ଡିଜେଲ୍ ଦରକୁ ନେଇ ଚିନ୍ତାରେ ଖାଉଟି: ଏପଟେ ଚାଲିଛି ରାଜନୈତିକ ଆରୋପ-ପ୍ରତ୍ୟାରୋପ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, October 21, 2018

ଡିଜେଲ୍ ଦରକୁ ନେଇ ଚିନ୍ତାରେ ଖାଉଟି: ଏପଟେ ଚାଲିଛି ରାଜନୈତିକ ଆରୋପ-ପ୍ରତ୍ୟାରୋପ

diesel

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଓଡ଼ିଶାର ତୈଳ ବଜାରରେ ଲାଗିଥିବା ନିଆଁ କୁହୁଳିବାରେ ଲାଗିଛି। କେବଳ ଦର ବଢ଼ିଛି ତା’ ନୁହେଁ। ଓଡ଼ିଶା ଏକ୍ଷେତ୍ରରେ ଇତିହାସ ସୃଷ୍ଟି କରିଛି। ଦେଶର ପ୍ରଥମ ରାଜ୍ୟ ଭାବେ ଓଡ଼ିଶାରେ ଡିଜେଲ ଦର ପେଟ୍ରୋଲକୁ ପଛରେ ପକାଇ ଦେଇଛି। କ୍ରମାଗତ ଦ୍ୱିତୀୟ ଦିନ ରାଜଧାନୀ ଭୁବନେଶ୍ୱରରେ ଡିଜେଲ ଦର ପେଟ୍ରୋଲଠାରୁ ଅଧିକ ରହିଛି। ଖାଉଟି ବଜାର ଉପରେ ଏହାର ପ୍ରତିକୁଳ ପ୍ରଭାବର ଆଶଙ୍କା ବଢ଼ିଯାଇଥିବା ବେଳେ ଆରମ୍ଭ ହୋଇଯାଇଛି କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ଆରୋପ-ପ୍ରତ୍ୟାରୋପ।

ରାଜଧାନୀ ଭୁବନେଶ୍ୱରରେ ଗତକାଲି ପେଟ୍ରୋଲ ଲିଟର ପିଛା ୮୦ଟଙ୍କା ୮୨ ପଇସା ଥିବା ହେବେ ଡିଜେଲ୍ ପହଞ୍ଚିଥିଲା ୮୦ଟଙ୍କା ୮୮ ପଇସାରେ। କ୍ରମାଗତ ଦ୍ୱିତୀୟ ଦିନ ବି ଏହି ଟ୍ରେଣ୍ଡ ଜାରି ରହିଛି। ପେଟ୍ରୋଲ ଆଜି ୮୦ ଟଙ୍କା ୫୭ ପଇସା ଥିବା ବେଳେ ଡିଜେଲ୍ ଏହାଠୁ ୧୨ ପଇସା ଅଧିକ ଅର୍ଥାତ୍ ଲିଟର ପିଛା ଦର ରହିଛି ୮୦ଟଙ୍କା ୬୯ ପଇସା। କେବଳ ଓଡିଶାରେ ହିଁ ଏଭଳି ସ୍ଥିତି ସୃଷ୍ଟି ହୋଇଛି।

ପେଟ୍ରୋଲ ତୁଳନାରେ ଡିଜେଲ ଦର ଅଧିକ ହେବା ପଛରେ ଦୁଇଟି କାରଣ ରହିଛି। ପ୍ରଥମଟି ହେଲା ପେଟ୍ରୋଲ ତୁଳନାରେ ଡିଜେଲ୍ ବେସ୍ ପ୍ରାଇସ୍ ଅଧିକ ରହିଛି। ଦ୍ୱିତୀୟ ପ୍ରମୁଖ କାରଣ ହେଲା ଓଡ଼ିଶା ସରକାର ଡିଜେଲ୍ ଉପରେ ୨୬ ପ୍ରତିଶତ ଭାଟ୍ ନେଉଛନ୍ତି, ଯାହାକି ଅନ୍ୟ ରାଜ୍ୟ ତୁଳନାରେ ଅଧିକ। ଫଳରେ ଓଡ଼ିଶାରେ ପେଟ୍ରୋଲ ଦରକୁ ଟପି ଯାଇଛି ଡିଜେଲ୍ ଦର।

ଡିଜେଲ୍ ଦର ରେକର୍ଡ ଛୁଇଁବା ପରେ କେନ୍ଦ୍ରକୁ ଟାର୍ଗେଟ କରିଛନ୍ତି ରାଜ୍ୟ ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରା।

