
ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ସ୍ୱାଧିକାର ଭଙ୍ଗ ମାମଲାରେ ବାଚସ୍ପତିଙ୍କୁ ଚିଠି ଲେଖି କ୍ଷମା ପ୍ରାର୍ଥନା କରିଥିବା ଅଭିଜିତ ଆୟର ମିତ୍ର ଆଜି ବିଧାନସଭା ଗୃହ କମିଟି ନିକଟରେ ହାଜର ହୋଇନାହାନ୍ତି। ସେଥିପାଇଁ ତାଙ୍କୁ ପୁଣି ଏକ ନୋଟିସ୍ ଦିଆଯାଇଛି।
ଅକ୍ଟୋବର ୨୩ ତାରିଖ ଦିନ ୧୧ଟା ବେଳେ ଗୃହ କମିଟି ଆଗରେ ହାଜର ହେବାକୁ ତାଙ୍କୁ କୁହାଯାଇଛି। ଗୃହ କମିଟି ଅଧ୍ୟକ୍ଷ ତଥା ବିରୋଧୀ ଦଳ ନେତା ନରସିଂହ ମିଶ୍ର ଆଜି ଏ ସୂଚନା ଦେଇଛନ୍ତି।
ଆଜି ନରସିଂହଙ୍କ ଅଧ୍ୟକ୍ଷତାରେ ଗୃହ କମିଟିର ବୈଠକ ବସିଥିଲା। ଏଥିରେ ଅଭିଜିତ ଆୟର ହାଜର ହେବାର ଥିଲା। କିନ୍ତୁ ସେ ଆସି ନଥିଲେ। ସେ ବାଚସ୍ପତିଙ୍କ ନିକଟକୁ ଏକ ଚିଠି ଲେଖି ନିଜ ଭୁଲ୍ ପାଇଁ କ୍ଷମା ପ୍ରାର୍ଥନା କରିଛନ୍ତ।
ନରସିଂହ କହିଛନ୍ତି, ଅଭିଜତ୍ ଗୋଟିଏ ମେଲ୍ କରି ଆଜି ଉପସ୍ଥିତ ହେବେ ବୋଲି ଜଣାଇଥିଲେ। ପରେ ଆଉ ଏକ ମେଲ୍ କରି ନିଜର ଭୁଲ୍ ପାଇଁ କ୍ଷମା ମାଗିଛନ୍ତି।
“ମେଲ୍ରେ ଅଭିଜିତ୍ ଲେଖିଛନ୍ତି ଯେ ସେ ଅକ୍ଷମଣୀୟ ଅପରାଧ କରିଛନ୍ତି। ସେଥିପାଇଁ କ୍ଷମା ମାଗୁଛି। ତାଙ୍କୁ କ୍ଷମା ଦିଆଯାଉ ବୋଲି ସେ ଲେଖିଛନ୍ତି।”
ନରସିଂହ କହିଛନ୍ତି, ଓଡ଼ିଶାରେ ବାତ୍ୟା ହେବ ବୋଲି ପ୍ରଚାର ହେବା ଯୋଗୁଁ ବୋଧହୁଏ ସେ ଆଜି ଆସି ନାହାନ୍ତି।
ସୂଚନାଯୋଗ୍ୟ, ଓଡ଼ିଶାର ବିଧାୟକମାନଙ୍କ ସଂପର୍କରେ ଅରୁଚିକର ମନ୍ତବ୍ୟ ଦେବା କାରଣରୁ ତାଙ୍କ ନାଁରେ ସ୍ୱାଧିକାର ଭଙ୍ଗ ଅଭିଯୋଗ ଆସିଛି। ସେହିପରି ସେ ଓଡ଼ିଶା,କୋଣାର୍କ ମନ୍ଦିର ଓ ଜଗନ୍ନାଥ ମନ୍ଦିର ସମ୍ପର୍କରେ ସୋଶାଲ୍ ମିଡିଆରେ ପ୍ରତିକୂଳ ମନ୍ତବ୍ୟ ଦେଇଥିଲେ। ଏଥିପାଇଁ ସେ ଗିରଫ ବି ହୋଇଥିଲେ।
from Odisha Reporter https://ift.tt/2PtR3xE
No comments:
Post a Comment