ଦେଓଧର ଟ୍ରଫି ଖେଳିବେ ଓଡ଼ିଶାର ପପୁ ରାୟ, ଦିନେ ୱିକେଟ୍‌ ପିଛା ପାଉଥିଲେ ୧୦ ଟଙ୍କା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, October 20, 2018

ଦେଓଧର ଟ୍ରଫି ଖେଳିବେ ଓଡ଼ିଶାର ପପୁ ରାୟ, ଦିନେ ୱିକେଟ୍‌ ପିଛା ପାଉଥିଲେ ୧୦ ଟଙ୍କା

ନୂଆଦିଲ୍ଲୀ(ଓଡ଼ିଶା ରିପୋର୍ଟର): ପପୁ ରାୟଙ୍କୁ ହୁଏତ ବହୁତ କମ୍‌ ଲୋକ ଜାଣିଥିବେ ଏବଂ ତାଙ୍କ ନାଁ କ୍ଵଚିତ କେହି ଶୁଣିଥିବେ। ହେଲେ ସେହି ପପୁ ରାୟ ନିଜର ପରିଶ୍ରମ ବଳରେ ଦେଓଧର ଟ୍ରଫି ଖେଳିବାର ସୁଯୋଗ ପାଇଛନ୍ତି। ସେ ଟିମ୍‌ ଇଣ୍ଡିଆ ଉପ ଅଧିନାୟକ ଅଜିଙ୍କ୍ୟ ରାହଣେଙ୍କ ଇଣ୍ଡିଆ ‘ସି’ ପକ୍ଷରୁ ପ୍ରତିନିଧିତ୍ୱ କରିବେ।

କିନ୍ତୁ ଏହି ୨୩ ବର୍ଷୀୟ ଯୁବ ବାମହାତୀ ସ୍ପିନର୍‌ଙ୍କ ସଂଘର୍ଷମୟ କାହାଣୀ ଶୁଣିଲେ ଆପଣ ବି କହିବେ, ସାବାସ୍ ପପୁ।

ପପୁଙ୍କ ଘର ପଶ୍ଚିମବଙ୍ଗରେ ହୋଇଥିଲେ ହେଁ ସେ ବିଜୟ ହଜାରେ ଟ୍ରଫିରେ ଓଡ଼ିଶା ପକ୍ଷରୁ ଖେଳୁଥିଲେ। ଏହି ସମୟରେ ହିଁ ସେ ଚୟନକର୍ତ୍ତାଙ୍କୁ ପ୍ରଭାବିତ କରିପାରି ଥିଲେ।

ପିଲାଟି ବେଳୁ ହିଁ ପପୁ ତାଙ୍କ ବାପା ମା’ଙ୍କୁ ହରାଇଥିଲେ। ପପୁ କଥା କହିବା ପୂର୍ବରୁ ହିଁ ତାଙ୍କ ବାପା ମା’ ଏ ଦୁନିଆରୁ ଚାଲି ଯାଇଥିଲେ। ତଥାପି ସେ ପିଲାଟି ବେଳୁ ହିଁ କ୍ରିକେଟ୍‌ ଖେଳିବାକୁ ପ୍ରତିଜ୍ଞା କରିବା ସହ ସେହି ଦିଗରେ ପରିଶ୍ରମ କରିଚାଲିଥିଲେ। ପପୁଙ୍କ ପାଖରେ ପଇସା ନଥିଲା ଓ ପ୍ରତିଦିନ ନିଜ ପାଇଁ ଖାଦ୍ୟ ଯୋଗାଡ଼ କରିବା ତାଙ୍କ ପାଇଁ ସବୁଠୁ ବଡ଼ ଚ୍ୟାଲେଞ୍ଜ ଥିଲା।

ତେବେ ଖେଳରେ ସେ ନେଉଥିବା ପ୍ରତି ୱିକେଟ୍‌ ପାଇଁ ସ୍ଥାନୀୟ କ୍ରିକେଟପ୍ରେମୀ ତାଙ୍କୁ ୧୦ ଟଙ୍କା ଲେଖାଏ ପୁରସ୍କାର ଦେଉଥିଲେ। ସେଇ ପଇସାରେ ତାଙ୍କ ଖାଇବା ଖର୍ଚ୍ଚ ଉଠାଉଥିଲେ ପପୁ। ଏଭଳି ସଂଘର୍ଷପୂର୍ଣ୍ଣ ଜୀବନ ସତ୍ତ୍ୱେ ସେ ତାଙ୍କର ପରିଶ୍ରମ ଜାରି ରଖିଥିଲେ।