“କେନ୍ଦ୍ର ସରକାରଙ୍କ ଭୁଲ ନୀତି ଯୋଗୁ ଡିଜେଲ୍ ଦର ବଢିଛି” ବୋଲି ସେ ଅଭିଯୋଗ କରିଛନ୍ତି। ସେ କହିଛନ୍ତି, “କମ୍ପାନୀମାନଙ୍କ ଉପରେ କେନ୍ଦ୍ର ସରକାରଙ୍କ ନିୟନ୍ତ୍ରଣ ନାହିଁ କିମ୍ବା ତାଙ୍କ ସହ ସାଲିସ କରିଛନ୍ତି। ଏ କଥା କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଅନୁଭବ କରିବା ଦରକାର। ଦର ବଢ଼ାଇ ଚାଲିଛନ୍ତି। ଏଥିପାଇଁ କେନ୍ଦ୍ର ସରକାର ହିଁ ଦାୟୀ।”

ଅନ୍ୟପକ୍ଷରେ ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପାଲଟା ରାଜ୍ୟ ସରକାରଙ୍କ ଉପରେ ବର୍ଷିବା ସହ ରାଜ୍ୟ ଅର୍ଥମନ୍ତ୍ରୀଙ୍କୁ କଡ଼ା ସମାଲୋଚନା କରିଛନ୍ତି। ଧର୍ମେନ୍ଦ୍ର କହିଛନ୍ତି, “ରାଜ୍ୟ ସରକାରଙ୍କ ଚଢ଼ା ଟିକସ୍ ଯୋଗୁ ଓଡ଼ିଶାର ଲୋକମାନଙ୍କୁ ସୁବିଧା ମିଳୁନାହିଁ। ଗାଲୁଆଙ୍କର ଏହା ହେଉଛି ବାରବାଟି ଚାଷ। ନିଜ ବୁଦ୍ଧିରେ ସେ କୁହନ୍ତି ନାହିଁ। ତୃତୀୟ ମହଲାର ଗୁମାସ୍ତାମାନେ ଯେଉଁ ହାତଲେଖା ଚିଠା ତାଙ୍କୁ ଦିଅନ୍ତି ସେ ତାକୁ ପଢ଼ନ୍ତି।”

ଡିଜେଲ୍ ଦର ପେଟ୍ରୋଲକୁ ଟପିବା ପରେ ଏହାର ପ୍ରତିକୁଳ ପ୍ରଭାବ ବି ଦେଖିବାକୁ ମିଳିଛି। ଓଡିଶା ଅପେକ୍ଷା ପଡ଼ୋଶୀ ରାଜ୍ୟରେ ଡିଜେଲ୍ ଦାମ କମ୍ ଥିବାରୁ ସେ ସବୁ ରାଜ୍ୟରୁ ଆସୁଥିବା ଟ୍ରକ୍ ଟାଙ୍କି ଫୁଲ୍ କରି ଆସୁଛନ୍ତି। ଫଳରେ ଓଡ଼ିଶାରେ ଡିଜେଲ ବିକ୍ରି ହ୍ରାସ ପାଇଛି। ଜାତୀୟ ରାଜପଥ କଡରେ ଥିବା ପେଟ୍ରୋଲ ପମ୍ପଗୁଡିକରେ ଡିଜେଲ୍ ବିକ୍ରି ୫୦ ପ୍ରତିଶତ କମିଥିବା କହିଛି ଉତ୍କଳ ପେଟ୍ରୋଲିୟମ୍ ଡିଲର୍ସ୍ ଆସୋସିଏସନ୍।

ସେପଟେ ଡିଜେଲ୍ ଦର ବଢ଼ିବା ଦ୍ୱାରା ଖାଉଟି ବଜାର ଉପରେ ବି ଏହାର ପ୍ରଭାବ ପଡ଼ିବା ଆଶଙ୍କା ବଢ଼ିଯାଇଛି।

ସୂଚନାଯୋଗ୍ୟ, କେନ୍ଦ୍ର ପେଟ୍ରୋଲ ଦର କମାଇବା ପରେ ଅନେକ ରାଜ୍ୟ ମଧ୍ୟ ନିଜର ଟିକସ କମ୍ କରିଥିଲେ। ତେବେ ଓଡ଼ିଶା ସରକାର ଟିକସ ନକମାଇବାରୁ ଖାଉଟିଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା। ଏବେ ଡିଜେଲ ଦର ପେଟ୍ରୋଲକୁ ଟପି ଯିବା ପରେ ଏହା ଖାଉଟିଙ୍କ ଉପରେ ବେଡ଼ି ଉପରେ କୋରଡ଼ା ମାଡ଼ ଭଳି ହୋଇଛି। ତେବେ ଖାଉଟିଙ୍କୁ କିଭଳି ଆଶ୍ୱସ୍ତି ମିଳିବ, ସେକଥା ଚିନ୍ତା ନକରି କେନ୍ଦ୍ର ଓ ରାଜ୍ୟ ପରସ୍ପର ଉପରେ ଦୋଷ ଲଦିବାରେ ବ୍ୟସ୍ତ ଥିବା ଅଭିଯୋଗ ହେଉଛି।



from Odisha Reporter https://ift.tt/2OAwqDn

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages