
ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): “ବାତ୍ୟା ‘ତିତ୍ଲି’ ଆସିବା ପୂର୍ବଦିନ ଗଜପତି ଜିଲ୍ଲା ରାୟଗଡ଼ ବ୍ଲକ ଚେୟାରମ୍ୟାନ୍ ଓ RWSSର ଇଞ୍ଜିନିୟର ବାରଘର ଗାଁକୁ ଯାଇ ସ୍ଥାନାନ୍ତର ହେବାକୁ ଲୋକଙ୍କୁ କହିଥିଲେ। ୬୮ ପରିବାର ସ୍ଥାନାନ୍ତର ହୋଇଥିଲେ। ମାତ୍ର ୭ଟି ପରିବାର ଯିବାକୁ ମନା କରିଥିଲେ। ଯାହାଫଳରେ ଏହି ପରିବାର ଲୋକେ ଦୁର୍ଘଟଣାରେ ଶିକାର ହେଲେ। ପ୍ରତି ମୃତକଙ୍କ ପରିବାରକୁ ୪ ଲକ୍ଷ ଟଙ୍କା ଲେଖାଏ ସହାୟତା ଯୋଗାଇ ଦିଆଯିବ” ବୋଲି ସ୍ୱତନ୍ତ୍ର ରିଲିଫ୍ କମିଶନର ବିଷ୍ଣୁପଦ ସେଠୀ କହିଛନ୍ତି।
ସେ କହିଛନ୍ତି-“ଗତ ୨୪ ଘଣ୍ଟା ଭିତରେ ରାଜ୍ୟର କୌଣସି ସ୍ଥାନରେ ବର୍ଷା ହୋଇନି। ତେଣୁ ସ୍ଥିତି ସାମାନ୍ୟ ରହିଛି। ବିଶେଷକରି ଗଞ୍ଜାମ ଜିଲ୍ଲାର ସ୍ଥିତି ସୁଧୁରିବାରେ ଲାଗିଛି। ଜଳବନ୍ଦୀ ଜୀବନ କାଟୁଥିବା ଆସିକା ଓ ପୁରୁଷୋତ୍ତମପୁର ଅଞ୍ଚଳ ଏବେ ସ୍ୱାଭାବିକ ହେଉଛି। କେତେକ ଅଞ୍ଚଳକୁ ବିଦ୍ୟୁତ ସଂଯୋଗ ଦିଆଗଲାଣି।”
ସେ କହିଛନ୍ତି-“ଗଜପତି ଜିଲ୍ଲାରେ ବାତ୍ୟା ପରେ ସୃଷ୍ଟି ହୋଇଥିବା ବନ୍ୟା ସ୍ଥିତି ସୁଧୁରୁଛି। ବ୍ଲକ ସଦର ମହକୁମାକୁ ଯୋଗାଯୋଗ ସମ୍ଭବ ହୋଇଛି। ରାସ୍ତାରେ ପଡ଼ିଥିବା ଗଛ ଗୁଡିକୁ କାଟି ସଫା କରାଯାଇଛି। ବିଶେଷକରି ମୋହନା-ଆର୍.ଉଦୟଗିରି, ମୋହନା-ଖଜୁରିପଦା, ଗାଡ଼ାବନ୍ଧରୁ ଅରାସିଂହ ଭାୟା କିଚଲିନ୍, ଅଡାସିଂହରୁ ମାଛମରା, ମାଛମରାରୁ-ଗୋଷାଣୀ ବ୍ଲକ, କାଶୀନଗରରୁ ପାରଳାଖେମୁଣ୍ଡି ରୋଡ୍ ଓ ପପିଲିରୁ ପଳାସା ରୋଡ଼୍ରେ ପଡ଼ିଥିବା ବଡ଼ ବଡ଼ ଗଛ ଗୁଡ଼ିକ କଟି ବାହାର କରାଯାଇଛି। ବର୍ତ୍ତମାନ ଏହି ରାସ୍ତା ଦେଇ ଯାତାୟାତ ସମ୍ଭବ ହୋଇପାରିଛି। ବାତ୍ୟା ଆଶ୍ରୟସ୍ଥଳରୁ ଲୋକେ ଧୀରେ ଧୀରେ ଘରକୁ ଫେରିଲେଣି। ଯେଉଁମାନେ ଅଛନ୍ତି, ସେମାନଙ୍କୁ ରନ୍ଧାଖାଦ୍ୟା ଯୋଗାଇ ଦିଆଯିବ। ଗୁଣପୁର ସହରକୁ ବିଦ୍ୟୁତ ସେବା ଯୋଗାଇ ଦିଆଯାଇଛି। ଗ୍ରାମାଞ୍ଚଳରେ ବିଦ୍ୟୁତ ସେବା ଠିକ୍ କରିବା ପାଇଁ କର୍ମଚାରୀମାନେ ନିୟୋଜିତ ରହିଛନ୍ତି।”
ସେ କହିଛନ୍ତି-“ବାତ୍ୟା ପ୍ରଭାବିତ ଅଞ୍ଚଳର ଲୋକଙ୍କୁ ୧୫ ଦିନ ରିଲିଫ୍ ଯୋଗାଇଦେବାକୁ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ। ସେଥିପାଇଁ ବୟସ୍କ ବ୍ୟକ୍ତିଙ୍କୁ ଦୈନିକ ୬୦ ଟଙ୍କା ଓ ୧୨ ବର୍ଷରୁ କମ୍ ବୟସ୍କ ପିଲାମାନଙ୍କୁ ୪୫ ଟଙ୍କା ଲେଖାଏ ରିଲିଫ୍ ଦିଆଯିବ। ଏହି ଅର୍ଥ ସେମାନଙ୍କ ବ୍ୟାଙ୍କ ଖାତାରେ ଜମା କରାଯିବ। ଏହାର ସମସ୍ତ ଦାୟିତ୍ୱ ଜିଲ୍ଲାପାଳମାନଙ୍କୁ ଦିଆଯାଇଛି।”
from Odisha Reporter https://ift.tt/2EkhSmy
No comments:
Post a Comment