକୁ ଚାହୁଁଛନ୍ତି। ଯଦି ଥରେ ସମସ୍ତେ ଏକାଠି ବସି ରାଜନୀତିକ ଲକ୍ଷ୍ୟ ନିର୍ଦ୍ଧାରିତ କରିବେ, ତା’ହେଲେ ଅର୍ଥ ବାଧକ ସାଜିବ ନାହିଁ। ରାଜ୍ୟର ବର୍ତ୍ତମାନର ରାଜନୀତିକ ସ୍ଥିତି ଯାହା ଓ ଲୋକଙ୍କ ମୁଡ୍ ଯେଭଳି ରହିଛି, ଏହି ବରିଷ୍ଠ ନେତାମାନଙ୍କ ଏକଜୁଟତା ନିଶ୍ଚିତ ଭାବେ ଭୋଟ୍ ରାଜନୀତିକୁ ପ୍ରଭାବିତ କରିବାର ତଥା ଓଡ଼ିଶାର ରାଜନୀତିକ ପରିଦୃଶ୍ୟକୁ ମଧ୍ୟ ନୂଆ ଦିଗକୁ ନେଇଯିବାର ସମ୍ଭାବନା ରହିଛି।
ତେବେ ଏସବୁ ଭିତରେ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ଯେ, ନୂଆ ଆଞ୍ଚଳିକ ଦଳ ଗଠନ ପାଇଁ ସେମାନେ ସ୍ୱାଧୀନ। କିନ୍ତୁ ତା’ର ପ୍ରଭାବ ବିଜେଡି ଉପରେ ପଡ଼ିବ ନାହିଁ। ଦାମବାବୁ ସବୁବେଳେ ଭିତିହୀନ ଓ ଦାୟିତ୍ୱହୀନ ମନ୍ତବ୍ୟ ଦିଅନ୍ତି, ଯାହାକି ହାସ୍ୟାସ୍ପଦ।
ନବୀନ ଏସବୁ କହିବା ବେଳେ ତାଙ୍କର ବଡ଼ି ଲାଙ୍ଗୁଏଜରୁ ଆଭାସ ମିଳୁଥିଲା ଯେ, ଦାମଙ୍କୁ ବହିଷ୍କାର କରିବା ପାଇଁ ସେ ବହୁ ପୂର୍ବରୁ ନିଷ୍ପତ୍ତି ନେଇସାରିଥିଲେ ଓ କେବଳ ସୁଯୋଗ ଅପେକ୍ଷାରେ ଥିଲେ।
ଦାମଙ୍କ ବହିଷ୍କାରର ‘ସାଇଡ୍ ଏଫେକ୍ଟ’କୁ ମଧ୍ୟ ନବୀନ ଆକଳନ କରି ଏଭଳି ହାଲୁକା ମନ୍ତବ୍ୟ ଦେଉଛନ୍ତି ବୋଲି ରାଜନୀତିକ ମହଲରେ ଚର୍ଚ୍ଚା ହେଉଛି। ତେବେ ଏସବୁ ଭିତରେ ବିଜୁ ଅନୁଗତମାନଙ୍କୁ ଗୋଟିଏ ମଞ୍ଚରେ ଏକଜୁଟ କରି ଏକ ନୂଆ ଆଞ୍ଚଳିକ ଦଳ ଗଠନରେ ବୈଜୟନ୍ତ ସହାୟତା କରିବେ ନା ଅନ୍ୟକିଛି ନିଷ୍ପତ୍ତି ନେବେ, ତାହା ଉପରେ ବି ବିଜୁ ଅନୁଗତଙ୍କ ସମେତ ସମଗ୍ର ରାଜନୀତିକ ମହଲର ନଜର ରହିଛି।
from Odisha Reporter https://ift.tt/2COrvJw
No comments:
Post a Comment