
ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ୨୦୧୯ ନିର୍ବାଚନ ପୂର୍ବରୁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମଧ୍ୟରେ ଆରମ୍ଭ ହୋଇଛି ଯୋଜନା ଲଢ଼େଇ। ଗତ କିଛି ଦିନ ତଳେ ବିଜେଡି ‘ଉଜ୍ଜଳା’ ଯୋଜନାରେ ଦୁର୍ନୀତି ଅଭିଯୋଗ ଆଣିଥିବା ବେଳେ ଆଜି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରାଜ୍ୟର ୧୦୦ଟି ସ୍ଥାନର ୧୮ ହଜାର ମହିଳା ହିତାଧିକାରୀଙ୍କ ସହ ସିଧାସଳଖ କଥା ହୋଇଛନ୍ତି। ଚର୍ଚ୍ଚା ହେଉଛି, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସରକାରର ‘ଆମ ଗାଁ ଆମ ବିକାଶ’ କାର୍ଯ୍ୟକ୍ରମକୁ ଟକ୍କର ଦେବା ପାଇଁ ଆଗକୁ ‘ପ୍ରଧାନମନ୍ତ୍ରୀ ଏଲ୍ପିଜି ପଞ୍ଚାୟତ’ କାର୍ଯ୍ୟକ୍ରମକୁ ବ୍ୟାପକ କରିବ ପେଟ୍ରୋଲିୟମ୍ ମନ୍ତ୍ରଣାଳୟ।
‘ଉଜ୍ଜଳା’ ଯୋଜନାର ହିତାଧିକାରୀଙ୍କ ସହ ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସିଧାସଳଖ କଥା ହେଉଛନ୍ତି। ଅନୁଗୋଳ, ସମ୍ବଲପୁର, ମୟୂରଭଞ୍ଜ, ଜୟପୁର, ବ୍ରହ୍ମପୁର ସମେତ ଶହେଟି ସ୍ଥାନର ହିତାଧିକାରୀଙ୍କ ସହ ସେ କଥା ହୋଇଛନ୍ତି। କିଭଳି ଭାବେ ଯୋଜନା ହିତାଧିକାରୀଙ୍କ ନିକଟରେ ପହଞ୍ଚୁଛି? ସେଥିରୁ କି ଲାଭ ମିଳୁଛି? ଏପରି ଅନେକ ପ୍ରଶ୍ନ ସିଧାସଳଖ ଭିଡିଓ କନ୍ଫରେନ୍ସିଂ ମାଧ୍ୟମରେ ପ୍ରାୟ ୧୮ ହଜାର ମହିଳା ହିତାଧିକାରୀଙ୍କୁ ପଚାରିଛନ୍ତି ଧର୍ମେନ୍ଦ୍ର।
ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ୍ ମନ୍ତ୍ରଣାଳୟ ପକ୍ଷରୁ ଏହି ‘ପ୍ରଧାନମନ୍ତ୍ରୀ ଏଲ୍ପିଜି ପଞ୍ଚାୟତ’ର ଆୟୋଜନ କରାଯାଇଥିଲା। ଆଗକୁ ଏହି ଯୋଜନା ମାଧ୍ୟମରେ ରାଜ୍ୟର ସମସ୍ତ ପଞ୍ଚାୟତର ହିତାଧିକାରୀଙ୍କ ସହ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଆଲୋଚନା କରିବେ ବୋଲି ଜଣାପଡ଼ିଛି।
ଗୋଟିଏ ପଟେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡ଼ିଓ କନ୍ଫରେନ୍ସିଂ ମାଧ୍ୟମରେ ଚଳାଇଛନ୍ତି ‘ଆମ ଗାଁ ଆମ ବିକାଶ’ କାର୍ଯ୍ୟକ୍ରମ। ଆଉ ସେପଟେ ସମାନ ଢ଼ଙ୍ଗରେ ରାଜ୍ୟରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆରମ୍ଭ କରିଛନ୍ତି ‘ପ୍ରଧାନମନ୍ତ୍ରୀ ଏଲ୍ପିଜି ପଞ୍ଚାୟତ’। ୨୦୧୯ ନିର୍ବାଚନ ପୂର୍ବରୁ ଯୋଜନା ମାଧ୍ୟମରେ ଲୋକଙ୍କ ପାଖକୁ ଏଭଳି ଢ଼ଙ୍ଗରେ ପହଞ୍ଚିବା ପାଇଁ ଚାଲିଛି କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ଲଢ଼େଇ। ଆଉ ସମସ୍ତଙ୍କ ଫୋକସରେ ରହିଛନ୍ତି ମହିଳା ଓ ଗ୍ରାମାଞ୍ଚଳ ଲୋକେ।
ତେବେ ବିଜେଡି ଧର୍ମେନ୍ଦ୍ରଙ୍କ ଏହି କାର୍ଯ୍ୟକ୍ରମକୁ ଧୂଆଁବାଣ ବୋଲି କହିଛି। ‘ଉଜ୍ଜଳା’ ଦୁର୍ନୀତିରୁ ମୁହଁ ବୁଲାଇବା ପାଇଁ ଏଭଳି କାର୍ଯ୍ୟକ୍ରମ କରାଯାଉଛି ବୋଲି ଦଳ ଅଭିଯୋଗ କରିଛି। ସେପଟେ କଂଗ୍ରେସ ଏହା ଭୋଟ ପଲିଟିକ୍ସ ବୋଲି କହିଛି।
ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ଉଜ୍ଜଳା ଯୋଜନାରେ ୩୪ ଲକ୍ଷ ମହିଳା ହିତାଧିକାରୀ ଥିବାବେଳେ ୧୯ ନିର୍ବାଚନ ପୂର୍ବରୁ ଯୋଜନାକୁ ଆହୁରି ବ୍ୟାପକ କରିବାକୁ ଲକ୍ଷ୍ୟ ରଖିଛି ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରଣାଳୟ।
କିଏ କଣ କହୁଛନ୍ତି
ବିଜେଡି ମୁଖପାତ୍ର ସସ୍ମିତ ପାତ୍ର କହିଛନ୍ତି-“ଉଜ୍ଜଳା ଯୋଜନାରେ ବହୁ ଦୁର୍ନୀତି ହୋଇଛି। ଏଥିରୁ ମୁକୁଳିବା ପାଇଁ ଏପରି ପ୍ରୟାସ କରାଯାଇଛି। କିନ୍ତୁ ରାଜ୍ୟର ମାଆମାନେ ଜାଣିସାରିଲେଣି, ଉଜ୍ଜଳା ଯୋଜନା ସେମାନଙ୍କ ପାଇଁ ଦୁଃଖର ବିଷୟ ପାଲଟିଛି।”
ବରିଷ୍ଠ କଂଗ୍ରେସ ନେତା ସୁରେଶ ରାଉତରାୟ କହିଛନ୍ତି-“ବିଜେପି ଉଜ୍ଜଳା ନାଁରେ ଗ୍ରାମାଞ୍ଚଳକୁ ଯାଉଛନ୍ତି। ବିଜେଡି ମହିଳା ବିକାଶ ନାଁରେ ବିଭିନ୍ନ ଯୋଜନା କରୁଛନ୍ତି। କିନ୍ତୁ ଇଏ ସବୁ ମିଛ। କେବଳ ଭୋଟ ପାଇଁ ଧୂଆଁ ବାଣ।”
ବିଜେପି ଉପ ସଭାପତି ସମୀର ମହାନ୍ତି କହିଛନ୍ତି-“ରାଜ୍ୟ ସରକାର ଦୁର୍ନୀତିରେ ବୁଡ଼ି ରହିଛନ୍ତି। ତାହାର ଆଜିପର୍ଯ୍ୟନ୍ତ ଜବାବ ଦେଉନାହାନ୍ତି। ଓଡ଼ିଶା ଲୋକେ ସବୁ ବୁଝି ସାରିଲେଣି।”
from Odisha Reporter https://ift.tt/2PfW38N
No comments:
Post a Comment