ପପୁ କହିଛନ୍ତି, ତାଙ୍କ ପାଖରେ ଯେତେବେଳେ ପଇସା ନଥିଲା, ସେତେବେଳେ ସ୍ଥାନୀୟ ଅଞ୍ଚଳର ବଡ଼ ପିଲାମାନେ ତାଙ୍କୁ ଖାଇବାକୁ ଦେବାକୁ ପ୍ରସ୍ତାବ ଦେଇଥିଲେ। ହେଲେ ଏଥିପାଇଁ ପପୁଙ୍କୁ ସେମାନେ ବୋଲିଂ କରିବାକୁ କହୁଥିଲେ। ପପୁଙ୍କୁ ୱିକେଟ୍‌ ପିଛା ସ୍ଥାନୀୟ ପିଲାମାନେ ୧୦ ଟଙ୍କା ଦେଉଥିବା ସେ କହିଛନ୍ତି।

ପପୁ ପ୍ରକୃତରେ ବିହାରରେ ଜନ୍ମ ଗ୍ରହଣ କରିଥିଲେ। ହେଲେ ପରବର୍ତ୍ତୀ ଅବସ୍ଥାରେ ତାଙ୍କ ବାପା ମା’ ବେଙ୍ଗଲ ଚାଲି ଆସିଥିଲେ। ପପୁ କଥା କହିବା ପୂର୍ବରୁ ହିଁ ତାଙ୍କ ବାପା ଜମଦାର ଓ ମା’ ପ୍ରଭାତୀ ରାୟ ସବୁ ଦିନ ପାଇଁ ତାଙ୍କୁ ଏକା କରି ଆରପାରିକୁ ଚାଲିଯାଇଥିଲେ। ପପୁଙ୍କ ବାପା ଟ୍ରକ ଡ୍ରାଇଭର ଭାବେ କାର୍ଯ୍ୟ କରୁଥିଲେ। ବାପା ମା’ଙ୍କ ଦେହାନ୍ତ ପରେ ପପୁଙ୍କୁ ତାଙ୍କର ଜଣେ ସମ୍ପର୍କୀୟ ନିଜ ପାଖରେ ରଖିଥିଲେ।

ଏହି ସମ୍ପର୍କୀୟ ଦିନ ମଜୁରିଆ ଭାବେ କାର୍ଯ୍ୟ କରୁଥିଲେ। କିନ୍ତୁ ପପୁଙ୍କୁ ୧୫ ବର୍ଷର ହୋଇଥିଲା ବେଳେ ତାଙ୍କର ଲାଳନପାଳନ କରୁଥିବା ଦମ୍ପତିଙ୍କ ମୃତ୍ୟୁ ଘଟିଥିଲା। ସେବେଠାରୁ ଗୋଟିଏ ବେଳା ଖାଇବା ପପୁଙ୍କ ପକ୍ଷରେ କଷ୍ଟକର ହୋଇପଡ଼ିଥିଲା। ତଥାପି ସେ ତାଙ୍କର କ୍ରିକେଟ୍‌ ନିଶା ଜାରି ରହିଥିଲା।

ପ୍ରଥମେ ପପୁ ଜଣେ ପେସ୍‌ ବୋଲର୍‌ ଭାବେ ବୋଲିଂ କରୁଥିଲେ। କିନ୍ତୁ ହାୱଡା ୟୁନିୟନ କ୍ରିକେଟ୍‌ ଏକାଡେମୀର କୋଚ୍‌ ସୁଜିତ ଶାହା ପପୁଙ୍କୁ ବାମହାତରେ ସ୍ପିନ୍‌ ବୋଲିଂ କରିବାକୁ ପରାମର୍ଶ ଦେଇଥିଲେ। ପପୁ ଧୀରେଧୀରେ ଭଲ ବୋଲିଂ କରିବା ସହ ୨୦୧୧ରେ ବେଙ୍ଗଲର ଦ୍ୱିତୀୟ ଡିଭିଜନ୍‌ ଲିଗ୍‌ରେ ସର୍ବାଧିକ ୱିକେଟ୍‌ ହାସଲକାରୀ ଖେଳାଳି ପାଲଟି ଯାଇଥିଲେ। ସେ ୯ଟି ମ୍ୟାଚ୍‌ରେ ୫୦ଟି ୱିକେଟ୍‌ ପାଇଥିଲେ।

ତେବେ ଇରେଶ ସକ୍ସେନା ଓ ପରେ ପ୍ରଜ୍ଞାନ ଓଝା ବେଙ୍ଗଲ ପକ୍ଷରୁ ଖେଳିବାରୁ ପପୁଙ୍କୁ ବେଙ୍ଗଲର ସିନିୟର୍‌ ଟିମ୍‌ରେ ସ୍ଥାନ ମିଳି ନଥିଲା। ଏହାପରେ ସେ କେବଳ କୋଲକାତାର ବଡ଼ ବଡ଼ କ୍ଲବ ପାଇଁ ଟୁର୍ଣ୍ଣାମେଣ୍ଟ ଖେଳିଥିଲେ। କ୍ଲବ କ୍ରିକେଟ୍‌ ଖେଳିବା ସମୟରେ ସେ ଓଡ଼ିଶା ପକ୍ଷରୁ ଖେଳିବାକୁ ଲକ୍ଷ୍ୟ ରଖିଥିଲେ।

ଖାଦ୍ୟ ଓ ରହିବାକୁ ସ୍ଥାନ ଯୋଗାଡ଼ରେ ବାହାରିଥିବା ପପୁ ପ୍ରଥମେ ଓଡ଼ିଶାର ଯାଜପୁରରେ ରହିଥିଲେ।

ଏହି ସମୟରେ ପପୁଙ୍କ ଦୁଇ ଜଣ ସାଙ୍ଗ ମୁଜାକିର ଅଲ୍ଲୀ ଖାନ୍‌ ଓ ଅସିଫ୍‌ ଇକବାଲ୍‌ ଖାନ୍‌ ତାଙ୍କୁ ସମସ୍ତ ପ୍ରକାରର ସହଯୋଗ ଯୋଗାଇ ଦେଇଥିଲେ। ୨୦୧୫ରେ ପ୍ରଥମ ଥର ପାଇଁ ପପୁ ଓଡ଼ିଶା ପକ୍ଷରୁ ଅଣ୍ଡର-୨୩ ଟିମ୍‌ରେ ସ୍ଥାନ ପାଇଥିଲେ।

ସେ କଟକରେ ଚାଲିଥିବା ଟିମ୍‌ ଚୟନ ବେଳେ ମୁଖ୍ୟ ଚୟନକର୍ତ୍ତା ସୁରେଶ କୁମାରଙ୍କୁ ପ୍ରଭାବିତ କରି ଟିମ୍‌ରେ ସ୍ଥାନ ହାସଲ କରିଥିଲେ। ୩ ବର୍ଷ ମଧ୍ୟରେ ପପୁ ଓଡ଼ିଶା ସିନିୟର୍‌ ଟିମ୍‌ର ଲିଷ୍ଟ୍‌ ଏ ଦଳରେ ସାମିଲ ହୋଇ ଥିଲେ।

ସେ ଓଡ଼ିଶା ପକ୍ଷରୁ ୮ଟି ଗ୍ରୁପ୍‌ ପର୍ଯାୟର ଲିଗ୍‌ ମ୍ୟାଚ୍‌ ଖେଳି ୧୪ଟି ୱିକେଟ୍‌ ନେଇ ସମସ୍ତଙ୍କୁ ପ୍ରଭାବିତ କରିପାରିଛନ୍ତି। ଦେଖିବାକୁ ଗଲେ, ବେଙ୍ଗଲ ପପୁଙ୍କୁ ହରାଇ ବଡ଼ କ୍ଷତି ସହିଥିବା ବେଳେ ଓଡ଼ିଶା ଲାଭବାନ ହୋଇଛି।



from Odisha Reporter https://ift.tt/2Owz9O6

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages